ଭୁଲ୍‌ ବ୍ୟାଖ୍ୟା ଓ ବିଭ୍ରାନ୍ତି

ନୂଆଦିଲ୍ଲୀ: ମୁସ୍‌ଲିମ ମହିଳାଙ୍କ ବିବାହ ଅଧିକାର ସୁରକ୍ଷା ବିଲ୍‌-୨୦୧୭ (ତିନି ତଲାକ୍‌ ବିଲ୍‌) ଆଜି ସଂସଦରେ ଆଗତ ହେବା ସହ ଏହାକୁ ନେଇ ବଡ଼ ଧରଣର ବିବାଦ ମୁଣ୍ଡ ଟେକିଛି। ଏଥିରେ ଥିବା ଅସଙ୍ଗତି ଓ ବିରୋଧାଭାଷ ଯୋଗୁଁ ଏହି ବିଲ୍‌ ତିନି ତଲାକ୍‌ ପୀଡ଼ିତା ମହିଳାଙ୍କୁ କିଭଳି ନ୍ୟାୟ ପ୍ରଦାନ କରିବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତିନି ତଲାକ୍‌ ସଂପର୍କିତ ସାମନ୍ତବାଦୀ ଚିନ୍ତାଧାରାକୁ ହଟାଇ ମହିଳାଙ୍କୁ ନ୍ୟାୟ ପ୍ରଦାନ ପାଇଁ ସୁପ୍ରିମ୍‌ କୋର୍ଟ ଗୁରୁତ୍ୱ ଦେଇଥିବା ବେଳେ ସରକାର ଏହାର ଭୁଲ୍‌ ବ୍ୟାଖ୍ୟା କରିଥିବା ତଥ୍ୟାଭିଜ୍ଞ ମହଲ ମତ ଦେଇଛନ୍ତି। ସରକାର ଏ ବାବଦରେ ଯେଉଁ ଆଇନ ପ୍ରସ୍ତୁତ କରିଛନ୍ତି ସେଥିରେ ତିନି ତଲାକ୍‌ ଉଚ୍ଚାରଣକୁ ଅପରାଧିକ ମାମଲା ଭାବେ ଗ୍ରହଣ କରି ଏହାକୁ ଛାଡ଼ପତ୍ର ପାଇଁ ମଧ୍ୟ ନିର୍ଣ୍ଣାୟକ ଭାବେ ଗ୍ରହଣ କରିନେଇଥିବାରୁ ଆଇନଗତ ଜଟିଳତା ବଢ଼ିବ ବାଲି କୁହାଯାଉଛି।

ତତ୍କାଳ ତିନି ତଲାକ ତଥା ତଲାକ୍‌ ଏ ବିଦ୍ଦତକୁ ବିଲ୍‌ରେ ଦଣ୍ଡନୀୟ ଅପରାଧ ଭାବେ ଗ୍ରହଣ କରାଯାଇଛି ଏବଂ ଏହାକୁ ଏକପ୍ରକାର ଚୂଡ଼ାନ୍ତ ଛାଡ଼ପତ୍ର ଭାବେ ଗ୍ରହଣ କରି ଦଣ୍ଡାଦେଶ କାର୍ଯ୍ୟକାରୀ ସହ କ୍ଷତିପୂରଣ କଥା ଉଲ୍ଲେଖ କରାଯାଇଛି। ଅଗଷ୍ଟ ୨୨, ୨୦୧୭ରେ ସାୟରା ବାନୋ ମାମଲାରେ ସୁପ୍ରିମ୍‌ କୋର୍ଟ ତିନି ତଲାକକୁ ବେଆଇନ ଘୋଷଣା କରିଥିଲେ। ଏହା ଏକ ମଧ୍ୟଯୁଗୀୟ ସ୍ୱେଚ୍ଛାଚାରୀ ବ୍ୟବସ୍ଥା ବୋଲି କୋର୍ଟ ରାୟ ଦେଇଥିଲେ। ତେବେ ତିନି ତଲାକ ବିଲ୍‌ର ଧାରା ୩, ୪ ଏବଂ ୭ରେ ଏହାକୁ ଅପରାଧିକ ମାମଲା ଭାବେ ଗ୍ରହଣ ସହ ଏହାକୁ ଛାଡ଼ପତ୍ରର ଚୂଡ଼ାନ୍ତ ପ୍ରକ୍ରିୟା ଭାବେ ଗ୍ରହଣ କରାଯାଇଥିବାରୁ ବିବାଦର ସମାଧାନ ପାଇଁ କ୍ଷେତ୍ର ସଙ୍କୁଚିତ କରିଦିଆଯାଇଛି। ତିନି ତଲାକ୍‌ ଉଚ୍ଚାରଣକୁ ଏକ ଧର୍ତ୍ତବ୍ୟ ଅପରାଧ ଗ୍ରହଣ କରାଯାଇଥିବା ବେଳେ ଏହାକୁ ବିବାହ ବିଚ୍ଛେଦ ସହ ଯୋଡ଼ି ଦିଆଯାଇଥିବାରୁ ମହିଳାଙ୍କ ଭବିଷ୍ୟତକୁ ଏହା ସଙ୍କଟାପନ୍ନ କରିବ ବୋଲି ଆଶଙ୍କା ରହିଛି । ତିନି ତଲାକ ଉଚ୍ଚାରଣଜନିତ ସାଧାରଣ ଅପରାଧକୁ ଜଟିଳ ସ୍ଥିତିରେ ପହଞ୍ଚାଇ ଦେଲାଭଳି ବ୍ୟବସ୍ଥା ରହିଥିବାରୁ ଏହା କାର୍ଯ୍ୟକାରୀ ହେବାନେଇ ସନ୍ଦେହ ପ୍ରକାଶ ପାଇଛି। ଛାଡ଼ପତ୍ରର ଆଧାର ଭାବେ ତିନି ତଲାକ ଉଚ୍ଚାରଣକୁ ଗ୍ରହଣ କରି ସେହି ଅନୁସାରେ ଭରଣ ପୋଷଣ ବ୍ୟବସ୍ଥା କଥା ବିଲ୍‌ରେ ଉଲ୍ଲେଖ ରହିଥିବା ବେଳେ କେବଳ ଏକ ଅପରାଧିକ କାର୍ଯ୍ୟକୁ ଆଧାରଣ କରି ଭରଣପୋଷଣ ମାମଲା କିଭଳି କାର୍ଯ୍ୟକାରୀ ହେବ ସେ ନେଇ ସମସ୍ୟା ଉପୁଜିଛି। ଯେଉଁଠି ତିନି ତଲାକ ମାମଲାରେ ସମାଧାନର ସମସ୍ତ ସମ୍ଭାବନା ଥିବ, ସେ କ୍ଷେତ୍ରରେ ସରକାର ବିଲ୍‌ ନିରବ ରହିଥିବାରୁ କେତେକ ମହଲ ଉଦ୍‌ବେଗ ପ୍ରକାଶ କରିଛନ୍ତି।

