ପ୍ରଥମଥର ପାଇଁ ପରସ୍ପରକୁ ଚାହିଁଲେ ଜଗା-ବଳିଆ

ଜଗା-ବଳିଆଙ୍କ ଅସ୍ତ୍ରୋପଚାର ନେତୃତ୍ୱ ନେଇଥିବା ପ୍ରଫେସର ଅଶୋକ ମହାପାତ୍ର ଚାକିରିରୁ ଅବସର ନେଲେ

ନୂଆଦିଲ୍ଲୀ : ଯୋଡ଼ାମୁଣ୍ଡ ଅଲଗା ହେବାପରେ ଆଜି ପ୍ରଥମଥର ପାଇଁ ଜଗା-ବଳିଆ ପରସ୍ପରକୁ ଚାହିଁଛନ୍ତି। ଆଜି ବାପା-ମା’ଙ୍କ ସହିତ ଉଭୟ ଶିଶୁ ବସିଥିବା ବେଳେ ବଳିଆକୁ ଅନାଇ ଜଗା ହସିଥିଲା ଓ ଭାଇ ଭାଇ ବୋଲି ଡାକିଥିଲା। ବଳିଆ ମଧ୍ୟ ଭାଇ ଜଗାର ଡାକ ଶୁଣିଥିଲା କିନ୍ତୁ ତାକୁ ନାକବାଟେ ପାଇପ୍‌ ଦ୍ୱାରା ତରଳ ଖାଦ୍ୟ ଦିଆଯାଉଥିବାରୁ ପାଟି ଖୋଲିବା ସମୟରେ ସେ ସାମାନ୍ୟ କଷ୍ଟ ଅନୁଭବ କରୁଥିଲା। ନୂଆବର୍ଷ ପୂର୍ବରୁ ଜଗା-ବଳିଆ ତାଙ୍କ ପିତା ମାତାଙ୍କ ସହ ବିତାଇଥିବା ଅଭୂଲା ମୁହୂର୍ତ୍ତକୁ ଦେଖି ଏମ୍ସର ଡାକ୍ତରମାନେ ଖୁସି ଅନୁଭବ କରିଥିବା ବେଳେ ନୂଆବର୍ଷରେ ସେମାନେ ଅତିଶୀଘ୍ର ସମ୍ପୂର୍ଣ୍ଣ ଆରୋଗ୍ୟ ହୋଇ ନିଜ ଗାଁକୁ ଫେରିବେ ବୋଲି ଡାକ୍ତରୀଦଳ ଆଶାପୋଷଣ କରିଛନ୍ତି।

ଏମ୍ସ ଡାକ୍ତରୀଦଳର କହିବା ଅନୁଯାୟୀ ଦ୍ୱିତୀୟ ପର୍ଯ୍ୟାୟ ଅପରେସନ ପରେ ଜଗାକୁ ଡିସଚାର୍ଜ କରାଯିବାକୁ ଡାକ୍ତର ମାନେ ଚିନ୍ତା କରିଥିବା ବେଳେ ପୁନଃ ଚର୍ମପ୍ରତିରୋପଣ ପାଇଁ ତାକୁ ଆଉ କିଛି ମାସ ଡାକ୍ତରଖାନାରେ ରହିବାକୁ ପଡ଼ିବ। ଜଗା ଖପୁରୀରେ ଯେଉଁସବୁ ସ୍ଥାନରେ ଖପୁରି ଓ ଚର୍ମ ନାହିଁ ସେହି ସ୍ଥାନ ଗୁଡ଼ିକରେ ସଂକ୍ରମଣ ହେବାର ଆଶଙ୍କା ଥିବାରୁ ଅତିଶୀଘ୍ର ଚର୍ମ ପ୍ରତିରୋପଣ କରାଯିବ। ନିସ୍ତେଜକ ଦେଇ ଜଗାର ଆଉ ଦୁଇଟି ଅପରେସନ୍‌ କରାଯିବ। ଦୁଇଭାଇଙ୍କର ଦ୍ୱିତୀୟ ପର୍ଯ୍ୟାୟ ଅପରେସନ ପରେ ସମ୍ପୂର୍ଣ୍ଣ ମାତ୍ରାରେ ଚର୍ମ ପ୍ରତିରୋପଣ କରାଯାଇପାରିନଥିଲା।ଏହାସହିତ ସେମାନଙ୍କର ନିୟମିତ ଫିଜିଓଥେରାପି ଏବଂ ସ୍ୱାସ୍ଥ୍ୟରେ ଉନ୍ନତି ପାଇଁ ସେମାନଙ୍କୁ ଡାକ୍ତରଖାନାରେ ରହିବାକୁ ପଡ଼ିବ ବୋଲି ଏମ୍ସ ପକ୍ଷରୁ କୁହାଯାଇଛି।

