ଗୁରୁଗ୍ରାମ ଗୁଳିକାଣ୍ଡ, ଆଖିବୁଜିଲେ ବିଚାରପତିଙ୍କ ପତ୍ନୀ

ମୃତ୍ୟୁ ସହ ସଂଗ୍ରାମ କରୁଛି ପୁଅ, ଗଠନ ହେଲା ଏସ୍‌ଆଇଟି ଧର୍ମ ପରିବର୍ତ୍ତନକୁ ନେଇ ହୋଇଥିଲା ବିବାଦ

ଗୁରୁଗ୍ରାମ: ଗୁରୁଗ୍ରାମ ଗୁଳିକାଣ୍ଡ ଘଟଣାରେ ଆହତ ହୋଇ ଚିକିତ୍ସିତ ହେଉଥିବା ବିଚାରପତି କୃଷ୍ଣକାନ୍ତ ଶର୍ମାଙ୍କ ପତ୍ନୀଙ୍କର ଆଜି ହସ୍ପିଟାଲ୍‌ରେ ମୃତ୍ୟୁ ଘଟିଛି। କିନ୍ତୁ ପୁଅ ଏବେ ବି ମୃତ୍ୟୁ ସହିତ ସଂଗ୍ରାମ କରୁଛି। ଶନିବାର ଅପରାହ୍ନରେ ଉଭୟ ମାଆପୁଅଙ୍କୁ ଶର୍ମାଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମଚାରୀ ଗୁଳି କରିଥିଲା। ସେମାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଅଭିଯୁକ୍ତ ସୁରକ୍ଷା କର୍ମଚାରୀକୁ ପୁଲିସ ୪ ଦିନ ପାଇଁ ରିମାଣ୍ଡରେ ନେଇଛି। ଏ ନେଇ ଏସ୍‌ଆଇଟି ଗଠନ କରାଯାଇଛି। ଏସ୍‌ଆଇଟିରେ ଡିସିପି, ଦୁଇଜଣ ଏସିପି ଏବଂ ୪ ଜଣ ଇନ୍ସପେକ୍ଟର ଅଛନ୍ତି।

ଶନିବାର ଗୁରୁଗ୍ରାମର ସେକ୍ଟର ୪୯ସ୍ଥିତ ଆର୍କାଡିଆ ମାର୍କେଟ୍‌ରେ ଏହି ଆକ୍ରମଣ ‌େହାଇଥିଲା। ଆକ୍ରମଣର କିଛି ଘଣ୍ଟା ପରେ ଅଭିଯୁକ୍ତକୁ ଗିରଫ କରାଯାଇଥିଲା। ଆଜି ଅଭିଯୁକ୍ତକୁ ଏଡିଜେ ପ୍ରିୟଙ୍କା ଜୈନ୍ କୋର୍ଟରେ ହାଜର କରାଇଥିଲେ। ଏହାପରେ ତାକୁ ୪ ଦିନ ପୁଲିସ ହାଜତକୁ ପଠାଇ ଦିଆଯାଇଛି। ପୁଲିସ ୭ ଦିନ ରିମାଣ୍ଡ ମାଗିଥିଲ‌ା। ଅତିରିକ୍ତ ଜିଲ୍ଲା ତଥା ସେସନ୍ସ ଜଜ୍‌ କୃଷ୍ଣକାନ୍ତଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀ ୪୦ ବର୍ଷୀୟ ମହିପାଲ୍‌ ଯାଦବ ହିନ୍ଦୁ ଧର୍ମ ତ୍ୟାଗ କରି ଈସାଈ ଧର୍ମ ଗ୍ରହଣ କରିବାରୁ ବିଚାରପତିଙ୍କ ପତ୍ନୀ ରିତୁ ଏଥିରେ ଅସନ୍ତୁଷ୍ଟ ଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବାରମ୍ବାର ଯୁକ୍ତିତର୍କ ହେଉଥିଲା। ବହୁବାର ବଚସା ହେବା ପରେ ମହିପାଲ୍‌ ଉତ୍ତ୍ୟକ୍ତ ହୋଇଯାଇଥିଲା।

ସମ୍ବନ୍ଧିତ ଖବର