ନକଲି ପ୍ଲେଟଲେଟ୍‌ ରାକେଟ୍‌ର ପର୍ଦ୍ଦାଫାସ, ୧୦ ଗିରଫ

ପ୍ଲେଟଲେଟ୍‌ ବଦଳରେ ମୋସମ୍ବି ଜୁସ୍‌ ଦେବାରୁ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ, ହସ୍ପିଟାଲ ସିଲ୍‌

ପ୍ରୟାଗରାଜ : ପ୍ରୟାଗରାଜ ପୁଲିସ ଶୁକ୍ରବାର ଦିନ ଏକ ନକଲି ପ୍ଲେଟ୍‌ଲେଟ୍‌ ରାକେଟ୍‌ର ପର୍ଦ୍ଦାଫାସ କରିବା ସହ ଏହାର ୧୦ ଜଣ ସଦସ୍ୟଙ୍କୁ ଗିରଫ କରିଛି। ଲୋକଙ୍କ ଜୀବନ ‌ସହ ଖେଳୁଥିବା ଏହି ରୢାକେଟ୍‌ର ଚେର ଉତ୍ତରପ୍ରଦେଶର ବିଭିନ୍ନ ସହରକୁ ବ୍ୟାପିଥିବା ଜଣାପଡ଼ିଛି। ଗିରଫ ବ୍ୟକ୍ତିଙ୍କଠାରୁ ୧୮ଟି ପ୍ୟାକେଟ୍‌ ପ୍ଲେଟ୍‌ଲେଟ୍‌ ଏବଂ କେତେକ ନକଲି ସାମଗ୍ରୀ ଜବତ ହୋଇଛି। ଏହାସହିତ ଲକ୍ଷାଧିକ ନଗଦ ଟଙ୍କା, ୩ଟି ବାଇକ୍‌ ଏବଂ ୧୩ଟି ମୋବାଇଲ ଫୋନ ମଧ୍ୟ ଜବତ ହୋଇଛି।

ଅଭିଯୁକ୍ତମାନେ ବ୍ଲଡ୍‌ ବ୍ୟାଙ୍କ ନିକଟରେ ସକ୍ରିୟ ଥିଲେ ଏବଂ ପ୍ଲେଟ୍‌ଲେଟ୍‌ସ ଚାହୁଥିବା ଲୋକଙ୍କୁ ଠକିବାରେ ଲାଗିଥିଲେ। ସେମାନେ ୫ରୁ ୮ ହଜାର ଟଙ୍କାରେ ପ୍ଲେଟ୍‌ଲେଟ୍‌ସ ଯୋଗାଇ ଦେବାକୁ କହି ନକଲି ପ୍ଲେଟ୍‌ଲେଟସ ଉପଲବ୍ଧ କରାଉଥିଲେ। ନକଲି ପ୍ଲେଟ୍‌ଲେଟ୍‌ସ ଯୋଗୁଁ ଧୁମନଗଂଜ ସ୍ଥିତ ଏକ ଘରୋଇ ଜଣେ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ ପରେ ଏହି ରୢାକେଟ୍‌ ସଂପର୍କରେ ଜଣାପଡ଼ିଥିଲା। ଏହି ରୋଗୀଙ୍କୁ ପ୍ଲେଟ୍‌ଲେଟ ବଦଳରେ ମୋସମ୍ବି ଜୁସ୍‌ ଦିଆଯାଇଥିବା ଅଭିଯୋଗ ହୋଇଥିଲା। ପ୍ରଶାସନ ପକ୍ଷରୁ ଏ ନେଇ ବ୍ୟାପକ ଯାଞ୍ଚ କରାଯିବା ପରେ ହସ୍ପିଟାଲ ସିଲ୍‌ କରିଦିଆଯାଇଛି।

ସମ୍ବନ୍ଧିତ ଖବର