ଏନ୍‌ସିଆର୍‌ବି ରିପୋର୍ଟ : ଆସିବାର ୫୩ ଦିନ ମଧ୍ୟରେ ବଜାରରେ ଉପଲବ୍ଧ ଥିଲା ଜାଲ୍‌ ୨୦୦୦ ଟଙ୍କିଆ ନୋଟ୍‌

ନୂଆଦିଲ୍ଲୀ: ୨୦୧୬ ନଭେମ୍ବର ୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେତେବେଳେ ବିମୁଦ୍ରାୟନ ଘୋଷଣା କଲେ, ସେତେବେଳେ ସେ କହିଥିଲେ ଯେ ଦେଶ ମଧ୍ୟକୁ ବିପୁଳ ମାତ୍ରାରେ ୧୦୦୦ ଓ ୫୦୦ ଟଙ୍କିଆ ନୋଟର ଜାଲି ନୋଟ୍‌ ପଶି ଆସିଛି। ତେଣୁ, ସେ ୧୦୦୦ ଓ ୫୦୦ ଟଙ୍କିଆ ନୋଟକୁ ଅଚଳ ଘୋଷଣା କରି ନୂତନ ୨୦୦୦ ଓ ୫୦୦ ଟଙ୍କିଆ ନୋଟର ପ୍ରଚଳନ କରିବା ଉଦ୍ଦେଶ୍ୟରେ ବିମୁଦ୍ରାୟନ ବା ନୋଟବନ୍ଦୀ ଘୋଷଣା କରିବାକୁ ସରକାର ବାଧ୍ୟ ହେଲେ। ସେ ସମୟରେ ଦେଶବାସୀଙ୍କୁ ଆଶ୍ୱାସନା ପ୍ରଦାନ କରିବାକୁ ଯାଇ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ ସରକାର ଯେଉଁ ନୂତନ ୨୦୦୦ ଓ ୫୦୦ ଟଙ୍କିଆ ନୋଟ୍‌ର ପ୍ରଚଳନ କରିବାକୁ ଯାଉଛନ୍ତି, ସେଥିରେ ଏମିତି ସବୁ ସୁରକ୍ଷା ବ୍ୟବସ୍ଥା ରଖାଯାଇଛି ଯେ ତାହାର କେହି କେବେ ହେଲେ ବି ନକଲ କରି ଜାଲି ନୋଟ୍‌ ପ୍ରସ୍ତୁତ କରିପାରିବେ ନାହିଁ।

ମାତ୍ର ଏହା ଏବେ ଭୁଲ୍‌ ପ୍ରମାଣିତ ହୋଇଛି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ପକ୍ଷରୁ ଗତ ନଭେମ୍ବର ୩୦ରେ ପ୍ରକାଶିତ ହୋଇଥିବା ରିପୋର୍ଟରେ କୁହାଯାଇଛି ଯେ ଗତ ୨୦୧୬ ନଭେମ୍ବର ୮ରୁ ଡିସେମ୍ବର ୩୧ ତାରିଖ ମଧ୍ୟରେ ଦେଶରୁ ୨,୨୭୨ ଖଣ୍ଡ ଜାଲି ୨୦୦୦ ଟଙ୍କିଆ ନୋଟ୍‌ ଜବତ ହୋଇଥିଲା। ଅର୍ଥାତ୍‌ ନୂଆ ୨୦୦୦ ଟଙ୍କିଆ ନୋଟ୍‌ ପ୍ରଚଳନ ହେବାର ମାତ୍ର ୫୩ ଦିନ ମଧ୍ୟରେ ଏହାର ଜାଲ୍‌ ନୋଟ ବଜାରକୁ ଆସିଯାଇଥିଲା।

Hindustan Times

ଦେଶରୁ ବିଭିନ୍ନ ସ୍ଥାନରୁ ଜବତ ହୋଇଥିବା ୨,୨୭୨ ଖଣ୍ଡ ଜାଲି ୨୦୦୦ ଟଙ୍କିଆ ନୋଟ୍‌ ନୋଟ ମଧ୍ୟରୁ ସର୍ବାଧିକ ୧,୩୦୦ ଖଣ୍ଡ ଗୁଜୁରାଟରୁ ଜବତ ହୋଇଥିବା ବେଳେ ପଞ୍ଜାବରୁ ୫୪୮, କର୍ଣ୍ଣାଟକରୁ ୨୫୪, ତେଲେଙ୍ଗାନାରୁ ୧୧୪, ମହାରାଷ୍ଟ୍ରରୁ ୨୭, ମଧ୍ୟପ୍ରଦେଶରୁ ୮, ରାଜସ୍ଥାନରୁ ୬, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ ଓ ହରିୟାଣା ପ୍ରତ୍ୟେକରୁ ୩ ଖଣ୍ଡ ଲେଖାଁଏ, ଜମ୍ମୁ-କଶ୍ମୀର ଓ କେରଳରୁ ୨ ଖଣ୍ଡ ଲେଖାଁଏ ଏବଂ ମଣିପୁର ଓ ଓଡ଼ିଶାରୁ ଖଣ୍ଡେ ଲେଖାଁଏ ଜାଲି ନୋଟ୍‌ ଜବତ ହୋଇଥିଲା। ତେବେ, ଏହି ସମୟ ମଧ୍ୟରେ ସମଗ୍ର ଦେଶରୁ ଜବତ ହୋଇଥିବା ୨୮୧,୮୩୯ ଖଣ୍ଡ ଜାଲି ନୋଟ ମଧ୍ୟରେ ୨,୨୭୨ ଖଣ୍ଡ ଜାଲି ୨୦୦୦ ଟଙ୍କିଆ ନୋଟ୍‌ ଜବତ ହୋଇଥିବା ବେଳେ ୮୨,୪୯୪ଖଣ୍ଡ ୧୦୦୦ ଟଙ୍କିଆ ନୋଟ୍‌, ୧୩୨,୨୨୭ ଖଣ୍ଡ ୫୦୦ ଟଙ୍କିଆ ନୋଟ୍‌, ୫୯,୭୧୩ ଖଣ୍ଡ ୧୦୦ ଟଙ୍କିଆ ନୋଟ୍‌ ଓ ୨,୧୩୭ ଖଣ୍ଡ ୫୦ ଟଙ୍କିଆ ଜାଲି ନୋଟ୍‌ ଜବତ ହୋଇଥିବା ଗୃହ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ଏନ୍‌ସିଆର୍‌ବି ରିପୋର୍ଟରୁ ଜଣାପଡ଼ିଛି।

୨୦୧୬ରେ ଜବତ ହୋଇଥିବା ଜାଲିନୋଟଗୁଡ଼ିକୁ ମୂଲ୍ୟ ଦୃଷ୍ଟିରୁ ହିସାବ କଲେ ଏହାର ମୋଟ ମୂଲ୍ୟ ହେବ ୧୦୧,୨୨୨,୮୨୧ ଟଙ୍କା। ମୂଲ୍ୟ ଦୃଷ୍ଟିରୁ ସର୍ବାଧିକ ୫୬,୫୨୧,୪୬୦ ଟଙ୍କାର ଜାଲି ନୋଟ୍‌ ରାଜଧାନୀ ଦିଲ୍ଲୀରୁ ଜବତ କରାଯାଇ ଥିବାବେଳେ ଗୁଜୁରାଟରୁ ୨୩,୭୨୪,୦୫୦ ଟଙ୍କା ମୂଲ୍ୟର ଜାଲି ନୋଟ ଜବତ ହୋଇଥିଲା।

ସମ୍ବନ୍ଧିତ ଖବର