ମିଛ ବିମାନ ଅପହରଣ ଧମକ:ମୁମ୍ବାଇ ବ୍ୟବସାୟୀଙ୍କୁ ଆଜୀବନ ଜେଲ୍‌

୫ କୋଟି ଜୋରିମାନା:ପାଟନା ବିମାନ ବନ୍ଦରକୁ ଉଡ଼ାଇ ଦେବାକୁ ଧମକ ଦେଇ ନାବାଳକ ଗିରଫ

ଅହମଦାବାଦ: ବିମାନ ଅପହରଣର ମିଛ ଧମକ ଦେବା ଜଣେ ବ୍ୟବସାୟୀଙ୍କ ପାଇଁ ଅତି ମହଙ୍ଗା ସାବ୍ୟସ୍ତ ହୋଇଛି। ମୁମ୍ବାଇର ଜଣେ ଅଳଙ୍କାର ବ୍ୟବସାୟୀ ବିର୍ଜୁ କିଶୋର ସଲ୍ଲାଙ୍କୁ ଏନ୍‌ଆଇଏର ଏକ ସ୍ବତନ୍ତ୍ର ଅଦାଲତ ‘୨୦୧୬- ବିମାନ ଅପହରଣ ନିରୋଧ ଆଇନ’ ଆଧାରରେ ଆଜୀବନ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। ଏହା ସହିତ ବିର୍ଜୁଙ୍କ ଉପରେ ୫ କୋଟି ଟଙ୍କା ଜୋରିମାନା ମଧ୍ୟ ଲଗାଯାଇଛି । ବିମାନ ଅପହରଣ ନିରୋଧ ଆଇନକୁ ଅତି କଠୋର କରାଯାଇଥିବା ବେଳେ ଏ କ୍ଷେତ୍ରରେ ଏହା ପ୍ରଥମ ଦଣ୍ଡାଦେଶ।
ବିର୍ଜୁ ୩୦ ଅକ୍ଟୋବର ୨୦୧୭ରେ ଜେଟ୍‌ ଏୟାରୱେଜ୍‌ର ଏକ ବିମାନ ଟଏଲେଟ୍‌ରେ ଏକ ମେସେଜ୍‌ ଲଗାଇଥିଲେ ଯେଉଁଥିରେ ଲେଖାଥିଲା- ‘ବିମାନରେ ଅପହରଣକାରୀ ଉପସ୍ଥିତ ଅଛନ୍ତି ଏବଂ ସେମାନେ ବିମାନକୁ ନିଜ ନିୟନ୍ତ୍ରଣକୁ ନେଇଛନ୍ତି। ତେଣୁ ବିମାନକୁ ଦିଲ୍ଲୀରେ ଅବତରଣ ନ କରି ପାକ୍‌ ଅଧିକୃତ କଶ୍ମୀରକୁ ନେଇଯିବା ଉଚିତ।’ ଏହାପରେ ପାଇଲଟ୍‌ ବିମାନର ଜରୁରୀ ଅବତରଣ କରାଇଥିଲେ। ବିମାନକକୁ ଅହମଦାବାଦ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରାଯାଇଥିଲା। ଅଦାଲତ ଏହି ମାମଲାରେ ସଂପୃକ୍ତ ବିମାନର ପାଇଲଟ୍‌ଙ୍କୁ ୧ ଲକ୍ଷ ଟଙ୍କା, ସମସ୍ତ ଏୟାର ହୋଷ୍ଟେସ୍‌ଙ୍କୁ ୫୦ ହଜାର ଟଙ୍କା ଏବଂ ସମସ୍ତ ଯାତ୍ରୀଙ୍କୁ ୨୫ ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ପାଟନା / ନୂଆଦିଲ୍ଲୀ: ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ଜଣେ ୮ ବର୍ଷର ନାବାଳକ ପାଟନା ବିମାନ ବନ୍ଦରକୁ ବୋମା