ବ୍ୟାଡମିଣ୍ଟନରେ ସ୍ବର୍ଣ୍ଣ ପଦକ ଜିତିଥିବା ପ୍ରମୋଦ ଏକଦା ପଙ୍ଖା ଓ ଆଇରନ ସଜାଡ଼ି ନିଜ ଗୁଜୁରାଣ ମେଣ୍ଟାଉଥିଲେ

ବରଗଡ: ଟୋକିଓ ପାରା ଅଲିମ୍ପିକ୍ସରେ ଓଡ଼ିଶା ସମେତ ସାରା ଦେଶ ପାଇଁ ଗୌରବ ଆଣିଛନ୍ତି ଓଡ଼ିଶାର ପ୍ରମୋଦ ଭଗତ । ସେ ବ୍ୟାଡମିଣ୍ଟନରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ପ୍ରମୋଦ ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ଗ୍ରେଟ ବ୍ରିଟେନର ଡାନିଏଲ ବେଥେଲଙ୍କୁ ହରାଇ ସ୍ବର୍ଣ୍ଣ ଜିତିଛନ୍ତି । ଡାନିଏଲଙ୍କୁ ସେ ସିଧାସଳଖ ୨୧-୧୪, ୨୧-୧୭ ସେଟରେ ପରାସ୍ତ କରିଛନ୍ତି ।

ପ୍ରମୋଦ ସଫଳତା ପଛରେ ରହିଛି ୧୫ ବର୍ଷ ସଂଘର୍ଷର ପ୍ରେରଣାଦାୟୀ କାହାଣୀ । ପୋଲିଓ ଆକ୍ରାନ୍ତ ପ୍ରମୋଦ ଅର୍ଥ ଅଭାବରୁ ଆଇଟିଆଇ ପାଠ୍ୟକ୍ରମ ଅଧାରୁ ଛାଡି ଅତାବିରା ବଜାରରେ ଏକ ଦୋକାନରେ ପଙ୍ଖା, ଆଇରନ, ଆଦି ସଜାଡୁଥିଲେ । ଏକ ଭଡା ଘରେ ରହି  ଜୀବନ ବିତାଉଥିଲେ ପ୍ରମୋଦ। ଆର୍ଥିକ ଅନାଟନ ସତ୍ତ୍ବେ ତାଙ୍କର ନିଶା ଥିଲା ବ୍ୟାଡମିଣ୍ଟନ ଖେଳିବା । ଆଉ ଏଥିରେ ପ୍ରତିବନ୍ଧକ ସାଜିପାରି ନଥିଲା ଅର୍ଥ ଅଭାବ କି ଶାରିରୀକ ଅକ୍ଷମତା ।

Paralympics: Odisha's Pramod Bhagat wins India first ever gold in badminton | Sambad English

ଅତାବିରାର ସ୍ୱର୍ଗତ କୈଳାସ ଭଗତ ଓ କୁସୁମ ଦେବୀଙ୍କ ୬ ପୁଅ ଝିଅଙ୍କ ମଧ୍ୟରୁ ଚତୁର୍ଥ ସନ୍ତାନ ହେଉଛନ୍ତି ଭଗତ । ଅତାବିରାରେ ପଢାପଢି କରିବା ସହ ପ୍ଲେୟାର୍ସ କ୍ଲବରେ ହିଁ ଅଭ୍ୟାସ ଆରମ୍ଭ କରି ଏବେ ବିଶ୍ୱସ୍ତରରେ ଖ୍ୟାତି ଅର୍ଜନ କରିଛନ୍ତି ସେ । ଆର୍ଥିକ ଅନାଟନ ଯୋଗୁଁ ସାଙ୍ଗ ସାଥୀଙ୍କ ଠାରୁ ଧାର କରି ଖେଳ ସାମଗ୍ରୀ କିଣୁଥିଲେ ପ୍ରମୋଦ । ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ବହୁ ପୁରସ୍କାର ଓ ପଦକ ପାଇଛନ୍ତି ପ୍ରମୋଦ ।

ଆର୍ଥିକ ସ୍ଥିତି ଖରାପ ଥିବାରୁ ବରଗଡର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ୨୫ଶହ ଟଙ୍କାରେ କୋଚ ଭାବେ ମଧ୍ୟ କାମ କରିଛନ୍ତି ପ୍ରମୋଦ । ୨୦୦୬ରେ ବେଙ୍ଗାଲୁରରେ ଜାତୀୟ ଚାମ୍ପିଅନସିପରେ ବିଜେତା ହେବା ପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି । ଗୋଟିଏ ପରେ ଗୋଟିଏ ସଫଳତାର ଶିଡି ଚଢିଚାଲିଛନ୍ତି ।

ବିଶ୍ବର ନଂ୧ ମାନ୍ୟତା ପ୍ରାପ୍ତ ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ସେମିଫାଇନାଲରେ ଜାପାନର ଡାଇସୁକେ ଫୁଜିହାରାଙ୍କୁ ହରାଇ ଫାଇନାଲରେ ପ୍ରବେଶ କରିଥିଲେ । ପ୍ରମୋଦ ଏବେ ପାରା ବ୍ୟାଡମିଣ୍ଟନରେ ଉଭୟ ବିଶ୍ବ ଓ ଏସୀୟ ଚାମ୍ପିଅନ ଅଛନ୍ତି ।

ସମ୍ବନ୍ଧିତ ଖବର