ରାମନବମୀ ଶୋଭାଯାତ୍ରାରେ ସଂଘର୍ଷ: ଜଣେ ମୃତ, ୫ ପୁଲିସ୍‌ ସମେତ ୯ ଆହତ

କୋଲକାତା: ପଶ୍ଚିମବଙ୍ଗରେ ରାମ ନବମୀ ଉତ୍ସବ ଶୋଭାଯାତ୍ରା ସମୟରେ ପୁରୁଲିଆ ଅଞ୍ଚଳରେ ବିଜେପି ଓ ଟିଏମ୍‌ସି କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇ ଜଣଙ୍କର ମୃତ୍ୟୁ ହୋଇଛି। ସେପଟେ ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ୫ଜଣ ପୁଲିସ୍‌ କର୍ମୀଙ୍କ ସମେତ ୯ଜଣ ଆହତ ହୋଇଥିବା ଜଣାପଡ଼ିଛି। ରାଜ୍ୟ ସରକାରଙ୍କ ତାଗିଦ୍‌ ସତ୍ତ୍ୱେ ରାଜ୍ୟ ବିଜେପି ମୁଖ୍ୟ ଦିଲ୍ଲୀପ ଘୋଷଙ୍କ ସମେତ ବିଜେପିର ଟାଣୁଆ ନେତାମାନେ ଅସ୍ତ୍ରଶସ୍ତ୍ର ଧରି ଶୋଭାଯାତ୍ରାରେ ବାହାରିଥିଲେ। ପୁଲିସ୍‌ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ବିଜେପି ନେତା ଓଲଟା ଆକ୍ରମଣ କରିଥିଲେ। ସେପଟେ ବର୍ଦ୍ଧମାନ ଜିଲ୍ଲାରେ ମଧ୍ୟ ପୁଲିସ୍‌ ଓ ବିଜେପି କର୍ମୀ ମୁହାଁମୁହିଁ ହୋଇଥିବା ଜଣାପଡ଼ିଛି। ବିଭିନ୍ନ ସ୍ଥାନରେ ଏହି ହିଂସାକାଣ୍ଡ କାରଣରୁ ୧୫ଜଣଙ୍କୁ ଗିରଫ କରାଯାଇଛି। ଉଲ୍ଲେଖଯୋଗ୍ୟ, ମୁଖ୍ୟମନ୍ତ୍ରୀ ଆଦେଶ ନଦେଲେ ବି ସେମାନେ ପାରମ୍ପରିକ ରୀତିରେ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କରିବେ ଏବଂ ସେମାନଙ୍କୁ ଅଟକାଇଲେ ନିଶ୍ଚିତ ହିଂସା ହେବ ବୋଲି ଶୋଭାଯାତ୍ରା ପୂର୍ବରୁ ବିଜେପି ନେତା ଦିଲ୍ଲୀପ ଘୋଷ କହିଥିଲେ। ଅପରପକ୍ଷେ, ରାମନବମୀ ଶୋଭାଯାତ୍ରା ଆଳରେ ଉଭୟ ବିଜେପି ଓ ଶାସକ ଟିଏମ୍‌ସି ଶକ୍ତି ପ୍ରଦର୍ଶନ କରିବାର ମଉକାକୁ ହାତଛଡ଼ା କରିନାହାନ୍ତି। ଶୋଭାଯାତ୍ରା ସମୟରେ ରାମଙ୍କ ନାମ ଅପେକ୍ଷା ଦଳୀୟ ସ୍ଳୋଗାନ ଅଧିକ ଶୁଭୁଥିଲା ଏବଂ ଶ୍ରୀରାମଙ୍କ ବିମାନ ଅପେକ୍ଷା ଦଳୀୟ ପତାକା ସବୁ ଅଧିକ ଦୃଶ୍ୟମାନ ହେଉଥିଲା।

ସମ୍ବନ୍ଧିତ ଖବର