ମୁମ୍ବାଇ: ବଲିଉଡର ଖ୍ୟାତନାମା ନିର୍ଦ୍ଦେଶକ ଇସ୍‌ମାଇଲ ଶ୍ରଫଙ୍କ ୬୨ ବର୍ଷ ବୟସରେ ପରଲୋକ ହୋଇଛି। ହୃଦ୍‌ଘାତରେ ପୀଡ଼ିତ ହେବା ପରେ ଏକ ମାସ ପୂର୍ବେ ତାଙ୍କୁ ମୁମ୍ବାଇର କୋକିଳାବେନ ଧିରୁଭାଇ ଅମ୍ବାନୀ ହସ୍ପିଟାଲ ଭର୍ତ୍ତି କରାଯାଇଥିଲା। ୮୦ ଓ ୯୦ ଦଶକର ହିଟ୍‌ ଡାଇରେକ୍ଟର ଭାବେ ପରିଚିତ ଇସ୍‌ମାଇଲ ଅନେକ ବଲିଉଡ ଚଳଚ୍ଚିତ୍ର ଯଥା ଆହିସ୍ତା ଆହିସ୍ତା, ଜିଦ୍, ଅଗର, ପୁଲିସ୍ ପବ୍ଲିକ୍, ମଜଧାର, ଦିଲ୍ ଆଖିର ଦିଲ୍ ହୈ, ବୁଲନ୍ଦି, ନିଶ୍ଚୟ, ସୂର୍‌ୟା, ଏବଂ ଝୁଟା ସଚ୍ଚର ନିର୍ଦ୍ଦେଶନା ଦେଇଥିଲେ।

Advertisment

ନିର୍ଦ୍ଦେଶକ ଭାବରେ ତାଙ୍କର ଶେଷ ଚଳଚ୍ଚିତ୍ର ଥିଲା ‘ଥୋଡା ତୁମ୍ ବଦଲୋ, ଥୋଡା ହମ୍’ ଏବଂ ୨୦୦୪ରେ ଏହା ମୁକ୍ତିଲାଭ କରିଥିଲା। ଏଥିରେ ବବର ଏବଂ ଶ୍ରୀୟା ସରନ୍ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଇସ୍‌ମାଇଲ୍‌ ତିରୁଚିରାପଲ୍ଲୀର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ସାଉଣ୍ଡ ଇଞ୍ଜିନିୟରିଂରେ ସ୍ନାତକ ହାସଲ କରିଥିଲେ। ପରେ ସେ ଚଳଚ୍ଚିତ୍ର ପ୍ରତି ଆଗ୍ରହ ଦେଖାଇ ମୁମ୍ବାଇ ଯାଇଥିଲେ। ସେ ଭୀମ ସିଂଙ୍କ ସହକାରୀ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ ଏବଂ ପରେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥୋଡିସି ବେୱାଫାଇର ନିର୍ଦ୍ଦେଶନା ଦେଇଥିଲେ।