ମୁମ୍ବାଇ: ବିଶିଷ୍ଟ ଗୀତିକାର ତଥା କବି ଦେବ କୋହଲିଙ୍କର ଶନିବାର ମୁମ୍ବାଇରେ ପରଲୋକ ହୋଇଯାଇଛି। ଦେବ କୋହଲିଙ୍କ ମୁଖପାତ୍ର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ରିପୋର୍ଟ ଅନୁଯାୟୀ, ମୁମ୍ବାଇର ଲୋଖଣ୍ଡୱାଲା କମ୍ପ୍ଲେକ୍ସରେ ଥିବା ତାଙ୍କ ଘରେ ଦେବ କୋହଲିଙ୍କ ଅନ୍ତିମ ଦର୍ଶନ ଅପରାହ୍ଣ ୨ଟାରୁ ଅନୁଷ୍ଠିତ ହୋଇଥିଲା ସନ୍ଧ୍ୟା ୬ଟାରେ ଯୋଗେଶ୍ୱରୀ ୱେଷ୍ଟସ୍ଥିତ ଓଶିୱାରା ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଛି। ଦେବ କୋହଲିଙ୍କୁ ୮୧ ବର୍ଷ ହୋଇଥିଲା ଏବଂ ଆଜି ସକାଳେ ଶୋଇଥିବା ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ଦେବ କୋହଲି ବାଜିଗର, ହମ୍ ଆପକେ ହୈ କୌନ, ମୈନେ ପ୍ୟାର୍ କିଆ, ସୁଟ୍ ଆଉଟ୍ ଆଟ୍ ଲୋଖଣ୍ଡୱାଲା ଭଳି ବଲିଉଡ୍ ଚଳଚ୍ଚିତ୍ର ପାଇଁ ଶତାଧିକ ଗୀତ ଲେଖିଥିଲେ।
ସେ ଶେଷ ଥର ପାଇଁ କଙ୍ଗନା ରାଣାୱତଙ୍କ ଅଭିନୀତ ରଜ୍ଜୋ ପାଇଁ ଗୀତ ଲେଖିଥିଲେ, ଯାହାକୁ ଉତ୍ତମ ସିଂହ ସ୍ବରସଂଯୋଜନା କରିଥିଲେ। ଦେବ କୋହଲି ୧୯୪୨ ମସିହା ନଭେମ୍ବର ୨ ତାରିଖରେ ପାକିସ୍ତାନର ରାଵଲପିଣ୍ଡିରେ ଜନ୍ମଗ୍ରହଣ କରିଥିଲେ ଏବଂ ୧୯୪୯ମସିହାରେ ଦିଲ୍ଲୀରୁ ଡେରାଡୁନ ସ୍ଥାନାନ୍ତରିତ ହେବା ପରେ ସେଠାରେ ତାଙ୍କର ପିଲାଦିନ ବିତାଇଥିଲେ। ଶଙ୍କର-ଜୟକିଷନଙ୍କଠାରୁ ଆରମ୍ଭ କରି ବିଶାଲ-ଶେଖର ପର୍ଯ୍ୟନ୍ତ ଦେବ କୋହଲି ୧୯୬୯ରୁ ୨୦୧୩ ପର୍ଯ୍ୟନ୍ତ କ୍ୟାରିୟରରେ ବିଭିନ୍ନ ପିଢ଼ିର ସ୍ବରକାରଙ୍କ ସହ କାମ କରିଥିଲେ।