ରାଷ୍ଟ୍ରପତିଙ୍କୁ ଇଛାମୃତ୍ୟୁ ପାଇଁ ଆବେଦନ କଲେ ପରିବାରର ୧୧ ଜଣ ସଦସ୍ୟ

ଭୋପାଳ: ମଧ୍ୟପ୍ରଦେଶର ଗ୍ୱାଲିଅରରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ପରିବାରର ୧୧ ଜଣ ସଦସ୍ୟ ଇଛାମୃତ୍ୟୁ ପାଇଁ ଆବେଦନ କରିଛନ୍ତି | ଏହି ମାମଲା ଗ୍ୱାଲିଅର ଜିଲ୍ଲାର ଘାଟିଗାଓଁ ତହସିଲର ବିରବାଲି ଗାଁରୁ ଆସିଛି । ଇଛାମୃତ୍ୟୁ ପାଇଁ ଆବେଦନ କରିଥିବା ପରିବାର ପକ୍ଷରୁ କୁହାଯାଇଛି ଯେ ଦୁଇ ଜଣ ଗୁଣ୍ଡାଶ୍ରେଣୀୟ ବ୍ୟକ୍ତି ସେମାନଙ୍କ ଜମି ଦଖଲ କରିବାକୁ ଚାହୁଁଛନ୍ତି | ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ଯେ ଜିତେନ୍ଦ୍ର ଅଗ୍ରୱାଲ ଏବଂ ବିଜୟ କାକୱାନୀ ନାମକ ଦୁଇଜଣ ବ୍ୟକ୍ତି ସେମାନଙ୍କୁ ହଇରାଣ କରୁଛନ୍ତି । ଏହି ଲୋକମାନେ ପରିବାରର ଦେଢ଼ ଏକର ଜମିକୁ ଜବରଦଖଲ କରିବାକୁ ଚେଷ୍ଟା କରୁଛନ୍ତି |

ପରିବାରର ମୁଖ୍ୟ ସାବୀର ଖାନ କହିଛନ୍ତି ଯେ ଜମି ତାଙ୍କ ନାମରେ ଥିଲେ ବି ଏହି ଦୁଇ ଜଣ ବ୍ୟକ୍ତି ଆମର ପୈତୃକ ଜମି ଦଖଲ କରି ଏକ ଆପାର୍ଟମେଣ୍ଟ ନିର୍ମାଣ କରିବାକୁ ଯାଉଛନ୍ତି | ଏହି ଲୋକମାନେ ପ୍ଲଟ କରି ଅନ୍ୟ ଲୋକଙ୍କୁ ବିକ୍ରୟ କରିବାକୁ ଚେଷ୍ଟା କରୁଛନ୍ତି |

ଏହି ଦୁଇଜଣଙ୍କୁ ଏପରି ନକରିବାକୁ ଅନେକ ଥର କୁହାଯାଇଥିଲେ ବି ଏମାନେ ତାଙ୍କୁ ହତ୍ୟା କରିବାକୁ ଧମକ ଦେଇଛନ୍ତି। ପରିବାରବର୍ଗଙ୍କ କହିବାନୁସାରେ, ବିବାଦୀୟ ଜମିର ମାପଚୁପ କରିବା ପାଇଁ ତହସିଲଦାରଙ୍କ ନିକଟରେ ଆବେଦନ କରାଯାଇଛି। ତଥାପି ତହସିଲଦାରଙ୍କ କାର୍ଯ୍ୟାଳୟ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ପରିବାରର କହିବା କଥା ଯେ ଏହି ଜମି ତାଙ୍କ ଜୀବିକାର ଏକମାତ୍ର ପନ୍ଥା ହୋଇଥିବାବେଳେ ଜମି ଯଦି ଚାଲିଯାଏ ତେବେ ପରିବାରର ସମସ୍ତ ସଦସ୍ୟ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବେ।

ସମ୍ବନ୍ଧିତ ଖବର