ନୂଆଦିଲ୍ଲୀ: ଫୋର୍ବସ ପତ୍ରିକା ପକ୍ଷରୁ ପ୍ରତି ବର୍ଷ ଭଳି  ଏ ବର୍ଷ ମଧ୍ୟ  ୨୦୨୩ ପାଇଁ ବିଶ୍ବର ଧନୀ ତାଲିକା ପ୍ରକାଶ କରାଯାଇଛି। ବିଶ୍ବର ଧନୀଙ୍କ ଆକଳନରୁ  ଏଥର ଏକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ତାହା ହେଲା, ଚଳିତବର୍ଷ ବିଶ୍ବରେ ବିଲିୟନେୟାରଙ୍କ ସଂଖ୍ୟା ହ୍ରାସ ପାଇଛି  ଏବଂ  ୧୫୦ ଜଣ ନୂଆ ମୁହଁ ଏହି ତାଲିକାରେ ସାମିଲ ହୋଇଛନ୍ତି।

Advertisment

ଗତବର୍ଷ ତୁଳନାରେ ଚଳିତବର୍ଷ ବିଶ୍ବରେ ବିଲିୟନେୟାରଙ୍କ ସଂଖ୍ୟା ହ୍ରାସ ପାଇଛି। ୨୦୨୨ରେ ବିଶ୍ବରେ ୨୬୬୮ ଜଣ ବିଲିୟନେୟାର ଥିଲେ। ଚଳିତବର୍ଷ ଏମାନଙ୍କ ସଂଖ୍ୟା ୨୬୪୦ ରହିଛି। ଏମାନଙ୍କର ମୋଟ ନିଟ୍ ସଂପତ୍ତି ୧୨.୨ ଟ୍ରିଲିଅନ ଡଲାର ରହିଛି ଯାହାକି ୨୦୨୨ରେ ୧୨.୭ ଟ୍ରିଲିଅନ ଡଲାର ରହିଥିଲା।

ଧନୀ ତାଲିକା ରୢାଙ୍କିଂରେ ଚଳିତବର୍ଷ ୧୫୦ ନୂଆ ଚେହେରା ସାମିଲ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଫେସନ ଡିଜାଇନର ଟମ୍ ଫୋର୍ଡ ଏବଂ ଗଲ୍ଫ ଖେଳାଳି ଟାଇଗର ଉଡ୍ସ ରହିଛନ୍ତି। ଧନୀଙ୍କ ମଧ୍ୟରେ ମହିଳାଙ୍କ ସଂଖ୍ୟା ୧୩ ପ୍ରତିଶତ ରହିଛି, ଯାହାକି ୨୦୨୨ରେ ୧୨ ପ୍ରତିଶତ ରହିଥିଲା। ଆମେରିକାରେ ସବୁଠୁ ଅଧିକ ୭୩୬ ଜଣ ବିଲିୟନେୟାର ଥିବାବେଳେ ଚୀନରେ ୫୬୨ ଜଣ ବିଲିୟନେୟାର ଅଛନ୍ତି। ଏହି ତାଲିକା ପାଇଁ ୨୦୨୩ ମାର୍ଚ୍ଚର ଷ୍ଟକ ମୂଲ୍ୟ ଓ ମୁଦ୍ରାର ବିନିମୟ ମୂଲ୍ୟ ବିଚାରକୁ ନିଆଯାଇଛି।

ଉଳ୍ଲେଖଯୋଗ୍ୟ,  ଚଳିତବର୍ଷ ଧନୀ ତାଲିକାର ଶୀର୍ଷରେ ଫ୍ରାନ୍ସ କମ୍ପାନି ଏଲଭିଏମ୍‌ଏଚ୍‌ (ଲୁଇ ଭୁଟୋ ମୋ‌ଏଟ ହେନେସିର ସିଇଓ ବର୍ନାର୍ଡ଼ ଅରନଲ୍ଟ ରହିଛନ୍ତି। ଗତବର୍ଷ ତାଲିକାର ଶୀର୍ଷରେ ଆମେରିକୀୟ ଉଦ୍ୟୋଗୀ ତଥା ଟେସଲାର ପ୍ରତିଷ୍ଠାତା ଏଲନ ମସ୍କ ଥିଲେ। କିନ୍ତୁ ଚଳିତବର୍ଷ ସେ ଦ୍ବିତୀୟ ସ୍ଥାନକୁ ଖସି ଆସିଛନ୍ତି। ଆମାଜନର ପ୍ରତିଷ୍ଠାତା ଜେଫ ବେଜୋସ ତୃତୀୟ ସ୍ଥାନରେ ରହିଛନ୍ତି। ତେବେ ଭାରତର ଶୀର୍ଷ ଧନୀ ବ୍ୟକ୍ତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଅଧ୍ୟକ୍ଷ ମୁକେଶ ଅମ୍ବାନି ଏହି ତାଲିକାର ନବମ ସ୍ଥାନରେ ରହିଛନ୍ତି।