କରୋନାରେ ଚାଲିଗଲେ ଖ୍ୟାତନାମା ସ୍ତ୍ରୀ ରୋଗ ବିଶେଷଜ୍ଞ

କରୋନାରେ ଅଶୋକ ସାହୁଙ୍କ ହେହାନ୍ତ

ନୂଆଦିଲ୍ଲୀ : ଖ୍ୟାତନାମା ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଏସ କେ ଭଣ୍ଡାରିଙ୍କର କରୋନାରେ ପରଲୋକ ଘଟିଛି। ସାର୍‌ ଗଙ୍ଗା ରାମ୍‌ ହସ୍ପିଟାଲରେ ସେ ବହୁ ଦଶନ୍ଧି ଧରି କାମ କରିଥିଲେ। କଂଗ୍ରେସ ନେତା ରାହୁଲ ଗାନ୍ଧି ଏବଂ ‌ପ୍ରିୟଙ୍କା ଗାନ୍ଧି ତାଙ୍କ ହାତରେ ଜନ୍ମ ହୋଇଥିଲେ। ଏପରିକି ପ୍ରିୟଙ୍କାଙ୍କ ଦୁଇ ପିଲାଙ୍କ ପ୍ରସବ କାର୍ଯ୍ୟ ମଧ୍ୟ ତାଙ୍କ ଦ୍ବାରା ହୋଇଥିଲା। ତାଙ୍କୁ ୮୬ ବର୍ଷ ହୋଇଥିଲା। ହୃଦରୋଗ ସମସ୍ୟା ପାଇଁ ଗତ ଦୁଇ ସପ୍ତାହ ପୂର୍ବେ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। କିନ୍ତୁ ପରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ବୋଲି ସାର୍‌ ଗଙ୍ଗା ରାମ୍ ହସ୍ପିଟାର ଅଧ୍ୟକ୍ଷ ଡାକ୍ତର ଡି ଏସ ରାଣା କହିଛନ୍ତି। ଡାକ୍ତର ଭଣ୍ଡାରୀ କରୋନା ଟିକାର ଦୁଇଟି ଯାକ ଡୋଜ୍ ନେଇଥିଲେ। ତାଙ୍କ ସ୍ବାମୀ ଜଣେ ଅବସରପ୍ରାପ୍ତ ଆଇଏଏସ ହୋଇଥିବାବେଳେ ତାଙ୍କ ବୟସ ୯୭ ବର୍ଷ। ସେ କରୋନାରେ ଆକ୍ରାନ୍ତ ହୋଇ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି। ଡାକ୍ତର ଭଣ୍ଡାରିଙ୍କ ମୃତ୍ୟୁରେ ପ୍ରିୟଙ୍କା ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି।

କରୋନାରେ ଅଶୋକ ସାହୁଙ୍କ ହେହାନ୍ତ

ନୂଆଦିଲ୍ଲୀ : କରୋନାରେ ଆକ୍ରାନ୍ତ ହୋଇ ଗତ ଚାରିଦିନ ଧରି ଦିଲ୍ଲୀର ଏଲ୍‌ଏନ୍‌ଜିପି ହସ୍‌ପିଟାଲରେ ଚିକିତ୍ସିତ ହେଉଥିବା ରାଜ୍ୟସଭାର ସଚିବାଳୟ ଓଆଣ୍ଡଏମ୍ ସେକ୍‌ସନ୍‌ର ନିର୍ଦ୍ଦେଶକ ଅଶୋକ କୁମାର ସାହୁଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ହୋଇଥିଲା। ସେ ତାଙ୍କର ସ୍ତ୍ରୀ, ପୁଅ ଓ ଝିଅକୁ ଛାଡ଼ି ଚାଲି ଯାଇଛନ୍ତି। ଜେନ୍‌ୟୁରେ ଉଚ୍ଚଶିକ୍ଷା ଲାଭ କରିଥିବା ଅଶୋକ ଗତ ୨୨ ବର୍ଷରୁ ରାଜ୍ୟସଭା ସଚିବାଳୟରେ କାର୍ଯ୍ୟ କରିଆସୁଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ସେହିପରି ଗତକାଲି ରାମ ମନୋହର ଲୋହିଆ ହସ୍‌ପିଟାଲର ଜେନେରାଲ ସର୍ଜରୀ ବିଭାଗର ଅବସରପ୍ରାପ୍ତ ପ୍ରଫେସର ଡାକ୍ତର ଉପେନ୍ଦ୍ର ବିଶ୍ୱାଳଙ୍କ ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର