ବେଙ୍ଗାଲୁରୁ: ବେଙ୍ଗାଲୁରୁର ନନ୍ଦିନୀ ଡାଏରୀ ପାର୍ଲରକୁ ଉତ୍ପାଦ ଯୋଗାଉଥିବା ଏକ ନକଲି ଘିଅ ରୢାକେଟ୍ର ପର୍ଦ୍ଦାଫାସ ହୋଇଛି। ଅଧିକାରୀମାନେ ଏକ ପ୍ରାଧିକୃତ ବିତରକଙ୍କ ଦ୍ୱାରା ପରିଚାଳିତ ଅପମିଶ୍ରଣ ନେଟୱାର୍କର ପର୍ଦ୍ଦାଫାସ କରିଛନ୍ତି। ଅନୁସନ୍ଧାନରୁ ଜଣାପଡିଛି ଯେ, ଏହି ଗୋଷ୍ଠୀ ତାମିଲନାଡୁରେ ଅପମିଶ୍ରିତ ଘିଅ ଉତ୍ପାଦନ କରି ଏହାକୁ ନକଲି ନନ୍ଦିନୀ ପ୍ୟାକେଟ୍ ଓ ପ୍ଲାଷ୍ଟିକ୍ ବୋତଲରେ ଭର୍ତ୍ତି କରି ବେଙ୍ଗାଲୁରୁର ଅଭିଯୁକ୍ତକୁ ଯୋଗାଉଥିଲା, ଯାହା ପାଖରେ ଅଫିସିଆଲ୍ କର୍ଣ୍ଣାଟକ ମିଲ୍କ ଫେଡେରେସନ୍ (କେଏମ୍ଏଫ୍)ର ଲାଇସେନ୍ସ ଥିଲା। ଏହା ପରେ ଏହି ବିତରକମାନେ ନକଲି ଘିଅକୁ ହୋଲସେଲ ଦୋକାନ, ଖୁଚୁରା ଦୋକାନ ଓ ନନ୍ଦିନୀ ପାର୍ଲରକୁ ପୂର୍ଣ୍ଣ ବଜାର ମୂଲ୍ୟରେ ବିକ୍ରି କରୁଥିଲେ।
କେଏମ୍ଏଫ୍ ଅଧିକାରୀମାନେ କିଛି ଅସ୍ୱାଭାବିକତା ଲକ୍ଷ୍ୟ କରିବା ପରେ ଏହି ଘୋଟାଲା ସାମ୍ନାକୁ ଆସିଥିଲା: ନିୟମିତ ଭାବରେ ବଡ଼ ଘିଅ ଅର୍ଡର ଦେଉଥିବା ଜଣେ ସରକାରୀ କେଏମ୍ଏଫ୍ ଡିଲର-କମ୍-ଡିଷ୍ଟ୍ରିବ୍ୟୁଟର ମହେନ୍ଦ୍ର ହଠାତ୍ ତାଙ୍କ କ୍ରୟ ହ୍ରାସ କରିବାକୁ ଲାଗିଲେ। ତାଙ୍କର ସାଧାରଣ ୧୦୦ ଲିଟର ପରିବର୍ତ୍ତେ, ସେ ଗତ କିଛି ମାସ ମଧ୍ୟରେ ମାତ୍ର ୫୦ ଲିଟର ଅର୍ଡର ଦେଉଥିଲେ। ଯାଞ୍ଚରୁ ଜଣାପଡ଼ିଲା ଏହାର କାରଣ। ମୁଖ୍ୟ ଅଭିଯୁକ୍ତ ମହେନ୍ଦ୍ର ଅସଲି ନନ୍ଦିନୀ ଘିଅ ସହିତ ପାମୋଲିନ ତେଲ ଓ ଅନ୍ୟାନ୍ୟ ଚର୍ବି ମିଶ୍ରଣ କରି ୧ ଲିଟର ଅସଲି ଘିଅକୁ ୫ ଲିଟର କରୁଥିଲେ। ଏହା ପରେ ଏହି ନକଲି ଘିଅ ସହରର ନନ୍ଦିନୀ ପାର୍ଲରକୁ ଯୋଗାଇ ଦିଆଯାଉଥିଲା। ସିଟି କ୍ରାଇମବ୍ରାଞ୍ଚ (ସିସିବି) ସ୍ପେସାଲ ଇନ୍ଭେଷ୍ଟିଗେସନ୍ ସ୍କ୍ୱାର୍ଡ ଏବଂ କେଏମ୍ଏଫ୍ ଭିଜିଲାନ୍ସ ୱିଙ୍ଗର ମିଳିତ ଅପରେସନ୍ ଗୁପ୍ତ ଗୁଇନ୍ଦା ତଥ୍ୟ ଉପରେ କାର୍ଯ୍ୟ କରି ନେଟୱର୍କକୁ ଟ୍ରାକ୍ କରିଥିଲା।
ଶୁକ୍ରବାର ଟିମ୍ ମହେନ୍ଦ୍ର ଓ ତାଙ୍କ ପରିବାରର ମାଲିକାନାରେ କାମରାଜପେଟରେ ଥିବା କ୍ରିଷ୍ଣା ଏଣ୍ଟର୍ପ୍ରାଇଜେସ୍ର ଗୋଦାମ, ଦୋକାନ ଓ ମାଲବାହୀ ଗାଡ଼ି ଉପରେ ଚଢ଼ାଉ କରିଥିଲେ। ଅପମିଶ୍ରିତ ଘିଅ ପରିବହନ କରୁଥିବା ଏକ ଗାଡ଼ି ଜବତ କରାଯାଇଥିଲା ଓ ଡ୍ରାଇଭରକୁ ଗିରଫ କରାଯାଇଥିଲା। ପରେ କେଏମ୍ଏଫ୍ ଭିଜିଲାନ୍ସ ତଦନ୍ତକୁ ବିସ୍ତାର କରି ମହେନ୍ଦ୍ରଙ୍କ ଅପରେସନର ସମ୍ପୂର୍ଣ୍ଣ ପରିସରକୁ ଉନ୍ମୋଚିତ କରିଥିଲା। ମିଳିଥିବା ସୂଚନା ମୁତାବକ, ସେ ନିଜ ଝିଅର ବିବାହ ପାଇଁ ଅର୍ଥ ଯୋଗାଡ଼ କରିବାକୁ ଅପମିଶ୍ରଣ କରୁଥିଲେ। ବର୍ତ୍ତମାନ ସୁଦ୍ଧା ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅଧିକାରୀମାନେ ୮,୧୩୬ ଲିଟର ଅପମିଶ୍ରିତ ଘିଅ, ନଡ଼ିଆ ଓ ପାମ୍ ତେଲ, ନଗଦ ୧.୧୯ ଲକ୍ଷ ଟଙ୍କା, ଚାରିଟି ମାଲ ଗାଡି, ଅପମିଶ୍ରିତ ଘିଅ ଉତ୍ପାଦନ ପାଇଁ ବ୍ୟବହୃତ ଯନ୍ତ୍ରପାତି ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସାମଗ୍ରୀ ଜବତ କରିଛନ୍ତି। ଜବତ ହୋଇଥିବା ସମ୍ପତ୍ତିର ମୋଟ ମୂଲ୍ୟ ପ୍ରାୟ ୧.୨୭ କୋଟି ଟଙ୍କା ବୋଲି ବେଙ୍ଗାଲୁରୁ ପୁଲିସ କମିସନର ସୀମାନ୍ତ କୁମାର ସିଂହଙ୍କ କାର୍ଯ୍ୟାଳୟ କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/18/untitled-1-2025-11-18-06-35-40.jpg)