ଛତରପୁର: ବାବାଙ୍କ ଜନ୍ମଦିନ ପାଳନ କରିବାକୁ ଆସିଥିଲେ ଶ୍ରଦ୍ଧାଳୁ। ଟିଣ ଛାତ ମୁଣ୍ଡରେ ପଡ଼ିବାରୁ ହେଲା ମୃତ୍ୟୁ। ମଧ୍ୟପ୍ରଦେଶର ଛତରପୁର ଜିଲ୍ଲାରେ ଅବସ୍ଥିତ ବାଗେଶ୍ୱର ଧାମରେ ଘଟିଛି ଏଭଳି ହୃଦୟ ବିଦାରକ ଘଟଣା। ଟିଣ ଛାତ ପଡ଼ିଯିବାରୁ ଜଣକର ମୃତ୍ୟୁ ହେବା ସହ ୮ଜଣ ଆହତ ହୋଇଛନ୍ତି। ସୂଚନା ମିଳିବା ପରେ ଘଟଣାସ୍ଥଳରେ ପହଞ୍ଚି ପୁଲିସ ପ୍ରଶାସନ ଆହତମାନଙ୍କୁ ଡାକ୍ତରଖାନା ପଠାଇ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି।
କୁହାଯାଇଛି ଯେ, ଗୁରୁବାର ସକାଳୁ ଲଗାଣ ବର୍ଷା ଯୋଗୁଁ ବାବା ବାଗେଶ୍ୱରଙ୍କ ଭକ୍ତମାନେ ଏକ ଟିଣ ଛାତ ତଳେ ଠିଆ ହୋଇଥିଲେ। ଏହି ସମୟରେ, ଛାତ ଖସି ପଡ଼ିବା ପରେ ଦଳାଚକଟା ହୋଇଥିଲା ଏବଂ ଅନେକ ଲୋକ ତଳେ ପଡ଼ିଯାଇଥିଲେ। ଏହି ସମୟରେ, ଉତ୍ତରପ୍ରଦେଶର ବସ୍ତି ଜିଲ୍ଲାର ବାସିନ୍ଦା ଶ୍ୟାମଲାଲ କୌଶଲ (୫୦ ବର୍ଷ)ଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ହସ୍ପିଟାଲକୁ ପଠାଯାଇଛି। ଏହା ସହ ସମସ୍ତ ଆହତଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଶ୍ୟାମଲାଲଙ୍କ ଜ୍ବାଇଁ ରାଜେଶ କହିଛନ୍ତି ଯେ, ଶୁକ୍ରବାର ଅର୍ଥାତ୍ ଜୁଲାଇ ୪ରେ ବାଗେଶ୍ବର ଧାମର ପୀଠାଧୀଶ୍ୱର ବାବା ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ଜନ୍ମଦିନ। ଏହି କାରଣରୁ ତାଙ୍କ ପରିବାର ଉତ୍ତରପ୍ରଦେଶରୁ ବାଗେଶ୍ୱର ଧାମକୁ ଆସିଥିଲେ। ଗୁରୁବାର ସକାଳେ ସମସ୍ତେ ପ୍ରସ୍ତୁତ ହୋଇ ବାବାଙ୍କ ଦର୍ଶନ ପାଇଁ ପହଞ୍ଚିଥିଲେ। ଏହି ସମୟରେ ଦୁର୍ଘଟଣା ଘଟିଥିଲା।