ନୂଆଦିଲ୍ଲୀ: ଦିଲ୍ଲୀରେ କାହିଁକି ଆସିଲାନି ଆପ୍ ? କାହିଁକି ହାରିଗଲେ କେଜ୍ରିୱାଲ ? ଆମ୍ ଆଦମୀ ପାର୍ଟିର ପରାଜୟ ପଛର କାରଣ କଣ ? ହାଟ୍ରିକ୍ ସରକାର ଗଢିବାର ସ୍ବପ୍ନରେ କାହିଁକି ଲାଗିଲା ବ୍ରେକ୍ ? ଦିଲ୍ଲୀ ଦଖଲ ପାଇଁ ଦିଲ୍ଲୀ ଦଙ୍ଗଲରେ ହାର୍ ମାନିଥିବା ଆପକୁ ନେଇ ସାରା ଦେଶରେ ଚର୍ଚ୍ଚା ଆଲୋଚନା ଓ ବିତର୍କ ହେଉଥିବା ବେଳେ କେମିତି ହାରିଲେ ଆପର ବଡ ନେତାମାନେ ତାର କାରଣ ବି ଖୋଜା ଚାଲିଛି । ହେଭିୱେଟଙ୍କ ହାରିବା ପଛର କାରଣ ସେମାନଙ୍କ ଅତୀତର କର୍ମ ବୋଲି କେହି କେହି କହୁଥିବା ବେଳେ ଆପ ସରକାରର ଦୁର୍ନୀତି ପାଇଁ ଏଥର ଦିଲ୍ଲୀରେ ସରକାର ଭାଙ୍ଗିଥିବା ଅନେକ କହିଛନ୍ତି ।
ତେବେ ଜେଲ ଯିବା ହିଁ ଫେଲ ହେବାର ବଡ କାରଣ ବୋଲି କିଛି ରାଜନୈତିକ ସମୀକ୍ଷକ କହିଛନ୍ତି । ଅତୀତରେ ଜେଲରେ ରହିଥିବା ଆମ୍ ଆଦମୀ ପାର୍ଟିର ଅନେକ ହେଭିୱେଟ ନେତା ହିଁ ଏଥର ଅଗ୍ନିପରୀକ୍ଷାରେ ଫେଲ୍ ହୋଇଛନ୍ତି ।
ଅରବିନ୍ଦ କେଜ୍ରିୱାଲଙ୍କ ଭଳି ବଡ ନେତା ଏଥର ନିଜ ଆସନରୁ ହାରିଯିବା ଆଶ୍ଚର୍ୟ୍ୟର କଥା । ନୂଆଦିଲ୍ଲୀ ଆସନରୁ ନିଜେ ନିଜର ଚୌକିକୁ ସମ୍ଭାଳିପାରିଲେନି ଆମ୍ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିୱାଲ । ବିଜେପିର ପ୍ରଭେଶ ବର୍ମାଙ୍କ ଠାରୁ ପରାସ୍ତ ହୋଇଛନ୍ତି କେଜ୍ରିୱାଲ । ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଥିବା କେଜ୍ରିୱାଲ ନିଜ ଅତୀତର କଳାଦାଗ ପାଇଁ ଏଥର ନିର୍ବାଚନ ହାରିଥିବା କୁହାଯାଉଛି । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଜେଲ ଯାଇଥିଲେ ଅରବିନ୍ଦ କେଜ୍ରିୱାଲ । କେଜ୍ରିୱାଲଙ୍କୁ ଗିରଫ ପରେ ଦିଲ୍ଲୀ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଥିଲା । ତେବେ ଅରବିନ୍ଦ କେଜ୍ରିୱାଲଙ୍କ ଏହି ଜେଲ ଯିବା ତାଙ୍କ ପାଇଁ ପରବର୍ତ୍ତୀ ମୁହୂର୍ତ୍ତରେ କାଳ ହେଲା ବୋଲି ଅନେକ କହୁଛନ୍ତି ।
ସେହିପରି ଦିଲ୍ଲୀ ସରକାରରେ ଉପମୁଖ୍ୟମନ୍ତ୍ରୀ ଭାବେ କାର୍ୟ୍ୟ ତୁଲାଇଥିବା ମନୀଷ ସିସୋଦିଆ ମଧ୍ୟ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଜେଲ ଯାଇଥିଲେ ଆଉ ସିଏ ବି ଜଙ୍ଗପୁରା ଆସନରୁ ବିଜେପିର ତରବିନ୍ଦର ସିଂ ମାରୱାଙ୍କ ଠାରୁ ପରାଜିତ ହୋଇଛନ୍ତି । ସତ୍ୟୈନ୍ଦ୍ର ଜୈନ ହୁଅନ୍ତୁ କି ସୋମନାଥ ଭାରତୀ ସମସ୍ତେ ଅତୀତର ଜେଲ ସଜ୍ଜା ପାଇଁ ନିର୍ବାଚନରେ ଜନତା ସେମାନଙ୍କୁ ଶାସ୍ତି ଦେଇ ଥାଇପାରନ୍ତି ବୋଲି କୁହାଯାଉଛି ।