ଗାନ୍ଧୀନଗର: ମାସେ ବ୍ୟାପୀ ଗ୍ରୀଷ୍ମ ଅବକାଶ ପରେ ଆଜି ଗୁଜରାଟ ହାଇକୋର୍ଟର ପ୍ରଥମ ଦିନ ଥିଲା। କୋର୍ଟ ଖୋଲିବାର କିଛି ମିନିଟ୍‌ ମଧ୍ୟରେ କୋର୍ଟକୁ ବୋମା ବିସ୍ଫୋରଣ ଦ୍ବାରା ଉଡ଼ାଇ ଦେବାକୁ ଧମକ ମିଳିଛି। ମୁଖ୍ୟ ବିଚାରପତି ସୁନିତା ଅଗ୍ରୱାଲ୍‌ଙ୍କ ସ୍ବାକ୍ଷରିତ କୋର୍ଟ ରେଜିଷ୍ଟାର ଜେନେରାଲ୍‌ କାର୍ଯ୍ୟାଳୟରୁ ଜାରି ବିଜ୍ଞପ୍ତି ଅନୁସାରେ, କେତେକ ଅପରିହାର୍ଯ୍ୟ ପରିସ୍ଥତି ଯୋଗୁଁ, ମଧ୍ୟାହ୍‌ଣ ଖାଦ୍ୟ ବିରତି ପରେ, ଅର୍ଥାତ୍‌ ୧ଟା ୪୫ ମିନିଟ୍‌ ପରେ କୋର୍ଟ କାର୍ଯ୍ୟକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି। 

Advertisment

ସମସ୍ତ ଓକିଲଙ୍କୁ ଏହା ସୂଚିତ କରାଯାଉଛି ଯେ ସେମାନେ ଯେତେ ଶୀଘ୍ର ପାରିବେ କୋର୍ଟ ପରିସର ଛାଡ଼ି ଚାଲିଯାନ୍ତୁ। କାରଣ ସମଗ୍ର କୋର୍ଟ ପରିସରର ସୁରକ୍ଷା ଯାଞ୍ଚ କରାଯିବ। ପୁଲିସ ଠାରୁ ମିଳିଥିବା ସୂଚନାନୁସାରେ, ଆଜି ପୂର୍ବାହ୍‌ଣରେ କୋର୍ଟ ଇମେଲ୍‌କୁ ଏକ ଧମକପୂର୍ଣ୍ଣ ଇମେଲ୍‌ ମିଳିଥିଲା। ଏନେଇ କୋର୍ଟ ପକ୍ଷରୁ ସୂଚିତ କରାଯାଇଥିଲା। ସୂଚନା ପାଇ ୬ଟି ବୋମା ନିଷ୍କ୍ରିୟକାରୀ ଦଳ ସହ ସନ୍ଧାନୀ କୁକୁର ଦଳ, ପୁଲିସ୍‌ ଟିମ୍‌ କୋର୍ଟ ପରିସରରେ ପହଞ୍ଚିଥିଲେ। କୋର୍ଟ ପରିସରରୁ କୌଣସି ସନ୍ଦିଗ୍ଧ ସାମଗ୍ରୀ କିମ୍ବା ବିସ୍ଫୋରକ ଜବତ ହୋଇନାହିଁ। ଏହା ଏକ ମିଛ ‌ଧମକ ଥିଲା ବୋଲି ଜଣାଯାଇଛି।