ବେଙ୍ଗାଲୁରୁ: କିଛି ଦିନ ତଳେ ଥିଲା ଗଣେଶ ଚତୁର୍ଥୀ । ବେଙ୍ଗାଲୁରୁରେ ଜଣେ ପରିବାର ବପ୍ପାଙ୍କୁ ଘରକୁ ପୂଜା କରିବାକୁ ଆଣି ତାଙ୍କ ବେକରେ ସୁନା ଚେନ୍ ପକାଇଥିଲେ। ହେଲେ ବିସର୍ଜନ ବେଳେ ଚେନ୍ କାଢ଼ିବାକୁ ଭୁଲିଯାଇଥିଲେ ବୋଲି ଜଣାଯାଇଛି। ଚେନକୁ ଖୋଜିବା ପାଇଁ ୧୦ଜଣ ଲୋକ ଲାଗିବା ସହ ବିସର୍ଜନ ପାଇଁ ତିଆରି ହୋଇଥିବା ପାଣି ଟାଙ୍କିରୁ ପ୍ରାୟ ୧୦,୦୦୦ଲିଟର ପାଣି କଢ଼ାଯାଇଥିଲା। ଅନେକ ଖୋଜାଖୋଜି ପରେ ପ୍ରାୟ ୧୦ଘଣ୍ଟା ପରେ ଚେନ୍ ମିଳିଥିବା ଜଣାପଡ଼ିଛି।

Advertisment

ମିଳିଥିବା ସୂଚନା ଅନୁଯାୟୀ, ଏହି ଘଟଣା ବେଙ୍ଗାଲୁରୁର ବିଜୟନଗରର ଦସରାହଲ୍ଲୀ ସର୍କଲ ନିକଟରେ ଘଟିଥିଲା। ଗଣେଶ ଚତୁର୍ଥୀ ଅବସରରେ ରାମୈୟା ଏବଂ ଉମା ଦେବୀ ଘରେ ଗଣପତି ମୂର୍ତ୍ତି ସ୍ଥାପନ କରିଥିଲେ। ଫୁଲରେ ମୂର୍ତ୍ତି ସଜାଇବା ସହ ସେମାନେ ୪ଲକ୍ଷର ସୁନା ଚେନ୍ ଠାକୁରଙ୍କୁ ପିନ୍ଧାଇଥିଲେ। ପୂଜା ପରେ ଶନିବାର ରାତିରେ ପରିବାର ବିସର୍ଜନ ପାଇଁ ମୋବାଇଲ ଟ୍ୟାଙ୍କ ପାଖରେ ପହଞ୍ଚିଥିଲେ। ବିସର୍ଜନ ସାରି ଘରକୁ ଫେରିବା ପରେ ସେମାନଙ୍କର ସୁନା ଚେନ୍ କଥା ମନେ ପଡ଼ିଥିଲା। ପୁଣି ଥରେ ମୋବାଇଲ ଟ୍ୟାଙ୍କ ପାଖରେ ପହଞ୍ଚିବା ପରେ ବିସର୍ଜନ ଦାୟିତ୍ବରେ ଥିବା ଯୁବକମାନେ କହିଥିଲେ, ଆମେ ଚେନ୍ ଦେଖିଥିଲୁ, ହେଲେ ନକଲି ବୋଲି ଭାବି ଆଉ ଉଠାଇଲୁ ନାହିଁ।

ଏହାଶୁଣି ରାମୈୟା ଏବଂ ଉମା ଦେବୀ ପୁଲିସକୁ ସୂଚନା ଦେବା ସହ ବିଧାୟକ ପ୍ରିୟା କ୍ରିଷ୍ଣାଙ୍କୁ ସୂଚନା ଦେଇଥିଲେ। ପ୍ରିୟା କ୍ରିଷ୍ଣା ମୋବାଇଲ ଟ୍ୟାଙ୍କ ବସାଇଥିବା କଣ୍ଟ୍ରାକ୍ଟରକୁ ଡାକି ପାଣି ଖାଲି କରିବାକୁ କହିଥିଲେ। ପ୍ରାୟ ୧୦ହଜାର ଲିଟର ପାଣି ଖାଲି ହେବା ପରେ ଭିତରେ ଅଧିକ ମାଟି ଭରିଯାଇଥିବାରୁ ୧୦ଜଣ ଯୁବକ ଚେନ୍ ଖୋଜିବାକୁ ଲାଗିପଡ଼ିଥିଲେ। ୧୦ଘଣ୍ଟା ଖୋଜା ଖୋଜି କରାଯିବା ପରେ ଚେନଟି ମିଳିଥିଲା ବୋଲି ଜଣାଯାଇଛି।