ନୂଆଦିଲ୍ଲୀ : ପ୍ରତି କୋଭିଡ୍-ମୃତକଙ୍କ ପରିବାରକୁ ୫୦,୦୦୦ ଟଙ୍କାର ଅନକମ୍ପା ରାଶି ପ୍ରଦାନ କରିବାକୁ ପୂର୍ବରୁ ସୁପ୍ରିମ୍କୋର୍ଟ ସରକାରଙ୍କୁ ଯେଉଁ ଆଦେଶ ଦେଇଥିଲେ ତା’ର ଦୁରୁପଯୋଗ କରାଯାଉଥିବା ଏବଂ ନକଲି କାଗଜପତ୍ର ଜରିଆରେ ବହୁଲୋକ କ୍ଷତିପୂରଣ ପାଉଥିବା ନେଇ କୋର୍ଟ ଉଦ୍ବେଗ ପ୍ରକାଶ କରିଛନ୍ତି। ଭାରତର ନିୟନ୍ତ୍ରକ ଓ ମହାଲେଖାପାଳ (ସିଏଜି)ଙ୍କୁ ଏହାର ତଦନ୍ତ କରିବା ପାଇଁ ଆଦେଶ ଦେବାକୁ ବିଚାର କରୁଛନ୍ତି ବୋଲି ସୋମବାର କୋର୍ଟ କହିଥିଲେ। ଅନୁକମ୍ପା ରାଶି ବା କ୍ଷତିପୂରଣ ପ୍ରଦାନ ମାଧ୍ୟମରେ କୋଭିଡ୍-ପୀଡ଼ିତଙ୍କୁ ସାହାଯ୍ୟ କରିବା ଏକ ପବିତ୍ର କାର୍ଯ୍ୟ। କିନ୍ତୁ ଏହି ଯୋଜନାର ଦୁରୁପଯୋଗ କରାଯାଇପାରେ ବୋଲି ଆମେ କେବେ କଳ୍ପନା କରି ନ ଥିଲୁ ବୋଲି ଏ ସମ୍ପର୍କିତ ମାମଲାର ବିଚାର କରୁଥିବା ଜଷ୍ଟିସ୍ ଏମ୍ଆର୍ ଶାହ ଓ ବିଭି ନାଗରତ୍ନାଙ୍କ ବେଞ୍ଚ କହିଥିଲେ।
ମାର୍ଚ୍ଚ ୭ ତାରିଖରେ କେନ୍ଦ୍ର ସରକାରଙ୍କ ତରଫରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ହାଜର ହୋଇ ନକଲି କୋଭିଡ୍-୧୯ ସାର୍ଟିଫିକେଟ୍ ଓ ନକଲି କାଗଜପତ୍ରରେ କ୍ଷତିପୂରଣ ରାଶି ପାଇବା ନେଇ କେତେକ ପ୍ରମାଣ ଉପସ୍ଥାପନ କରିଥିଲେ। କୋର୍ଟ କହିଥିଲେ, ନକଲି ସାର୍ଟିଫିକେଟ୍ ପ୍ରଦାନ କରିବାରେ ଯଦି ସରକାରୀ କର୍ମଚାରୀମାନେ ସଂଶ୍ଳିଷ୍ଟ ଥିବେ ତେବେ ଏହା ଆହୁରି ସାଂଘାତିକ। ସୂଚନାଯୋଗ୍ୟ ଗତବର୍ଷ ସୁପ୍ରିମ୍କୋର୍ଟ କୋଭିଡ୍-ମୃତକଙ୍କ ପରିବାରକୁ ଆବେଦନର ୩୦ ଦିନ ଭିତରେ ୫୦,୦୦୦ ଟଙ୍କା ଲେଖାଏ କ୍ଷତିପୂରଣ ରାଶି ପ୍ରଦାନ କରିବାକୁ କେନ୍ଦ୍ର ସରକାରଙ୍କୁ ଆଦେଶ ଦେଇଥିଲେ।