ବାଙ୍ଗାଲୋର: କନ୍ନଡ ଚଳଚ୍ଚିତ୍ର ସୁପରଷ୍ଟାର ପୁନିତ ରାଜକୁମାରଙ୍କ ମୃତ୍ୟୁ ପରେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ପ୍ରଶଂସକମାନେ ଅଭିଯୋଗ କରିଛନ୍ତି ଯେ ପୁନିତଙ୍କ ଚିକିତ୍ସାରେ ଅବହେଳା ହୋଇଥିଲା, ଯେଉଁଥିପାଇଁ ତାଙ୍କର ପ୍ରିୟ ଅଭିନେତାଙ୍କର ମୃତ୍ୟୁ ହୋଇଛି । ପୁନିତଙ୍କ ମୃତ୍ୟୁ ପରେ ଅଭିନେତାଙ୍କ ପ୍ରଶଂସକମାନେ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ରମଣ ରାଓଙ୍କ ବିରୋଧରେ ପ୍ରଦର୍ଶନ କରିଥିଲେ ଏବଂ ତାଙ୍କ ବିରୋଧରେ ଅଭିଯୋଗ ମଧ୍ୟ କରିଥିଲେ। ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହ ଗ୍ରହଣ କରି କର୍ଣ୍ଣାଟକର ଘରୋଇ ହସ୍ପିଟାଲ ଏବଂ ନର୍ସିଂହୋମ ଆସୋସିଏସନ (PHANA) ଡାକ୍ତର ରମଣ ରାଓଙ୍କ ସୁରକ୍ଷା ପାଇଁ ଦାବି କରିଛି । ଆଉ ଡାକ୍ତରଙ୍କୁ ସୁରକ୍ଷା ଦେବାକୁ ଏବେ ଡାକ୍ତର ରାଓଙ୍କ ଘର ବାହାରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି।
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇଙ୍କୁ ଅନୁରୋଧ କରି ଆସୋସିଏସନର ସଭାପତି ପ୍ରସନ୍ନା ଏଚଏମ କହିଛନ୍ତି ଯେ ପୁନିତ ରାଜକୁମାରଙ୍କ ମୃତ୍ୟୁ ପରେ ଗଣମାଧ୍ୟମରେ ତଥା ଜନସାଧାରଣଙ୍କ ନିକଟରେ ସ୍ୱାସ୍ଥ୍ୟସେବାକୁ ମିଛ ଢଙ୍ଗରେ ପ୍ରସାରିତ କରାଯାଉଛି | ଚିକିତ୍ସା କରୁଥିବା ଡାକ୍ତରଙ୍କ ଉପରେ ବିଶେଷ କରି ରମଣ ରାଓଙ୍କ ଉପରେ ଆଙ୍ଗୁଠି ଉଠାଇବାକୁ ପ୍ରଶଂସକଙ୍କ ଉଦ୍ୟମକୁ ଆମେ ଦୃଢ ବିରୋଧ କରୁଛୁ। ସେ ତାଙ୍କର ସର୍ବଶ୍ରେଷ୍ଠ ସେବା ପ୍ରଦାନ କରିଥିଲେ | ସର୍ବଶେଷରେ, ଆମେ ଜାଣୁ ଯେ ଡାକ୍ତରୀ ବୃତ୍ତିର ଏକ ସୀମା ଅଛି ଏବଂ ଜୀବନ ବଞ୍ଚାଇବା ସବୁବେଳେ ସମ୍ଭବ ନୁହେଁ |
ଯଦି ତାହା ହୋଇଥାନ୍ତା, ତେବେ କେହି ମରି ନଥାନ୍ତେ | ପ୍ରସନ୍ନା ଅନୁରୋଧ କରିଛନ୍ତି ଯେ ଡାକ୍ତର ରମଣ ରାଓ ଏବଂ ପୁନିତ ରାଜକୁମାରଙ୍କ ଚିକିତ୍ସାରେ ଜଡିତ ଡାକ୍ତରୀଙ୍କୁ ସୁରକ୍ଷା ଦିଆଯାଉ | ସୂଚନା ଥାଉ କି ଅକ୍ଟୋବର ୨୯ରେ ପୁନିତ ରାଜକୁମାରଙ୍କୁ ସକାଳ ୧୧:୪୦ରେ ବିକ୍ରମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର ଛାତିରେ ଯନ୍ତ୍ରଣା ହୋଇଥିଲା। ଦିନ ୨.୩୦ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ |