ବାହା ହେବାକୁ ଉଚ୍ଛନ୍ନ ହେଉଥିଲେ ଯୁବକ, ନକଲି କନ୍ୟା, ସମ୍ପର୍କୀୟ ସାଜି ସବୁ ଲୁଟିନେଲେ ଲୁଟେରା

ଭୋପାଳ: ବିବାହ ହେଲା, କନ୍ୟାପକ୍ଷରୁ ସମ୍ପର୍କୀୟ ଆସିଲେ | ହାତଗଣ୍ଠି ବି ପଡିଲା କିନ୍ତୁ ସବୁ ଥିଲା ନକଲି | କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏକଥା ଏକଦମ ସତ | ମଧ୍ୟପ୍ରଦେଶର ଅଗର ମାଲୱାରେ ଏଭଳି ଏକ ଘଟଣା ଘଟିଛି | ଏହି ଗ୍ରାମରେ ଜଣେ ଯୁବକଙ୍କୁ ବିବାହ ନାମରେ ୭ ଜଣ ଲୋକ ଠକିବା ଭଳି ଅପରାଧ କରିଛନ୍ତି। ଏହି ଅଭିଯୁକ୍ତମାନେ ଯୁବକଙ୍କ ନକଲି ବିବାହ କରାଇ ଏକ ଲକ୍ଷ ୮୦ ହଜାର ଟଙ୍କା ନେଇ ଫେରାର ହୋଇଯାଇଥିଲେ | ଏହାପରେ ଯୁବକ ଜଣକ ପୁଲିସ ଷ୍ଟେସନକୁ ଯାଇ ଅଭିଯୋଗ କରିଥିଲେ। ଯୁବକଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରି ବର୍ତ୍ତମାନ ଅଭିଯୁକ୍ତମାନଙ୍କୁ ଖୋଜୁଛି |

ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସିରପୋଇ ଗ୍ରାମର ବଦ୍ରିଲାଲଙ୍କ ଅଭିଯୋଗ ମୁତାବକ ତାଙ୍କ ଭାଇ ବିନୋଦଙ୍କ ବିବାହ ବେତୁଲରେ ରହୁଥିବା ଜଣେ ଯୁବତୀଙ୍କ ସହିତ ସ୍ଥିର ହୋଇଥିଲା | ତେବେ ଯୁବତୀଙ୍କ ଘର ପକ୍ଷରୁ କୁହାଯାଇଥିଲା ଯେ କିଛି ସମସ୍ୟା ଥିବାରୁ ୧ ଲକ୍ଷ ୮୦ ହଜାର ଟଙ୍କା ଦେବାକୁ ପଡିବ | ଆଉ ବିନୋଦଙ୍କ ପରିବାର ଝିଅ ଘର କଥାରେ ବିଶ୍ୱାସ କରି ୧ ଲକ୍ଷ ୮୦ ହଜାର ଟଙ୍କା ମଧ୍ୟ ଦେଇଥିଲେ | ଏହା ପରେ ବିବାହ ମଧ୍ୟ ହୋଇଥିଲା | ତେବେ ବିବାହ ପରେ କନ୍ୟା ଜଣକ ଫେରାର ହୋଇଯାଇଥିଲେ |

ଯେତେବେଳେ କନ୍ୟାଙ୍କ ବାବଦରେ ବୁଝିବା ପାଇଁ ତାଙ୍କର ସମ୍ପର୍କୀୟଙ୍କୁ ଯୋଗାଯୋଗ କରାଯାଇଥିଲା ସେମାନେ ମଧ୍ୟ ଆଉ ଫୋନ ଉଠାଇନଥିଲେ | ଏହାପରେ ବିନୋଦଙ୍କ ପରିବାର ଲୋକ ଯେତେବେଳେ କନ୍ୟା ଘରେ ପହଞ୍ଚିଥିଲେ ସେତେବେଳେ ସବୁ ସତ ସାମ୍ନାକୁ ଆସିଥିଲା | କନ୍ୟା ଘର ଓ ସମ୍ପର୍କୀୟମାନେ ସେହି ଭଡା ଘର ଛାଡ଼ିଦେଇ ଫେରାର ହୋଇଯାଇଥିଲେ | ଏହା ପରେ ଯୁବକଙ୍କ ପରିବାର ଏବେ ପୁଲିସ ଷ୍ଟେସନରେ ଏନେଇ ଅଭିଯୋଗ କରିଛନ୍ତି | ଏହି ମାମଲାରେ ପୁଲିସ କନ୍ୟା ସହ ତାଙ୍କର ୬ ଜଣ ସମ୍ପର୍କୀୟଙ୍କୁ ଖୋଜୁଛି |

ସମ୍ବନ୍ଧିତ ଖବର