ଚିଦମ୍ବରମଙ୍କଠାରୁ ଲାଲୁ ଯାଦବ, ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପ୍ରମୁଖ ରାଜନେତା

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦମ୍ବରମ ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ ‌ହୋଇଛନ୍ତି। ସିବିଆଇ ହାଜତ ମିଆଦ ଶେଷ ହେବାପରେ ଚିଦମ୍ବରମଙ୍କୁ ତିହାର ଜେଲ୍‌ରେ ରଖାଯିବ ବୋଲି ଜଣାପଡ଼ିଛି। ‌ତେବେ କେବଳ ଚିଦମ୍ବରମ ନୁହନ୍ତି, ପୂର୍ବରୁ ଅନେକ ବରିଷ୍ଠ ନେତା ତଥା ମନ୍ତ୍ରୀମାନେ ମଧ୍ୟ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିଲେ। ଜେଲ୍‌ ଯାଇଥିବା ଅନ୍ୟ ଦୁଇଜଣ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ‌ହେଉଛନ୍ତି ଏ ରାଜା ଏବଂ ସୁଖରାମ। ଟେଲିକମ୍‌ ବିଭାଗରେ ଥିବା ଉଭୟ ରାଜା ଏବଂ ସୁଖରାମ ଦୁର୍ନୀତି ମାମଲାରେ ଜେଲ୍ ଯାଇଥିଲେ। ସେହିପରି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ମଧ୍ୟ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଜେଲ୍‌ଦଣ୍ଡ ଭୋଗୁଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓଙ୍କ ବିରୋଧରେ ଦୁର୍ନୀତି ମାମଲା ରହିଛି, କିନ୍ତୁ ସେ ଜେଲ୍‌ ଯାଇନାହାନ୍ତି। ସେହିପରି ଜେଲ୍‌ ଯାଇଥିବା ଅନ୍ୟ ବରିଷ୍ଠ ରାଜନେତାମାନେ ହେଉଛନ୍ତି ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତା ଏବଂ ଏମ୍‌ କରୁଣାନିଧି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପା ମଧ୍ୟ ଦୁର୍ନୀତି ମାମଲାରେ ଜେଲ୍‌ରେ ରହିଛନ୍ତି। କର୍ଣ୍ଣାଟକର ପୂର୍ବ ମୁଖ୍ୟମନ୍ତ୍ରୀ ଏସ୍‌ ବଙ୍ଗାରାପ୍ପାଙ୍କ ବିରୋଧରେ ମଧ୍ୟ ଦୁର୍ନୀତି ମାମଲା ଥିଲା। ଉଲ୍ଲେଖଯୋଗ୍ୟ ୨୦୧୯ରେ ୧୭ତମ ଲୋକସଭାକୁ ନିର୍ବାଚିତ ହୋଇଥିବା ୫୩୯ ପ୍ରାର୍ଥୀଙ୍କ ମଧ୍ୟରୁ ୨୩୩ ଜଣ ସେମାନଙ୍କ ବିରୋଧରେ ଅପରାଧିକ ମାମଲା ଥିବା ଘୋଷଣା କରିଛନ୍ତି। ୨୦୦୯ ତୁଳନାରେ ୨୦୧୯ରେ ଅପରାଧିକ ମାମଲା ଥିବା ସାଂସଦଙ୍କ ସଂଖ୍ୟା ୪୪ ପ୍ରତିଶତ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର