ଅସଲି ପୁଲିସ ହାତରେ ଧରାପଡ଼ିଲେ ନକଲି ପୁଲିସ ଅଫିସର

ଜୟପୁର: ରାଜସ୍ଥାନର ଜୟପୁରରେ ଜଣେ ନକଲି ପୁଲିସ ଅଫିସରକୁ ଗିରଫ କରାଯାଇଛି | ଏହି ଯୁବକଙ୍କ ନାମ ଅଭୟ ମିନା ହୋଇଥିବାବେଳେ ଦ୍ୱାଦଶ ପରୀକ୍ଷାରେ ସେ ଫେଲ ହୋଇ ଧୂର୍ତ୍ତ ପାଲଟିଯାଇଥିଲେ | ନିଜକୁ ଆଇପିଏସ ଅଫିସର କହି ଛାତ୍ରଛାତ୍ରୀଙ୍କୁ କିଭଳି ପୁଲିସ ଅଫିସର ହୋଇପାରିବେ ସେ ନେଇ ପରାମର୍ଶ ଦେଉଥିଲେ |

ବଡ କଥା ହେଉଛି ପୋଲିସ ବିଭାଗର କିଛି ବରିଷ୍ଠ ଅଧିକାରୀ ଏହି ଠକକୁ ସମ୍ମାନିତ କରିବା ସହ ସଲାମ ବି କରୁଥିଲେ | ଏହି ଯୁବକ ଜଣକ ଅନେକ ଛାତ୍ରଛାତ୍ରୀଙ୍କୁ କିଭଳି ପ୍ରବେଶିକା ପରୀକ୍ଷାରେ ଭଲ ମାର୍କ ଆଣିବା ସହ ପ୍ରତିବନ୍ଧକକୁ କିଭଳି ପାର କରିହେବ ସେ ବାବଦରେ ବୁଝାଉଥିଲା | ସୋସିଆଲ ମିଡିଆରେ ମଧ୍ୟ ଏହି ଠକର ଅନେକ ପ୍ରେରଣାଦାୟୀ ଭିଡିଓକୁ ଲୋକ ଦେଖୁଥିଲେ | ନକଲି ଆଇପିଏସ ଅଫିସରକୁ ଜଗତପୁରାର ଏକ ଆପାର୍ଟମେଣ୍ଟରୁ ଏସଓଜି ଗିରଫ କରିଛି |

କମ ବୟସରେ ବି ଆଇପିଏସ ଅଫିସର ହୋଇହେବ ଏହା କହିବା ସହ ନିଜ କାରରେ ଭାରତ ସରକାର ଲେଖି ସାରା ରାଜ୍ୟରେ ବୁଲୁଥିଲା | ଏହି ଠକ ପାଖରୁ ପୋଲିସ, ଆଇପିଏସର ୟୁନିଫର୍ମ, ନକଲି ପରିଚୟପତ୍ର, ୱେୟାରଲେସ ସହ ତିନିଟି ଏୟାର ଗନ ଜବତ କରିଛି | ସେହିପରି ଏହି ନକଲି ଅଫିସର ଉତ୍ତରାଖଣ୍ଡର ଜଣେ ଯୁବତୀଙ୍କ ସହ ଏକ ଦାମୀ ହୋଟେଲରେ ମାଗଣାରେ ରହୁଥିଲା | ତେବେ ଏହି ଯୁବକଙ୍କର ନକଲି ପରିଚୟ ପତ୍ରରୁ ତା ବାବଦରେ ଜଣେ ବ୍ୟକ୍ତି ପୋଲିସକୁ ଖବର ଦେଇଥିଲେ |

ସମ୍ବନ୍ଧିତ ଖବର