ଜଳୁଛି ଇସ୍‌ଲାମାବାଦ

ଇସଲାମାବାଦ: ଇସ୍‌ଲାମିକ ସଂଗଠନଗୁଡ଼ିକର ହିଂସାତ୍ମକ ବିକ୍ଷୋଭ ଏବଂ ପାକିସ୍ତାନ ସରକାରଙ୍କ ଗଣମାଧ୍ୟମ ବିରୋଧୀ ଆଭିମୁଖ୍ୟ ପାକ୍‌ ରାଜଧାନୀ ଇସ୍‌ଲାମାବାଦରେ ଅଣାୟତ୍ତ ସ୍ଥିତି ସୃଷ୍ଟି କରିଛି। ତହରିକ୍‌ ଏ ଲବ୍ଦେକ ସଂଗଠନର କାର୍ଯ୍ୟକର୍ତ୍ତାମାନେ ନିର୍ବାଚନ ଆଇନକୁ ବିରୋଧ କରି ଧାରଣାରେ ବସିଥିବା ବେଳେ ପୁଲିସ ସେମାନଙ୍କୁ ଲାଠିମାଡ଼ କରି ଘଉଡ଼ାଇବା ପରେ ଏହି ସଂଗଠନର ହଜାର ହଜାର ସମର୍ଥକ ରାସ୍ତାକୁ ଓହ୍ଲାଇ ଭଙ୍ଗାରୁଜା କରିଛନ୍ତି। ପୁଲିସ ବାହିନୀ ଉପରେ ଆକ୍ରମଣ ପରେ ବିକ୍ଷୋଭକାରୀଙ୍କୁ ଘଉଡ଼ାଇବାକୁ ପୁଲିସକୁ ଗୁଳି ଚଳାଇବାକୁ ପଡ଼ିଥିଲା। ଏଥିରେ ୪ ଜଣ ବିକ୍ଷୋଭକାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ପୁଲିସ କର୍ମୀ ମଧ୍ୟ ନିହତ ହୋଇଥିବା ଜଣାପଡ଼ିଛି। ସହରର ଶତାଧିକ ସ୍ଥାନରେ ସଂଘର୍ଷ ଜାରି ରହିଥିବା ବେଳେ ପରିସ୍ଥିତି ନିୟନ୍ତ୍ରଣ ପାଇଁ ସେନାକୁ ଦାୟିତ୍ୱ ଦିଆଯାଇଛି। ମୃତ୍ୟୁ ସଂଖ୍ୟା ନେଇ ସରକାରୀ ଭାବେ କିଛି ସ୍ପଷ୍ଟ କରାଯାଇନାହିଁ। ଘଟଣାର ଟେଲିଭିଜନ ପ୍ରସାରଣ ଉପରେ ସରକାର ଅଙ୍କୁଶ ଲଗାଇଥିବାରୁ ପାକିସ୍ତାନ ଗଣମାଧ୍ୟମ ସଂସ୍ଥା ଏହାର ଜୋର୍‌ଦାର ପ୍ରତିବାଦ କରି ସମସ୍ତ ପ୍ରସାରଣ ବନ୍ଦ ରଖିଥିବା ଜଣାପଡ଼ିଛି। ପୁଲିସର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଆନ୍ଦୋଳନକାରିମାନେ ଭୀଷଣ ପୋଡ଼ାଜଳା କରିଛନ୍ତି। ପୁଲିସର ବହୁ ଗାଡ଼ିରେ ନିଆଁ ଲଗାଇ ଦିଆଯାଇଥିବା ବେଳେ ପୁଲିସ ଶିବିରଗୁଡ଼ିକ ଉପରେ ମଧ୍ୟ ଆକ୍ରମଣ ହୋଇଛି । ପୁଲିସ-ଆନ୍ଦୋଳନକାରୀ ସଂଘର୍ଷରେ ୧୫୦ରୁ ଅଧିକ ଆହତ ହୋଇଛନ୍ତି।