ପାକିସ୍ତାନ ମୁସଲିମ ପରିବାର ଆଇନ ଅଧ୍ୟାଦେଶ (୧୯୬୧)କୁ ଅନୁସରଣ କରି ସରକାର ବିଲ୍‌ରେ କିଛି ନୂଆ ବ୍ୟବସ୍ଥା କଲେ ତିନି ତଲାକ ବାବଦରେ ମହିଳାଙ୍କୁ ନ୍ୟାୟ ମିଳିବ ବୋଲି କୁହାଯାଉଛି ।ପାକ୍‌ ଆଇନ ଅନୁଯାୟୀ ଯଦି କେହି ପୁରୁଷ ନିଜ ପତ୍ନୀଙ୍କୁ ତିନି ତଲାକ୍‌ ମାଧ୍ୟମରେ ଛାଡ଼ପତ୍ର ଦେବାକୁ ଚାହୁଥିବ ତା’ହେଲେ ସେ ଏ ବାବଦରେ ଲିଖିତ ଭାବେ ସରକାରଙ୍କ ଦ୍ୱାରା ନିଯୁକ୍ତ କ୍ଷମତାପ୍ରପାପ୍ତ କମିଟିକୁ ଅବଗତ କରାଇବ। କମିଟି ଅଧ୍ୟକ୍ଷ ନୋଟିସ୍‌ ପାଇବାର ୩୦ ଦିନ ଭିତରେ ମାମଲାର ସମାଧାନ ପାଇଁ ଉଭୟ ପକ୍ଷଙ୍କ ସହ ଅଲୋଚନା କରିବେ। ଉଭୟ ପକ୍ଷର ସମସ୍ୟା ଶୁଣିବା ପରେ ଏଥିରେ ବୁଝାମଣା ପାଇଁ ପଦକ୍ଷେପ ନିଆଯିବ। ଅଧ୍ୟକ୍ଷଙ୍କୁ ନୋଟିସ୍‌ ମିଳିବାର ୯୦ ଦିନ ମଧ୍ୟରେ ତଲାକ୍‌ ପ୍ରକ୍ରିୟା କାର୍ଯ୍ୟକାରୀ ହୋଇପାରିବ ନାହିଁ। କେବଳ ଛାଡ଼ପତ୍ର ଉଦ୍ଦେଶ୍ୟରେ ତିନି ତଲାକ କହୁଥିବା ବ୍ୟକ୍ତିଙ୍କ ପାଇଁ ୧ ବର୍ଷ ଜେଲ୍‌ ଦଣ୍ଡ ବ୍ୟବସ୍ଥା ରହିଛି। ତେବେ ସାମାନ୍ୟ କାରଣରୁ ଉପରଠାଉରିଆ ଭାବେ ତିନି ତଲାକ୍‌ ଉଚ୍ଚାରଣ ପାଇଁ କୌଣସି ଦଣ୍ଡାଦେଶ ବ୍ୟବସ୍ଥା ପାକିସ୍ତାନରେ ନାହିଁ।

ସମ୍ବନ୍ଧିତ ଖବର