ଦ୍ୱାରା ଉଡ଼ାଇ ଦେବାକୁ ମିଥ୍ୟା ଧମକ ଦେଇ ଗିରଫ ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ପୁଲିସ ହାତରେ ଗିରଫ ହେବାପରେ ଏହି ନାବାଳକ ନିଜ ଦୋଷକୁ ସ୍ୱୀକାର କରିବା ସହ ଏପରି କରିବା ପଛରେ ସେ ଯେଉଁ କାରଣ ଦର୍ଶାଇଛି ତାକୁ ଶୁଣିବା ପରେ ପୁଲିସ୍‌ର ହୋସ୍‌ ଉଡ଼ିଯାଇଛି। ବାଳକଟି ପୁଲିସ୍‌କୁ କହିଛି ଯେ ଏକ ଭୋଜପୁରୀ ଚଳଚ୍ଚିତ୍ର ‘ଟ୍ରେନ୍‌ ସେ ପାକିସ୍ତାନ’ରେ ଥିବା ଏକ ଦୃଶ୍ୟକୁ ଦେଖି ପ୍ରଭାବିତ ହେବା ସହ ସେ ଏପରି କାଣ୍ଡ ଘଟାଇଛି। ପାଟନା ଡିଏସ୍‌ପି ରାଜେଶ କୁମାର ପ୍ରଭାକର କହିଛନ୍ତି ଯେ ଗତ ସୋମବାର ଦିନ ପାଟନାର ଜୟପ୍ରକାଶ ନାରାୟଣ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ଏକ ଫୋନ୍‌ କଲ୍‌ ଆସିଥିଲା। ଯେଉଁଥିରେ ଫୋନ୍‌ କରିଥିବା ବ୍ୟକ୍ତି ବିମାନ ବନ୍ଦରକୁ ବୋମା ଦ୍ୱାରା ଉଡ଼ାଇ ଦିଆଯିବ ବୋଲି ଧମକ ଦେଇଥିଲା।
ତଦନ୍ତ କାଳରେ ପୁଲିସ୍‌ ବିମାନ ବନ୍ଦରର କଲ୍‌ ରେକର୍ଡକୁ ଯାଞ୍ଚ କଲା ପରେ ଜାଣିବାକୁ ପାଇଥିଲା ଯେ ଧମକପୂର୍ଣ୍ଣ କଲ୍‌ଟି ଏକ ମୋବାଇଲ ନମ୍ବରରୁ ପାଟନା ବିମାନ ବନ୍ଦରକୁ ଆସିଥିଲା। ସଂପୃକ୍ତ ମୋବାଇଲ ନମ୍ବରଟି ପାଟନା ବିର୍ଲା କଲୋନୀର ବାସିନ୍ଦା ସିଦ୍ଧାନ୍ତ ଶର୍ମାଙ୍କର ବୋଲି ତଦନ୍ତରୁ ଜଣା ପଡ଼ିବା ପରେ ପୁଲିସ୍‌ ଯାଇ ତାଙ୍କ ନିକଟରେ ପହଞ୍ଚିଥିଲା। ପୁଲିସ୍‌ ବିର୍ଲା ନଗରରେ ପହଞ୍ଚି ୭୦ ବର୍ଷ ବୟସ୍କ ସିଦ୍ଧାନ୍ତ ଶର୍ମାଙ୍କୁ ଘଟଣା ସଂପର୍କରେ ଜେରା କରୁଥିବା ବେଳେ ସେ ଘଟଣା ବାବଦରେ କିଛି ବି ଜାଣି ନଥିବା ପୁଲିସ୍‌କୁ କହିଥିଲେ। ହେଲେ, ଏହି ସମୟରେ ସେଠାରେ ଉପସ୍ଥିତ ଥିବା ତାଙ୍କର ୮ ବର୍ଷର ନାତି ପୁଲିସ୍‌କୁ କହିଥିଲା ଯେ ଜେଜେ ଶୋଇଥିବା ବେଳେ ସେ ତାଙ୍କ ଫୋନ୍‌ରୁ ଫୋନ୍‌ କରି ଏପରି ଧମକ ଦେଇଥିଲା।

ସମ୍ବନ୍ଧିତ ଖବର