ପ୍ରଖ୍ୟାତ ଅଭିନେତା ସୌମିତ୍ର ଚାଟାର୍ଜୀଙ୍କ ପରଲୋକ

କୋଲକାତା : ବଙ୍ଗଳା ସିନେମାର କିଂବଦନ୍ତି ଅଭିନେତା ସୌମିତ୍ର ଚାଟାର୍ଜୀଙ୍କର ଆଜି ସକାଳେ ପରଲୋକ ହୋଇଯାଇଛି। କରୋନାରେ ସଂକ୍ରମିତ ହୋଇ ସେ ଦୀର୍ଘଦିନ ହେଲା ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କୁ ଲାଇଫ୍‌ ସପୋର୍ଟ ସିଷ୍ଟମ୍‌ରେ ରଖାଯାଇଥିଲା। ଦାଦା ସାହେବ ଫାଲ୍‌କେ ସମ୍ମାନରେ ସମ୍ମାନିତ ସୌମିତ୍ରଙ୍କ ଆଜି ୮୫ ବର୍ଷ ବୟସରେ ମୃତ୍ୟୁ ହୋଇଛି। ଅକ୍ଟୋବର ୬ ତାରିକରେ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ସୌମିତ୍ରଙ୍କୁ ବେଲ୍‌ଭ୍ୟୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ଆଇସିୟୁରେ ରଖାଯାଇ ସ୍ବତନ୍ତ୍ର ଡାକ୍ତରୀ ଦଳ ଚିକିତ୍ସା କରୁଥିଲେ। ୪୦ ଦିନ ଧରି ମୃତ୍ୟୁ ସହ ସଂଗ୍ରାମ କରିବା ‌ପରେ ସତ୍ୟଜିତ ରାୟଙ୍କ ଚର୍ଚ୍ଚିତ ସିନେମା ‘ଅପୂର ସଂସାର’ରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ସୌମିତ୍ର ଆଜି ଆଖି ବୁଜିଲେ। ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ ଦୀପା, ଝିଅ ପୋଲମୀ ଏବଂ ପୁଅ ସୌଗତ ଉପସ୍ଥିତ ଥିଲେ। ତାଙ୍କ ମୃତ୍ୟୁରେ ଚଳଚ୍ଚିତ୍ର ଜଗତ ସହ ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଛି। ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଆସନ୍ତାକାଲି ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ।

କୋଲକାତା ବିଶ୍ବବିଦ୍ୟାଳୟରୁ ବଙ୍ଗଳା ସାହିତ୍ୟରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିବା ସୌମିତ୍ର ସତ୍ୟଜିତ ରାୟଙ୍କ ଅତି ପ୍ରିୟ ଅଭିନେତା ଥିଲେ। ସତ୍ୟଜିତ ରାୟଙ୍କ ୧୪ଟି ଚଳଚ୍ଚିତ୍ର ସହ ୩୦୦ରୁ ଅଧିକ ସିନେମାରେ ଅଭିନୟ କରିଥିଲେ। ସେ କେବଳ ଫିଲ୍ମ ଅଭିନେତା ନଥିଲେ, ମଞ୍ଚ ଅଭିନେତା, ପଟକଥା ଲେଖକ ଏବଂ ନିର୍ଦ୍ଦେଶକ ମଧ୍ୟ ଥିଲେ। ସେ ଦୁଇଥର ପଦ୍ମଶ୍ରୀ ପୁରସ୍କାରକୁ ପ୍ରତ୍ୟାଖ୍ୟାନ କରିଥିଲେ। ୨୦୦୧ ମସିହାରେ ମଧ୍ୟ ରାଷ୍ଟ୍ରୀୟ ପୁରସ୍କାର ଗ୍ରହଣ କରି ନଥିଲେ। ୨୦୦୪ ମସିହାରେ ତାଙ୍କୁ ପଦ୍ମଭୂଷଣ, ୨୦୦୬ରେ ପୋଡ୍ଡୋଖେପ୍‌ ଚଳଚ୍ଚିତ୍ର ପାଇଁ ରାଷ୍ଟ୍ରୀୟ ସମ୍ମାନ, ୨୦୧୨ରେ ଦାଦା ସାହେବ ଫାଲ୍‌କେ ପୁରସ୍କାର, ୨୦୧୮ରେ ଫ୍ରାନ୍ସର ସର୍ବୋଚ୍ଚ ନାଗରିକ ସମ୍ମାନ ଲିଜନ୍‌ ଡି ଅନର୍‌ରେ ସମ୍ମାନିତ କରାଯାଇଥିଲା। ଏହାଛଡ଼ା ସେ ବହୁ ରାଷ୍ଟ୍ରୀୟ ଓ ଅନ୍ତଃରାଷ୍ଟ୍ରୀୟ ସମ୍ମାନରେ ସମ୍ମାନିତ ହୋଇଥିଲେ।

ସୌମିତ୍ରଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ରାଜ୍ୟପାଳ ଜଗଦୀପ ଧନଖଡ଼ଙ୍କ ସମେତ ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଛି। ପ୍ରଧାନମନ୍ତ୍ରୀ ଟ୍ବିଟ୍‌ କରି କହିଛନ୍ତି, ସୌମିତ୍ରଙ୍କ ମୃତ୍ୟୁ ବିଶ୍ବ ସିନେମା ସହିତ ପଶ୍ଚିବମବଙ୍ଗ ଏବଂ ସମଗ୍ର ଦେଶର ସାଂସ୍କୃତିକ ଜୀବନ ପାଇଁ ବଡ଼ କ୍ଷତି ସୃଷ୍ଟି କରିଛି। ତାଙ୍କ ପରିବାର ଓ ପ୍ରଶଂସକଙ୍କୁ ସେ ସମବେଦନା ଜଣାଇଛନ୍ତି। ରାଷ୍ଟ୍ରପତି ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି, ଭାରତୀୟ ସିନେମା ଜଗତ ଏକ ବଡ଼ ହସ୍ତୀଙ୍କୁ ହରାଇଲା। ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରି କହିଛନ୍ତି, ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ଓ ତୋପସଲାମୀ ସହ ତାଙ୍କର ଅନ୍ତିମ ସଂସ୍କାର କରାଯିବ।

ସମ୍ବନ୍ଧିତ ଖବର