ନୂଆ ନିର୍ବାଚନ ଆଇନକୁ ରଦ୍ଦ କରିବା ଏବଂ ଆଇନ ମନ୍ତ୍ରୀ ଜାହିଦ୍‌ ହମିଦ୍‌ଙ୍କ ଇସ୍ତଫା ଦାବିରେ ଶୁକ୍ରବାର ରାତିରୁ ଆନ୍ଦୋଳନକାରୀମାନେ ବିକ୍ଷୋଭ ପ୍ରଦର୍ଶନ ପାଇଁ ଏକଜୁଟ ହେବାରେ ଲାଗିଥିଲେ। ଆଜି ପ୍ରାୟ ୨,୦୦୦ ପାଖାପାଖି ଆନ୍ଦୋଳନକାରୀ ରାଜଧାନୀ ଇସଲାମାବାଦର ମୁଖ୍ୟରାସ୍ତାକୁ ଅବରୋଧ କରିବାରୁ ଆଇନ ଶୃଙ୍ଖଳା ପରିସ୍ଥିତି ହୋଇଥିଲା। ସେମାନଙ୍କୁ ମୁକାବିଲା କରିବା ପାଇଁ ପାଖାପାଖି ୮,୫୦୦ ସୁରକ୍ଷା କର୍ମୀ ନିୟୋଜିତ ଥିଲେ। ତେବେ ବିକ୍ଷୋଭକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସୁରକ୍ଷା କର୍ମୀମାନେ ପ୍ରସ୍ତୁତ ଥିବା ବେଳେ ଘଟଣାସ୍ଥଳରୁ ପ୍ରତ୍ୟକ୍ଷଦର୍ଶୀ ବିବରଣୀର ସିଧା ପ୍ରସାରଣ ନକରିବା ପାଇଁ ସରକାର ସମସ୍ତ ବେସରକାରୀ ଟେଲିଭିଜନ୍‌ ଚ୍ୟାନେଲ୍‌କୁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ବିକ୍ଷୋଭ ଆହୁରି ଉଗ୍ରରୂପ ନେଇଥିଲା। ଆନ୍ଦୋଳକାରୀଙ୍କୁ ଘଉଡ଼ାଇବା ପାଇଁ ପୁଲିସ ଓ ସୁରକ୍ଷା କର୍ମୀମାନେ ଲାଠିଚାର୍ଜ ସାଙ୍ଗକୁ ଲୁହବୁହା ବାଷ୍ପ ପ୍ରୟୋଗ ଓ ପରେ ଗୁଳିମାଡ଼ କରିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ବିକ୍ଷୋଭକାରୀମାନେ ଢେଲାମାଡ଼ କରିବା ସାଙ୍ଗକୁ ପୁଲିସ ଗାଡ଼ି ସମେତ ରାସ୍ତାରେ ଥିବା ବିଭିନ୍ନ ଯାନବାହନରେ ଜଳାପୋଡ଼ା ଆରମ୍ଭ କରିଦେଇଥିଲେ। ସମଗ୍ର ଇସ୍‌୍‌ଲାମାବାଦରେ ପ୍ରବଳ ଉତ୍ତେଜନା ଲାଗି ରହିଛି। ପାକ୍‌୍‌ ସରକାରଙ୍କ ବିଭିନ୍ନ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀଙ୍କ ସୁରକ୍ଷା ବଢ଼ାଇ ଦିଆଯାଇଛି।

ବାଲୁଚିସ୍ତାନରେ ଆତ୍ମଘାତୀ ଆକ୍ରମଣ: ୫ ମୃତ, ୨୦ ଆହତ

କରାଚି: ପାକିସ୍ତାନର ବାଲୁଚିସ୍ତାନ ଅନ୍ତର୍ଗତ ଦକ୍ଷିଣପଶ୍ଚିମ କ୍ୱେଟା ସହରରେ ଶନିବାର ସୁରକ୍ଷା କର୍ମୀଙ୍କ ଗାଡ଼ିକୁ ନିଶାଣ କରି ଏକ ଆତ୍ମଘାତୀ ବୋମା ବିସ୍ଫୋରଣ ହୋଇଛି। ଏଥିରେ ଅତି କମ୍‌ରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି। ଅପରପକ୍ଷେ, ତାଲିବାନ ଆତଙ୍କବାଦୀ ସଂଗଠନ ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଥିବା ଜଣାଯାଇଛି। ପାକିସ୍ତାନ ସୀମା ସୁରକ୍ଷା ବାହିନୀର ଯବାନମାନେ ଏକ ଗାଡ଼ିରେ ଯାଉଥିବା ବେଳେ କ୍ୱେଟା ବସ୍‌ଷ୍ଟାଣ୍ଡ୍‌ ନିକଟ ସର‍୍ୟାବ ରୋଡ୍‌ରେ ଏହି ବୋମା ବିସ୍ଫୋରିତ ହୋଇଥିଲା। ସୀମା ସୁରକ୍ଷା ବାହିନୀର କମାଣ୍ଡରଙ୍କୁ ଟାର୍ଗେଟ୍‌ କରାଯାଇଥିବା ବେଳେ ସେ ଗାଡ଼ିରେ ନଥିଲେ। ତେବେ ଏଥିରେ ଅନ୍ୟ ୫ ଜଣ ସୁରକ୍ଷା କର୍ମୀଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ସେହିପରି ଜଣେ ଶିଶୁ ସମେତ ୨୦ ଜଣ ଆହତ ହୋଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର