ବେଙ୍ଗାଲୁରୁ: ସେନାରେ ନିଯୁକ୍ତି ଦେବାକୁ କହି ୧୫୦ ଆଶାୟୀଙ୍କୁ ୧ କୋଟି ଟଙ୍କା ଠକିଥିବା ର‍୍ୟାକେଟ୍‌ର ପର୍ଦ୍ଦାଫାସ ହୋଇଛି। କର୍ଣ୍ଣାଟକ ପୁଲିସ ଶୁକ୍ରବାର ୧୫୦ ଜଣ ସଶସ୍ତ୍ର ବାହିନୀରେ ନିଯୁକ୍ତି ଆଶାୟୀଙ୍କ ଠାରୁ ୧ କୋଟି ଟଙ୍କା ଠକି ନେଇଥିବା ନକଲି ସେନା ନିଯୁକ୍ତି ଦୁର୍ନୀତିର ପର୍ଦ୍ଦାଫାସ କରିଛି। ବେଙ୍ଗାଲୁରୁରେ ଥିବା ଭାରତୀୟ ସେନାର ମିଲିଟାରି ଇଣ୍ଟେଲିଜେନ୍‌ସ ୟୁନିଟ ସହ ସମନ୍ଵୟ ରକ୍ଷା କରି ଏହି ଅପରେସନ କରାଯାଇଥିଲା।

Advertisment

ଏହି ଅପରେସନରେ ଦୁର୍ନୀତିରେ ସମ୍ପୃକ୍ତ ଥିବା ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଦୁହେଁ ପାଖାପାଖି ୧୫୦ ଜଣଙ୍କୁ ଭାରତୀୟ ସଶସ୍ତ୍ର ବାହିନୀରେ ଚାକିରି ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏଥିପାଇଁ ଦୁହେଁ ସଂପୃକ୍ତ ୧୫୦ ଜଣଙ୍କଠାରୁ ପାଖାପାଖି ୧ କୋଟି ଟଙ୍କା ଆଦାୟ କରିଥିଲେ।

ଏ ସଂପର୍କରେ ଜଣେ ଆଶାୟୀ ଥାନାରେ ଅଭିଯୋଗ କରିବା ପରେ ଏହି ଦୁର୍ନୀତିର ପର୍ଦ୍ଦାଫାସ ହୋଇଥିଲା  ଗିରଫ ହୋଇଥିବା ଦୁଇ ଜଣଙ୍କ ବିରୋଧରେ ପୁଲିସ ଏତଲା ରୁଜୁ କରିଛି। ଉଭୟଙ୍କ ନିକଟରେ ନକଲି ପରିଚୟପତ୍ର ଓ ନକଲି ସେନା ନିଯୁକ୍ତି ସମ୍ବନ୍ଧୀୟ କାଗଜପତ୍ର ଥିବା ଜଣା ପଡ଼ିଥିଲା। ଏସସବୁକୁ ମଧ୍ୟ ପୁଲିସ ଜବତ କରିଛି।