୪ ଦୁଷ୍କର୍ମ ଅଭିଯୁକ୍ତଙ୍କ ମୃତଦେହ ନେବାକୁ ମନାକଲେ ସଂପର୍କୀୟ, ଅନ୍ତିମ ସଂସ୍କାର କରିପାରେ ପୁଲିସ

ହାଇଦ୍ରାବାଦ: ଆଜି ହାଇଦ୍ରାବାଦ ପୁଲିସ ଡାକ୍ତରାଣୀଙ୍କୁ ଦୁଷ୍କର୍ମ କରିଥିବା ୪ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି । ତେବେ ଯେଉଁଠାରେ ସେମାନେ ପୀଡିତାଙ୍କୁ ଦୁଷ୍କର୍ମ କରି ହତ୍ୟା କରିଥିଲେ ଠିକ୍ ସେହି ସ୍ଥାନରେ ହିଁ ପୁଲିସ ଗୁଳିରେ ଅଭିଯୁକ୍ତ ଆରିଫ୍,  ନବୀନ, ଶିବା ଓ ଚେନାକେଶବୁଲୁର ଜୀବନ ଯାଇଛି। ଆଉ ହାଇଦ୍ରାବାଦ ପୁଲିସର ଏଭଳି କାର୍ଯ୍ୟକୁ  ମିଳୁଛି ସାବାସୀ । ସେପଟେ, ୪ ଅଭିଯୁକ୍ତଙ୍କ ମୃତଦେହକୁ ସେମାନଙ୍କର ପରିବାର ଲୋକେ ନେବାକୁ ମନା କରିଦେଇଛନ୍ତି। ତେଲେଙ୍ଗାନା ପୁଲିସ ସେମାନଙ୍କର ଅନ୍ତିମ ସଂସ୍କାର କରିପାରେ ବୋଲି ଖବର ମିଳିଛି।

ମିଳିଥିବା ସୂଚନା ଅନୁସାରେ, ତଦନ୍ତ ପାଇଁ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇଥିଲା ପୁଲିସ । ସେହି ସମୟରେ ଅଭିଯୁକ୍ତମାନେ ପୁଲିସ କବଳରୁ ଖସି ପଳାଇବାକୁ ଉଦ୍ୟମ କରିଥିଲେ । ପୁଲିସ ସେମାନଙ୍କୁ ଧରିବା ପାଇଁ ଚେଷ୍ଟା କରୁଥିବା ବେଳେ ଦୁଷ୍କର୍ମକାରୀମାନେ ପୁଲିସ ଉପରକୁ ପଥର ମାଡ କରିଥିଲେ । ତେଣୁ ବାଧ୍ୟ ହୋଇ ଚେତନାପାଲୀର ଓଭରବ୍ରିଜ ପାଖରେ ପୁଲିସ ସେମାନଙ୍କୁ ଏନକାଉଣ୍ଟର କରିଛି । ଶୁକ୍ରବାର ଅଭିଯୁକ୍ତଙ୍କ ମୃତ୍ୟୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ସ୍ପଷ୍ଟ କରିଛନ୍ତି ତେଲେଙ୍ଗାନା ପୁଲିସ କମିଶନର।

ଉଲ୍ଲେଖଯୋଗ୍ୟ, ଗତ ସପ୍ତାହରେ ଡାକ୍ତରାଣୀ ଘରକୁ ଫେରୁଥିବା ବେଳେ ତାଙ୍କୁ ଯୋଜନବଦ୍ଧ ଭାବେ ଅଭିଯୁକ୍ତମାନେ ଗଣଦୁଷ୍କର୍ମ କରିଥିଲେ । ଦୁଷ୍କର୍ମକାରୀ ଡାକ୍ତରାଣୀଙ୍କୁ ଜୋରଜବରଦସ୍ତ ମଦ ପିଆଇ ତାଙ୍କ ସହ ଦୁଷ୍କର୍ମ କରିବା ପରେ ଏକ ଟ୍ରକରେ ନେଇ ଅନ୍ୟଏକ ସ୍ଥାନରେ ପୋଡି ଦେଇଥିଲେ।

ସମ୍ବନ୍ଧିତ ଖବର