ଆମ୍ବ ଗୋଟାଇବାରୁ ନାବାଳକଙ୍କୁ ଗୁଳି କରି ହତ୍ୟା

ପାଟନା : ବିହାରର ଖଗରିଆ ଜିଲ୍ଲାରେ ଜଣେ ୧୦ ବର୍ଷୀୟ ନାବାଳକକୁ ଗୁଳି କରି ହତ୍ୟା କରାଯାଇଛି। ତେବେ ତା’ର ଭୁଲ୍‌ ଏତିକି ଥିଲା ଯେ, ସେ ଏକ ଆମ୍ବ ଉଦ୍ୟାନରୁ ତଳେ ପଡ଼ିଥିବା ଆମ୍ବ ଗୋଟାଉଥିଲା। ଏହି ଘଟଣା ଘଟିଛି ଖଗରିଆ ଜିଲ୍ଲା, ଗୋଗ୍ରି ଅଞ୍ଚଳ ଅନ୍ତର୍ଗତ ସେରଗଡ଼ ଗ୍ରାମରେ। ମାକୁନି ଯାଦବଙ୍କ ପୁଅ ସତ୍ୟମ୍‌ କୁମାର ଏକ ଆମ୍ବ ଉଦ୍ୟାନରୁ ତଳେ ପଡ଼ିଥିବା ଆମ୍ବ ଗୋଟାଉଥିବାବେଳେ ତାଙ୍କୁ ଉଦ୍ୟାନର ସୁରକ୍ଷା କର୍ମୀ ଗୁଳି କରିଥିଲେ। ଗୁଳି ସତ୍ୟମ୍‌ଙ୍କ ମୁଣ୍ଡରେ ବାଜିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି । ପୁଅକୁ ହରାଇ ଥିବା ମାକୁନି କହିଛନ୍ତି ମୋ ପୁଅର ଭୁଲ୍‌ ଏତିକି ଥିଲା ଯେ ସେ କେବଳ କିଛି ଆମ୍ବ ଗୋଟାଉଥିଲା। ସେଥିଲାଗି ତାକୁ ଗୁଳି କରି ମାରି ଦିଆଯାଇଛି। ତେବେ ଏହି ଖବର ପ୍ରଚାର ହେବାପରେ ସ୍ଥାନୀୟ ଅଞ୍ଚଳର ଅନେକ ଲୋକ ଏହା ବିରୋଧରେ ପ୍ରତିବାଦ କରିଛନ୍ତି ଏବଂ ଅଭିଯୁକ୍ତ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ପୁଲିସ ଏହି ମାମଲାରେ ଦୁଇଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ ମଧ୍ୟ କାହାକୁ ଗିରଫ କରିନାହିଁ।

ସମ୍ବନ୍ଧିତ ଖବର