ସଂକଟରେ ସାଂସାରିକ, ସାମାଜିକ ଜୀବନ!

କର୍ମମୁଖର ଜାପାନୀଙ୍କୁ ଭଗାଇବ ଡ୍ରୋନ୍‌

ଟୋକିଓ: ଜାପାନୀମାନଙ୍କ କର୍ମତତ୍ପରତା ସେମାନଙ୍କ ସାଂସାରିକ ଜୀବନରେ ନକାରାତ୍ମକ ପ୍ରଭାବ ପକାଉଛି। ଫଳରେ ନିଜ କାର୍ଯ୍ୟାଳୟରେ ରହି ଅଧିକ ସମୟ କାର୍ଯ୍ୟ କରୁଥିବା ଜାପାନୀମାନଙ୍କୁ ଏଥିରୁ ବିରତ କରିବା ପାଇଁ ତାଇସେଇ କମ୍ପାନି ଏକ ଅଭିନବ କୌଶଳ ଆପଣାଇଛି। କର୍ମସ୍ଥଳରେ ମନପ୍ରାଣ ଦେଇ ଆବଶ୍ୟକତାଠାରୁ ଅଧିକ ସମୟ ଧରି ଖଟୁଥିବା ଜାପାନୀମାନଙ୍କୁ ଘରମୁହାଁ ହେବା ପାଇଁ ଏଣିକି ବାଧ୍ୟ କରାଯିବ। ନିର୍ଦ୍ଧାରିତ ସମୟ ଅତିକ୍ରାନ୍ତ ପରେ ଏକ ଚାଳକବିହୀନ ବିମାନ(ଡ୍ରୋନ୍‌) କାର୍ଯ୍ୟାଳୟ ପରିସରରେ ଘୂରି ବୁଲି ଉଚ୍ଚ ସ୍ୱରରେ ‘ବନ୍ଦ ବେଳ ହେଲା’ ବୋଲି ଶବ୍ଦ କରିବା ସହ ସଂପୃକ୍ତ କର୍ମଚାରୀ କାର୍ଯ୍ୟାଳୟ ନଛାଡ଼ିଲା ପର୍ଯ୍ୟନ୍ତ ସେହିପରି ସତର୍କ କରାଇ ଚାଲିଥିବ। ଏହାଦ୍ୱାରା କର୍ତ୍ତବ୍ୟନିଷ୍ଠ ଜାପାନୀମାନଙ୍କୁ ନିଜ ପରିବାର ପାଇଁ କିଛି ସମୟ ବିନିଯୋଗ କରିବାର ଅବସର ମିଳିଯିବ ବୋଲି ଆଶା କରାଯାଉଛି।

ଉଲ୍ଲେଖ ଥାଉ କି, ନିଜ ଉପରେ ନ୍ୟସ୍ତ ଥିବା କାର୍ଯ୍ୟଭାରକୁ ସୁଚାରୁରୂପେ ତୁଲାଇବା ପାଇଁ ଜାପାନୀମାନଙ୍କର ବିଶ୍ୱବ୍ୟାପୀ ପ୍ରସିଦ୍ଧି ରହିଛି। ଏପରିକି ସେମାନଙ୍କ ଭିତରେ ମାତ୍ରାଧିକ କର୍ମପ୍ରବଣ ହେବାର ଏକ ସଂସ୍କୃତି ସୃଷ୍ଟି ହେବା ସହ ତାହା ବଜାୟ ରହିଆସିଛି। ଫଳରେ ସ୍ଥଳବିଶେଷରେ ଅନେକ ଜାପାନୀ ଘରଦ୍ୱାର ଭୁଲି ନିଜ କର୍ମକ୍ଷେତ୍ରରେ ନିଷ୍ଠାପର ଭାବେ ଯେତେ ଅଧିକ ସମୟ ସମ୍ଭବ ଖଟିବାକୁ ପସନ୍ଦ କରିଥାନ୍ତି। କର୍ତ୍ତବ୍ୟନିଷ୍ଠ ଏବଂ ଉତ୍ସର୍ଗୀକୃତ ମନୋଭାବର ଏହା ନିଦର୍ଶନ ବୋଲି ବିବେଚନା କରି ଜାପାନ ସରକାର ମଧ୍ୟ ଏହି ନିଆରା କର୍ମସଂସ୍କୃତିକୁ ପ୍ରୋତ୍ସାହିତ କରି ଆସୁଥିଲେ। ମାତ୍ର ଏହାଦ୍ୱାରା ସେମାନଙ୍କ ସାଂସାରିକ ଜୀବନ ବିପନ୍ନ ହେବା ସହ ଆତ୍ମହତ୍ୟା ଘଟଣା ମଧ୍ୟ ଉଲ୍ଲେଖନୀୟ ଭାବେ ବଢ଼ିଚାଲିଲା। ଏହାକୁ ଦୃଷ୍ଟିରେ ରଖି ୨୦୨୦ ଟୋକିଓ ଅଲମ୍ପିକ୍‌ ଷ୍ଟାଡିଅମ୍‌ ନିର୍ମାଣ ଦାୟିତ୍ୱ ନେଇଥିବା ତାଇସେଇ କମ୍ପାନି ଏପରି ନିଆରା ପଦକ୍ଷେପ ନେବାକୁ ଯୋଜନା କରିଛି।

ସମ୍ବନ୍ଧିତ ଖବର