ଆସାମ ମିଥ୍ୟା ଏନ୍‌କାଉଣ୍ଟର ମାମଲା, ୭ ଜଣଙ୍କୁ ଆଜୀବନ କାରାଦଣ୍ଡ

ସେନା ଅଦାଲତର ଗୁରୁତ୍ବପୂର୍ଣ୍ଣ ରାୟ ଦୋଷୀଙ୍କ ମଧ୍ୟରେ ଜଣେ ମେଜର୍‌ ଜେନେରାଲ୍‌, ୨ କର୍ଣ୍ଣେଲ୍‌, ୪ ଜେସିଓ

ନୂଆଦିଲ୍ଲୀ: ଆସାମରେ ୧୯୯୪ ମସିହାରେ ଘଟିଥିବା ଏକ ମିଥ୍ୟା ଏନ୍‌କାଉଣ୍ଟର ମାମଲାରେ ସେନା ଅଦାଲତ ଆଜି ଜଣେ ମେଜର ଜେନେରାଲ, ଦୁଇ ଜଣ କର୍ଣ୍ଣେଲ ଏବଂ ୪ ଜଣ ଜେସିଓଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହି ବେଆଇନ ଏନ୍‌କାଉଣ୍ଟରରେ ୫ ଜଣ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଦୀର୍ଘ ୨୪ ବର୍ଷ ଧରି ମାମଲା ବିଚାରାଧୀନ ଥିଲା। ଆସାମର ଦିବ୍ରୁଗଡ଼ ଜିଲ୍ଲାର ଦିଂଜାନ ସ୍ଥିତ ମାଉଣ୍ଟେନ ଡିଭିଜନରେ ସେନା ଅଦାଲତ ଅନୁଷ୍ଠିତ ହୋଇ ଏହି ରାୟ ଘୋଷଣା କରାଯାଇଛି। ତେବେ ପୂର୍ବାଞ୍ଚଳ ସେନା କମାଣ୍ଡ୍‌ରେ ଏହି ପ୍ରକ୍ରିୟା ସଂପୂର୍ଣ୍ଣ ହୋଇ କାର୍ଯ୍ୟକାରୀ ହେବାକୁ ଆହୁରି ୨ ମାସ ଲାଗିଯିବ ବୋଲି ଜଣାପଡ଼ିଛି । ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିମାନେ ହେଲେ ମେଜର ଜେନେରାଲ ଏ କେ ଲାଲ, କର୍ଣ୍ଣେଲ ଥୋମାସ ମାଥ୍ୟୁ ଏବଂ ଆରଏସ୍‌ ସିବିରେନ୍‌, ଜେସିଓ ଦିଲ୍ଲୀପ ସିଂହ, ଜଗଦେଓ ସିଂହ, ଅଲବିନ୍ଦର ସିଂହ ଏବଂ ଶିବେନ୍ଦ୍ର ସିଂହ। ୨୪ ବର୍ଷ ତଳର ଏହି ଏନ୍‌କାଉଣ୍ଟର ମାମଲାର ତଦନ୍ତ ଦାୟିତ୍ବ ସିବିଆଇ ମଧ୍ୟ ନେଇଥିଲା ଏବଂ ମାମଲାରେ ସମସ୍ତ ସାକ୍ଷୀ ଏବଂ ପୀଡ଼ିତଙ୍କ ବୟାନ ରେକର୍ଡ କରାଯାଇଥିଲା। ତେବେ ଦୋଷୀ ଅଫିସର ଏବଂ ଯବାନଙ୍କୁ ସାମରିକ ଆଇନ ଅନୁଯାୟୀ ଦଣ୍ଡିତ କରିବା ନିମନ୍ତେ ସେନା ପକ୍ଷରୁ କୋର୍ଟରେ ନିବେଦନ କରାଯାଇଥିଲା ଏବଂ କୋର୍ଟ ସେନାର ଏହି ଆବେଦନକୁ ମଂଜୁର କରିଥିଲେ। ଏବେ ସେନା ଅଦାଲତ ଦୋଷୀଙ୍କୁ ଉଚିତ ଦଣ୍ଡବିଧାନ କରିଥିବାରୁ ପୀଡ଼ିତ ପରିବାର ଆଶ୍ବସ୍ତି ପ୍ରକାଶ କରିଛନ୍ତି। ଭାରତୀୟ ସେନା ତା’ର ଗରିମାକୁ ଅକ୍ଷୁଣ୍ଣ ରଖିଛି ବୋଲି ତତ୍କାଳୀନ ଏଏଏସ୍‌ୟୁ ଉପ ସଭାପତି ତଥା ମାମଲା ନେଇ ଅଦାଲତରେ ଲଢ଼େଇ ଜାରି ରଖିଥିବା ବିଜେପି ନେତା ଜଗଦୀଶ ଭୂୟାଁ କହିଛନ୍ତି।

ସମ୍ବନ୍ଧିତ ଖବର