ନକଲି ଆଇପିଏସ ଅଫିସରଙ୍କୁ ଧରାଇଦେଲେ ଚାକିରି ଆଶାୟୀ, ଥାନା ବାବୁ ଜାଣିନପାରି କରିଥିଲେ ସାଲ୍ୟୁଟ

ପାଟନା: ଟଙ୍କା ଆଦାୟ କରିବାକୁ ଆସିଥିଲେ ନକଲି ଆଇପିଏସ ଅଫିସର, ଆଉ ଚାକିରି ଆଶାୟୀ ଜଣେ ଯୁବତୀ ଓ ତାଙ୍କ ପରିବାର ଏହି ବ୍ୟକ୍ତିଙ୍କୁ ଧରିବା ପରେ ଘଟଣା ବାବଦରେ ଜଣାପଡିଛି | ତେବେ ଏହି ନକଲି ଆଇପିଏସ ଅଫିସରଙ୍କ ନାମ ହେଉଛି ସୁଜିତ କୁମାର | ତାଙ୍କ ଘର ବିହାରର ଦୀପନଗର ଥାନା ଅନ୍ତର୍ଗତ କୋରାଇରେ ହୋଇଥିବାବେଳେ ଜଣେ ଯୁବତୀଙ୍କୁ ଠକେଇ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି | ମିଳିଥିବା ସୂଚନା ମୁତାବକ ସୁଜିତ କୁମାର ନିଜକୁ ଆଇପିଏସ ଅଫିସର କହି ଜଣେ ଯୁବତୀଙ୍କୁ ଚାକିରି ଦେବାର ପ୍ରଲୋଭନ ଦେଖାଇଥିଲେ |

ଚାକିରି ପାଇଁ ସେ ଯୁବତୀଙ୍କ ଠାରୁ ପ୍ରାୟ ୧୧ ଲକ୍ଷ ଟଙ୍କା ଠକିନେଇଥିଲେ | ଏତେ ଟଙ୍କା ନେବାପରେ ବି ଚାକିରି ନ ମିଳିବାରୁ ଯୁବତୀଙ୍କର ସନ୍ଦେହ ହୋଇଥିଲା | ଆଉ ୧ ଲକ୍ଷ ଟଙ୍କା ଦେବାକୁ ପୁଣି ନକଲି ଆଇପିଏସ ଅଫିସର ଜଣକ କହିବାରୁ ଯୁବତୀ ଜଣକ କୌଶଳ କ୍ରମେ ତାଙ୍କୁ ଘରକୁ ଡାକିଥିଲେ | ଯେତେବେଳେ ସୁଜିତ କୁମାର ଟଙ୍କା ନେବାକୁ ଆସିଥିଲେ ସେତେବେଳେ ଯୁବତୀ ଓ ତାଙ୍କ ପରିବାର ସଦସ୍ୟ ତାଙ୍କୁ ଅଟକ ରଖିଥିଲେ | ଏହା ପରେ ପୁଲିସକୁ ଖବର ଦେଇଥିଲେ | ତେବେ ପୁଲିସ ବାବୁ ଆସି ନିଜ ଆଖିକୁ ପ୍ରଥମେ ବିଶ୍ୱାସ କରିପାରିନଥିଲେ ଓ ନକଲି ଆଇପିଏସ ଅଫିସରଙ୍କୁ ସାଲ୍ୟୁଟ ମାରିଥିଲେ |

ଏହାକୁ ନେଇ ଯୁବତୀଙ୍କ ପରିବାର ସଦସ୍ୟଙ୍କ ସହ ଯୁକ୍ତିତର୍କ ହେବାରୁ ଥାନା ବାବୁ ଜଣକ ସୁଜିତ କୁମାରଙ୍କୁ ପଚରାଉଚୁରା କରି ସତ ଜାଣିଥିଲେ | ସୁଜିତ କୁମାରଙ୍କ ପାଖରୁ ନକଲି ଆଇକାର୍ଡ, ପ୍ଲାଷ୍ଟିକ ବନ୍ଧୁକ ଓ ନକଲି ୟୁନିଫର୍ମ ଜବତ କରାଯାଇଛି | ତେବେ ସୁଜିତଙ୍କୁ ଗିରଫ ପରେ ଆଉ କିଛି ଯୁବକ ମଧ୍ୟ ଚାକିରି ନାମରେ ଟଙ୍କା ହଡପର ଅଭିଯୋଗ ଆଣିଛନ୍ତି |

ସମ୍ବନ୍ଧିତ ଖବର