ବଳିଆର ସ୍ୱାସ୍ଥ୍ୟରେ ମଧ୍ୟ ଧୀରେଧୀରେ ଉନ୍ନତି ହେଉଥିବା ଜଣାପଡ଼ିଛି। ମିଠାଦହି,ରସଗୋଲା ଶିରା ଆଦି ପାଟିବାଟେ ସେ ସହଜରେ ଗ୍ରହଣ କରିପାରୁଥିବା ଡାକ୍ତର କହିଛନ୍ତି। ଗୋଡ ହାତ ଚଳପ୍ରଚଳ କରିବା ସହ ବଳିଆ ଅନେକ ଜିନିଷକୁ ମଧ୍ୟ ଏବେ ଚିହ୍ନିପାରୁଛି। ବଳିଆ ସ୍ୱାସ୍ଥ୍ୟର ଅଗ୍ରଗତିକୁ ନେଇ ଡାକ୍ତରମାନେ ତତ୍ପର ଥିବା ବେଳେ ପ୍ରତିଦିନ ତାହାର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଉଛି। ବଳିଆର ସ୍ୱାସ୍ଥ୍ୟରେ ଅଶାନୁରୂପ ଉନ୍ନତି ହେବାପରେ ଯାଇ ତାର ଖପୁରୀରେ ଚର୍ମ ପ୍ରତିରୋପଣ କରାଯିବ। ଜଗା-ବଳିଆ ଖୁବ୍‌ ଶୀଘ୍ର ଭଲ ହୋଇ ତାଙ୍କ ଘରକୁ ଫେରିବେ ବୋଲି ତାଙ୍କ ବାପା ମା’ ନୂଆବର୍ଷରେ ଆଶା ପୋଷଣ କରିଛନ୍ତି। ଏମ୍ସର ଡାକ୍ତରୀ ଦଳ ନୂଆବର୍ଷ ପୂର୍ବ ସନ୍ଧ୍ୟାରେ ଦୁଇ ଶିଶୁଙ୍କ ଆରୋଗ୍ୟ କାମନା କରିଛନ୍ତି।

ଅପରପକ୍ଷେ ଜଗା-ବଳିଆଙ୍କ ଜଟିଳ ଓ ବିରଳ ଅସ୍ତ୍ରୋପଚାରର ମୁଖ୍ୟ ସୂତ୍ରଧାର ତଥା ଅପରେସନର ନେତୃତ୍ୱ ନେଇଥିବା ଏମ୍ସ ନ୍ୟୁରୋ ସର୍ଜରୀ ବିଭାଗର ମୁଖ୍ୟ ପ୍ରଫେସର ଅଶୋକ କୁମାର ମହାପାତ୍ର ଆଜି ଚାକିରିରୁ ଅବସର ନେଇଛନ୍ତି। ହେଲେ ଦୁଇଶିଶୁ ସମ୍ପୂର୍ଣ୍ଣ ଆରୋଗ୍ୟ ହେବା ଯାଏଁ ସେ ତାଙ୍କର ସମ୍ପୂର୍ଣ୍ଣ ସହଯୋଗ ଜାରି ରଖିବେ ବୋଲି କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ,ଏହାପୂର୍ବରୁ ପ୍ରଫେସର ମହାପାତ୍ର ଏମ୍ସ ଭୁବନେଶ୍ୱରର ନିର୍ଦ୍ଦେଶକ ରୂବେ କାର୍ଯ୍ୟ କରିସାରିଛନ୍ତି। ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଅନ୍ତର୍ଗତ ବୀରଗୋବିନ୍ଦପୁର ଗ୍ରାମରେ ଜନ୍ମଗ୍ରହଣ କରିଥିବା ପ୍ରଫେସର ମହାପାତ୍ର ଏବେ ରାଜ୍ୟରେ ଅତ୍ୟନ୍ତ ସୁପରିଚିତ।

ସମ୍ବନ୍ଧିତ ଖବର