ଭୋପାଲ:  ମଧ୍ୟପ୍ରଦେଶରେ ମାତିଛି ନକଲି ଡାକ୍ତର । ଦାମୋହ ଜିଲ୍ଲାର ଏକ ହସ୍ପିଟାଲରେ ନକଲି ହୃଦରୋଗ ଡାକ୍ତରଙ୍କ ଚିକିତ୍ସାରେ ୭ ଜଣଙ୍କ ମୃତ୍ୟୁ ଘଟିଛି । ଜାତୀୟ ମାନବାଧିକାର କମିଶନ ସଦସ୍ୟ ପ୍ରିୟଙ୍କ କାନୁନଗୋ କହିଛନ୍ତି, ଜଣେ ନକଲି ଡାକ୍ତର ହୃଦରୋଗ ଅସ୍ତ୍ରୋପଚାର କରି ଅନେକ ଲୋକଙ୍କ ମୃତ୍ୟୁ ଘଟାଇଥିବା ନେଇ ଅଭିଯୋଗ ଆସିଥିଲା । ଆୟୁଷ୍ମାନ ଭାରତ ଯୋଜନାରେ ଏହି ହସ୍ପିଟାଲ ସରକାରଙ୍କ ଠାରୁ ଟଙ୍କା ନେଉଥିବା ମଧ୍ୟ ସୂଚନା ମିଳିଛି । 

Advertisment

ଘଟଣାରେ ଅଧିକ ତଦନ୍ତ ଜାରି ରହିଥିବା ବେଳେ ଇତି ମଧ୍ୟରେ ଡାକ୍ତରଙ୍କୁ ଗିରଫ କରାଯାଇଛି । ଜଣେ ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁଯାୟୀ, ଡାକ୍ତର ଏନ୍ ଜନ୍ କାଇମ୍ ନାମକ ଜଣେ ବ୍ୟକ୍ତି ଦମୋହସ୍ଥିତ ମିଶନ ହସ୍ପିଟାଲରେ ରୋଗୀଙ୍କ ଚିକିତ୍ସା କରୁଥିଲେ । ଉକ୍ତ ବ୍ୟକ୍ତିଙ୍କ ପ୍ରକୃତ ନାମ ନରେନ୍ଦ୍ର ବିକ୍ରମାଦିତ୍ୟ ଯାଦବ । ନରେନ୍ଦ୍ର ବିକ୍ରମାଦିତ୍ୟ ଯାଦବ ବ୍ରିଟେନର ପ୍ରଖ୍ୟାତ ହୃଦରୋଗ ବିଶେଷଜ୍ଞ ପ୍ରଫେସର ଜନ୍ କାଇମଙ୍କ ନାମ ବ୍ୟବହାର କରି ରୋଗୀଙ୍କୁ ବିଭ୍ରାନ୍ତ କରି ଅପରେସନ କରୁଥିଲେ । 

ପ୍ରକୃତ ଡାକ୍ତର ଜନ୍ କାଇମ୍ ସୋସିଆଲ ମିଡିଆରେ ଏହି ଛଦ୍ମ ଡାକ୍ତରଙ୍କ ବିଷୟରେ ଚେତାବନୀ ମଧ୍ୟ ଦେଇଥିଲେ । ଯାଦବ ଯେଉଁ ଡାକ୍ତରଖାନାରେ ଅସ୍ତ୍ରୋପଚାର କରୁଛନ୍ତି ତାହାକୁ ଆୟୁଷ୍ମାନ ଭାରତ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି, ଯାହା ସରକାରୀ ପାଣ୍ଠିର ଅପବ୍ୟବହାର କରାଯାଉଥିବା ଆଶଙ୍କା ସୃଷ୍ଟି କରିଛି ।

ତେବେ ଏହି ନକଲି ଡାକ୍ତରଙ୍କ ଅପରେସନରେ ୨୦୦୬ରେ ଛତିଶଗଡ଼ର ପୂର୍ବତନ ବାଚସ୍ପତିଙ୍କ ମୃତ୍ୟୁ ହୋଇଥିବା । ଏହି ଡାକ୍ତର ହିଁ ତାଙ୍କ ମୃତ୍ୟୁର କାରଣ ସାଜିଥିଲେ ବୋଲି ସେତେବେଳେ ଅଭିଯୋଗ ହେବା ପରେ ସେ ମଧ୍ୟପ୍ରଦେଶ ପଳାୟନ କରି ସେଠାରେ ସକ୍ରିୟ ଅଛନ୍ତି । ଆଉ ସେ ସେଠାରେ ୭ ଜଣଙ୍କ ମୃତ୍ୟୁର କାରଣ ମଧ୍ୟ କୁହାଯାଉଛି ।