ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ସ୍ପେସାଲ ଟାସ୍କ ଫୋର୍ସ (ଏସ୍ଟିଏଫ୍)ର ଅଧିକାରୀମାନେ ଗାଜିଆବାଦରେ ଥିବା ଏକ ନକଲି ଦୂତାବାସର ପର୍ଦ୍ଦାଫାସ କରିଛନ୍ତି। ବାହାରେ ପାର୍କିଂ ହୋଇଥିବା କୂଟନୈତିକ ନମ୍ବର ପ୍ଲେଟ୍ ଥିବା ଦାମୀ କାର୍, ନକଲି ଅଫିସରେ କୂଟନୈତିକ ପାସପୋର୍ଟ, ନେତାଙ୍କ ସହ ଜାଲିଆତି ଫଟୋ ଏବଂ ବିଦେଶୀ ମୁଦ୍ରା ଦେଖି ଯେକେହି ଏହାକୁ ଅସଲି ଦୂତାବାସ ବୋଲି ଭାବିବା ସ୍ବାଭାବିକ।
ଜନୈକ ଆମେରିକୀୟ ନୌସେନା ଅଧିକାରୀଙ୍କ ଦ୍ୱାରା ପ୍ରତିଷ୍ଠିତ ଏକ ଅଣସ୍ବୀକୃତ କ୍ଷୁଦ୍ର ଦେଶ ‘ୱେଷ୍ଟାର୍କ୍ଟିକା’ର ଦୂତାବାସ ଭାବରେ ଏକ ବିଳାସପୂର୍ଣ୍ଣ ଦୁଇ ମହଲା କୋଠା ଭଡ଼ାନେଇ ଏହାକୁ ଚଳାଉଥିବା ଅଭିଯୋଗରେ ପୁଲିସ ହର୍ଷବର୍ଦ୍ଧନ ଜୈନଙ୍କୁ ଗିରଫ କରିଛି। ଲୋକଙ୍କୁ ବିଦେଶରେ କାମ ପାଇଁ ପ୍ରଲୋଭିତ କରିବା ଲାଗି ସେ ନିଯୁକ୍ତି ରୢାକେଟ ଚଳାଉଥିବା ଏବଂ ମନିଲଣ୍ଡରିଂ ନେଟ୍ୱାର୍କର ମଧ୍ୟ ଅଂଶ ବିଶେଷ ବୋଲି ଅଭିଯୋଗ ହୋଇଛି।
ଜୈନ ନିଜକୁ ୱେଷ୍ଟାର୍କ୍ଟିକାର ‘ବ୍ୟାରନ୍’ ବୋଲି ପରିଚୟ ଦେଇ କୂଟନୈତିକ ନମ୍ବର ପ୍ଲେଟ୍ ଥିବା ଦାମୀ କାର୍ରେ ଯାତ୍ରା କରୁଥିଲେ। ସେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କ ସହ ଜାଲିଆତି ଫଟୋ ବ୍ୟବହାର କରି ସମ୍ଭ୍ରାନ୍ତ ମହଲର ଅନୁକମ୍ପା ହାସଲ କରୁଥିଲେ। ୨୦୧୧ ମସିହାରେ ଜୈନଙ୍କ ବିରୋଧରେ ବେଆଇନ ଭାବେ ସାଟେଲାଇଟ୍ ଫୋନ୍ ରଖିବା ଅଭିଯୋଗରେ ମାମଲା ରୁଜୁ ହୋଇଥିଲା। ଏସ୍ଟିଏଫ୍ର ଅଧିକାରୀମାନେ କୂଟନୈତିକ ନମ୍ବର ପ୍ଲେଟ୍ ଥିବା ୪ଟି ଦାମୀ କାର୍, ୧୨ଟି ମାଇକ୍ରୋନେସନର ‘କୂଟନୈତିକ ପାସପୋର୍ଟ’, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଷ୍ଟାମ୍ପ୍ ଥିବା ଦସ୍ତାବିଜ, ୩୪ଟି ଦେଶର ଷ୍ଟାମ୍ପ୍, ନଗଦ ୪୪ ଲକ୍ଷ ଟଙ୍କା, ବିଦେଶୀ ମୁଦ୍ରା ଓ ୧୮ଟି କୂଟନୈତିକ ନମ୍ବର ପ୍ଲେଟ୍ ଜବତ କରିଛନ୍ତି। ହର୍ଷବର୍ଦ୍ଧନ ବିଦେଶରେ କାମ ଦେବାର ପ୍ରତିଶ୍ରୁତି ଦେଇ ନିଯୁକ୍ତି ରୢାକେଟ୍ ଚଳାଇବା ସହ ସେଲ୍ କମ୍ପାନି ଜରିଆରେ ହାଵାଲା ରୢାକେଟ୍ ଚଳାଉଥିଲେ ବୋଲି ଜଣାପଡ଼ିଛି।
ୱେଷ୍ଟାର୍କ୍ଟିକା କ’ଣ?: ଆମେରିକା ନୌସେନାର ଜଣେ ଅଧିକାରୀ ଟ୍ରାଭିସ୍ ମ୍ୟାକହେନରି ୨୦୦୧ରେ ‘ୱେଷ୍ଟାର୍କ୍ଟିକା’ ପ୍ରତିଷ୍ଠା କରିଥିଲେ ଏବଂ ପରେ ନିଜକୁ ଏହାର ଗ୍ରାଣ୍ଡ ଡ୍ୟୁକ୍ ଭାବେ ନିଯୁକ୍ତ କରିଥିଲେ। ଆଣ୍ଟାର୍କଟିକାରେ ଅବସ୍ଥିତ ୱେଷ୍ଟାର୍କ୍ଟିକାର କ୍ଷେତ୍ରଫଳ ୬,୨୦,୦୦୦ ବର୍ଗ ମାଇଲ ଏବଂ ମ୍ୟାକହେନରି ନିଜକୁ ଶାସକ ନିଯୁକ୍ତ କରିବା ପାଇଁ ଆଣ୍ଟାର୍କଟିକା ଟ୍ରିଟି ସିଷ୍ଟମ୍ରେ ଥିବା ଏକ ସୁଯୋଗର ବ୍ୟବହାର କରିଥିଲେ। ଏହି ଚୁକ୍ତିରେ ଆଣ୍ଟାର୍କଟିକାର କିଛି ଅଂଶ ଉପରେ ଦାବି କରିବାକୁ ଦେଶଗୁଡ଼ିକୁ ବାରଣ କରାଯାଇଥିବା ବେଳେ ଏଥିରେ ଘରୋଇ ବ୍ୟକ୍ତିବିଶେଷଙ୍କ ବିଷୟରେ କିଛି କୁହାଯାଇନାହିଁ। ୱେଷ୍ଟାର୍କ୍ଟିକା ଦାବି କରିଛି ଯେ ତାଙ୍କର ୨,୩୫୬ ଜଣ ନାଗରିକ ଅଛନ୍ତି - କିନ୍ତୁ ସେମାନଙ୍କ ମଧ୍ୟରୁ କେହି ସେଠାରେ ରୁହନ୍ତି ନାହିଁ। କିଛି ଦିନ ପୂର୍ବରୁ ୱେଷ୍ଟାର୍କ୍ଟିକାର ଅଫିସିଆଲ ଇନ୍ଷ୍ଟାଗ୍ରାମ୍ ହ୍ୟାଣ୍ଡେଲରେ ନୂଆଦିଲ୍ଲୀରେ ଥିବା କନସୁଲେଟ ଜେନେରାଲର ଫଟୋ ସେୟାର କରାଯାଇଥିଲା।