ଉଦ୍ଧବ ସରକାର ପ୍ରତି ବିପଦ ବଢିଲା, ସମର୍ଥନ ପ୍ରତ୍ୟାହାର କରିବ କି ଏନସିପି ?

ମୁମ୍ବାଇ : ମହାରାଷ୍ଟ୍ରରେ ଶାସନ କରୁଥିବା ଉଦ୍ଧବ ଠାକରେ ସରକାର ପ୍ରତି ବିପଦ ବଢିଚାଲିଛି । ସ୍ଥିତି ଏପରି ହୋଇଛି ଯେ ଯକୌଣସି ସମୟରେ ସରକାର ଭାଙ୍ଗିଯାଇପାରେ । କେବଳ ବିଦ୍ରୋହୀ ବିଧାୟକ ନୁହନ୍ତି, ଏବେ ଏନସିପି ଓ କଂଗ୍ରେସ ମଧ୍ୟ ଶିବସେନା ଉପରେ ଅସନ୍ତୁଷ୍ଟ ହୋଇଯାଇଛନ୍ତି । ଏନସିପିର କିଛି ନେତା ସମର୍ଥନ ପ୍ରତ୍ୟାହାରର ସଂକେତ ଦେଉଥିବାବେଳେ ଅଜିତ ପାଓ୍ବାର ଉଦ୍ଧବଙ୍କ ପଛରେ ଛିଡ଼ା ହେବାକୁ ଘୋଷଣା କରିଛନ୍ତି ।

ମିଳିଥିବା ଶିବସେନା ନେତା ସଂଜୟ ରାଉତଙ୍କ ଏକ ମନ୍ତବ୍ୟକୁ ନେଇ ଦୁଇ ସହଯୋଗୀ ଦଳ ଏନସିପି ଓ କଂଗ୍ରେସ ରାଗିଯାଇଛନ୍ତି । ଆଜି ସଂଜୟ ରାଉତ କହିଥିଲେ ଯେ ଶିବସେନା ମହାବିକାଶ ଅଘାଡି (ଏମଭିଏ) ସରକାର ଛାଡୁବୋଲି ଯଦି ବିଦ୍ରୋହୀ ବିଧାୟକମାନେ ଚାହୁଁଛନ୍ତି, ତେବେ ସେମାନେ ଏ ସଂପର୍କରେ ମୁମ୍ବାଇକୁ ଆସି ଉଦ୍ଧବଙ୍କ ସହ ଆଲୋଚନା କରନ୍ତୁ । ହିନ୍ଦୁତ୍ବ ପ୍ରସଙ୍ଗରେ ଏହା କରିବାକୁ ଶିବସେନା ରାଜି ଅଛନ୍ତି । ଏ ସଂପର୍କରେ ଏନସିପି ନେତା ଛଗନ ଭୁଜବଳ କହିଛନ୍ତି ଯେ ଯଦି ଶିବସେନା ଏମଭିଏ ଛାଡ଼ିବାକୁ ଚାହୁଁଛି ତେବେ ସେମାନେ ଏସଂପର୍କରେ ଶରଦ ପାଓ୍ବାରଙ୍କ ସହ ଆଲୋଚନା କରନ୍ତୁ । ସେମାନଙ୍କୁ କେହି ଅଟକାଉ ନାହାନ୍ତି, ପ୍ରତ୍ୟେକ ଦଳ ନିଜ ଇଛା ଅନୁସାରେ ଯାଇପାରିବ ।

ତେବେ ଏନସିପି ନେତା ତଥା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର କହିଛନ୍ତି ଯେ ତାଙ୍କ ଦଳ ଶେଷ ପର୍ଯ୍ୟନ୍ତ ଉଦ୍ଧବ ଠାକରେଙ୍କ ପଛରେ ଛିଡ଼ାହେବ । ବିଧାନସଭାରେ ଭୋଟ ହେଲେ ଉଦ୍ଧବଙ୍କ ସପକ୍ଷରେ ଭୋଟ ଦିଆଯିବ ।

କେତେକ ଜାତୀୟ ସ୍ତରର ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଉଦ୍ଧବ ସରକାରରୁ ସମର୍ଥନ ପ୍ରତ୍ୟାହାର ପାଇଁ ଏନସିପି ମଧ୍ୟରେ ବିଚାର ବିମର୍ଷ ଜାରି ରହିଛି । ଦଳ ଏମଭିଏ ସରକାରରୁ ସମର୍ଥନ ପ୍ରତ୍ୟାହାର କରିପାରେ ବୋଲି ଜାତୀୟ ସ୍ତରର ଗଣମାଧ୍ୟମରେ ଆଲୋଚନା ହେଉଛି ।

ସମ୍ବନ୍ଧିତ ଖବର