କରୋନା ଭାଇରସ୍‌ ସଂକ୍ରମଣ ନେଇ ପ୍ରସାରିତ ହେଉଛି ଅନେକ ଗୁଜବ; ବିଶ୍ବାସ କରିବା ପୂର୍ବରୁ ପରଖିବା ଜରୁରୀ

ନୂଆଦିଲ୍ଲୀ: କରୋନା ଭାଇରସ୍‌କୁ ନେଇ ପୂର୍ବରୁ ଅନେକ ଖବର ବିଭିନ୍ନ ଗଣମାଧ୍ୟମରେ ଗୁଜବ ଆଧାରିତ ଖବର ବା ଫେକ ନ୍ୟୁଜ୍ ପ୍ରକାଶ ପାଇଛି।  ନିକଟରେ କିଛି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା କି ଭାରତରେ ପ୍ରାୟ ୪୦ କୋଟି ଭାରତୀୟ ଏହି ମାରାତ୍ମକ ଭାଇରସ୍‌ ଦ୍ବାରା କବଳିତ ହେବାକୁ ଯାଉଛନ୍ତି। ଏହି ରିପୋର୍ଟର ଆଧାର ଥିଲା ସେଣ୍ଟର୍‌ ଫର୍‌ ଡିଜିଜ୍‌ ଡାଇନାମିକ୍ସ ଇକୋନୋମିକ୍ସ ଆଣ୍ଡ୍‌ ପଲିସି (ସିଡିଡିଇପି)- ଜନ୍‌ ହପ୍‌କିନ୍ସ ୟୁନିଭରସିଟି ପକ୍ଷରୁ କରାଯାଇଥିବା ଅନୁଧ୍ୟାନ। ଜାତୀୟ ପୋର୍ଟାଲ୍‌ଗୁଡ଼ିକ ଏହି ଦୁଇ ସଂସ୍ଥା ଦ୍ବାରା କରାଯାଇଥିବା ଅନୁଧ୍ୟାନ ଉପରେ ଏହି ତଥ୍ୟ ସାମ୍ନାକୁ ଆଣିଥିଲେ।  ତେବେ ଏହା ଫେକ ବୋଲି ଜଣାପଡ଼ିଛି।

ପୂର୍ବରୁ ଜନ୍‌ ହପ୍‌କିନ୍ସ ୟୁନିଭରସିଟି ନାମରେ ଏକ ରିପୋର୍ଟରେ ପ୍ରକାଶ ପାଇଥିଲା ଯେ ଆଗାମୀ ଦୁଇ ମାସ ମଧ୍ୟରେ ଭାରତରେ ୨୦ କୋଟି ଲୋକ କରୋନା ଭାଇରସ୍‌ ଦ୍ବାରା ଆକ୍ରାନ୍ତ ହେବେ। ସମାଜିକ ଦୂରତ୍ବ ନ ରଖିଲେ ଭାରତରେ ଏପରି ଏକ ସମସ୍ୟା ବଢ଼ି ବଢ଼ି ଚାଲିବ। ଆହୁରି ବି କୁହାଯାଇଥିଲା ଯେ ଚଳିତବର୍ଷ ଜୁଲାଇ-୍ଅଗଷ୍ଟ ମାସ ବେଳକୁ ଯାଇ ଭାରତ ଏହି ଭାଇରସ୍‌ କବଳରୁ ଧୀରେ ଧୀରେ ନିଜକୁ ମୁକ୍ତ କରିବାରେ ସମର୍ଥ ହେବ।

ମାତ୍ର ଏପରି ଏକ ଅନୁଧ୍ୟାନ  ପ୍ରକାଶ କରିଥିବା ନେଇ ଅସ୍ବୀକାର କରିଛି ଜନ୍‌ ହପ୍‌କିନ୍ସ ୟୁନିଭରସିଟି। ୟୁନିଭରସିଟିର ଲୋଗୋ ବ୍ୟବହାର କରି କୌଣସି ଗଣମାଧ୍ୟମ ସଂସ୍ଥା ଏଭଳି ଭାବେ ତଥ୍ୟ ଦେବା ଉଚିତ ନୁହେଁ ବୋଲି ଟ୍ବିଟ୍‌ କରି ସୂଚୀତ କରାଯାଇଛି। ଖାଲି ସେତିକି ନୁହେଁ, ୟୁନିଭରସିଟି ଏପରି ରିପୋର୍ଟକୁ ଅସ୍ବୀକାର କରିବା ପରେ କେତେକ ପୋର୍ଟାଲ୍‌  ନିଜ ପେଜ୍‌ରୁ ଖବର ହଟାଇ ଦେଇଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର