ଚେନ୍ନାଇ: ଦେଶବ୍ୟାପୀ ଏବେ କରୋନା ମୁକାବିଲାରେ ନିୟୋଜିତ ସ୍ବାସ୍ଥ୍ୟକର୍ମୀଙ୍କୁ ସାଲ୍ୟୁଟ୍‌ କରାଯାଉଛି। ଡାକ୍ତରମାନେ ହିଁ ଏବେ ଭଗବାନ ପାଲଟିଛନ୍ତି। କିନ୍ତୁ କିଛି ସ୍ଥାନ‌ରେ ଡାକ୍ତରମାନଙ୍କୁ ଯେଭଳି ଅମାନବୀୟ ଆଚରଣ ଦେଖା‌ଯାଉଛି ତାହା ଅତ୍ୟନ୍ତ ଲଜ୍ଜାଜନକ। ତାମିଲନାଡ଼ୁରେ ଏହାର ଏକ ନଗ୍ନ ଉଦାହରଣ ଦେଖିବାକୁ ମିଳିଛି। ତାମିଲନାଡ଼ୁର ଜଣେ ଡାକ୍ତରଙ୍କୁ ମୃତ୍ୟୁ ପରେ ବି ସମ୍ମାନ ମିଳିନି। ୫୫ ବର୍ଷୀୟ ନ୍ୟୁରୋସର୍ଜନ୍‌ ଡ. ସିମନ୍‌ ହରକ୍ୟୁଲ୍‌ସଙ୍କର ଗତକାଲି କରୋନାରେ ମୃତ୍ୟୁ ହୋଇଯାଇଥିଲା। ଡ. ହରକ୍ୟୁଲ୍‌ସଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ଖରାପ୍‌ ହୋଇଯିବାପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ପରେ ସେ କରୋନା ପଜିଟିଭ୍‌ ଥିବା ଜଣାପଡ଼ିଥିଲା। ଗତକାଲି ସକା‌ଳେ ତାଙ୍କର ହୃଦ୍‌ଘାତରେ ମୃତ୍ୟୁ ହୋଇଥିଲା। ମେଡିକାଲ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ ରୋଗୀଙ୍କୁ ଚିକିତ୍ସା କରିବା ସମୟରେ ସେ କରୋନା ସଂକ୍ରମିତ ହୋଇଥାଇ ପାରନ୍ତି। ତେବେ ଡ. ହରକ୍ୟୁଲ୍‌ସଙ୍କ ମୃତ୍ୟୁପରେ ତାଙ୍କ ମର ଶରୀରକୁ ତାଙ୍କ ପରିବାରକୁ ପଠାଯାଇଥିଲା। ଡାକ୍ତରଙ୍କୁ ସମାଧି ଦେବାପାଇଁ ଅନ୍ୟ କିଛି ଡାକ୍ତର କିଲପକ୍‌ ଶ୍ମଶାନ ନିକଟରେ ଯାଇ ପହଞ୍ଚିଥିଲେ। କିନ୍ତୁ ସ୍ଥାନୀୟ ଲେକମାନେ ଡାକ୍ତରଙ୍କୁ ସମାଧି ଦେବା କାର୍ଯ୍ୟକୁ ବିରୋଧ କରିଥିଲେ। ଯେଉଁ ଆମ୍ବୁଲାନ୍ସରେ ଡାକ୍ତରଙ୍କ ମର ଶରୀର ନିଆଯାଇଥିଲା ସେହି ଆମ୍ବୁଲାନ୍ସ ଉପରେ ଆକ୍ରମଣ କରାଯାଇଥିଲା। ବିରୋଧ ସତ୍ତ୍ବେ ଆମ୍ବୁଲାନ୍ସଟି ଆନ୍ନା ନଗର ସ୍ଥିତ ଶ୍ମଶାନରେ ପହଞ୍ଚିଥିଲା। କିନ୍ତୁ ସ୍ଥାନୀୟ ଲୋକମାନେ ଗାଡ଼ି ଉପରକୁ ପଥର ମାଡ଼ କରିବା ସହ ଡାକ୍ତରଙ୍କ ପରିବାର ସଦସ୍ୟଙ୍କୁ ବି ଆକ୍ରମଣ କରିଥିଲେ। ଆମ୍ବୁଲାନ୍ସ ଡ୍ରାଇଭର୍‌ ଏବଂ ଜଣେ ସଫେଇ କର୍ମୀ ଆହତ ହୋଇଥିବାବେଳେ ଗାଡ଼ି ମଧ୍ୟ ଭାଙ୍ଗି ଯାଇଛି। ପରିବାର ଲୋକ ଆକ୍ରମଣରୁ ବର୍ତ୍ତିବାପାଇଁ ଉକ୍ତ ସ୍ଥାନ ଛାଡ଼ି ଦୌଡ଼ି ପଳାଇଥିଲେ। କିନ୍ତୁ ଡ. ହରକ୍ୟୁଲ୍‌ସ ତାଙ୍କର ଜଣେ ବନ୍ଧୁ ତାଙ୍କ ମର ଶରୀରକୁ ଅନ୍ୟ ଏକ ସ୍ଥାନକୁ ନେଇଥିଲେ। ପୁଲିସ ସୁରକ୍ଷା ସହ ତାଙ୍କୁ ସମାଧି ଦିଆଯାଇଥିଲ‌ା। କିନ୍ତୁ ଏହି ସମୟରେ କୌଣସି ପରିବାର ଲୋକ ଉପସ୍ଥିତ ନଥିଲେ। ମିଳିଥିବା ସୂଚନାନୁଯାୟୀ ଉକ୍ତ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି ଏବଂ ୨୦ ଜଣ ଗିରଫ ହୋଇଛନ୍ତି।