‘ଫନି’ର ପ୍ରଭାବ: ଦିଲ୍ଲୀରେ ଏଥର ଦେଖିବାକୁ ମିଳିବନି ଓଡ଼ିଶାର ଆମ୍ବ!

ନୂଆଦିଲ୍ଲୀ: ଦିଲ୍ଲୀ ଓ ଏହାର ଆଖପାଖ (ଏନସିଆର) ଅଞ୍ଚଳରେ ଏଥର ଓଡ଼ିଶାର ଆମ୍ବ ଦେଖିବାକୁ ମିଳିବନି ବୋଲି ଆଶଙ୍କା ସୃଷ୍ଟି ହୋଇଛି। ଏହାର କାରଣ ହେଉଛି ‘ଫନି’।  ମିଳିଥିବା ସୂଚନା ଅନୁଯାୟୀ  ଫନି ବାତ୍ୟା ଯୋଗୁଁ ଓଡ଼ିଶାର ୧୮ ଜିଲ୍ଲାରେ ଅନେକ ବାରମାସୀ ଫସଲ ନଷ୍ଟ ହୋଇଥିବା ବେଳେ ଆମ୍ବ ଫସଲ ମଧ୍ୟ ଉଜୁଡ଼ିଯାଇଛି। ରାଜ୍ୟ ସରକାରଙ୍କ ଉଦ୍ୟାନ ବିଭାଗ ଦ୍ବାରା ଆମ୍ବ ଚାଷକୁ ଗୁରୁତ୍ବ ଦିଆଯାଉଥିବା  ତଥା ଆମ୍ବ ଉତ୍ପାଦନକୁ ଦ୍ବିଗୁଣିତ କରିବାର ପ୍ରୟାସ ଜାରି ରହିଥିବାବେଳେ  ପ୍ରଳୟଙ୍କରୀ ବାତ୍ୟା ଫନି ଏ ଦିଗରେ ବ୍ରେକ୍ ଲଗାଇ ଦେଇଛି। ଦିଲ୍ଲୀ ବଜାରରେ ଓଡ଼ିଶା ଆମ୍ବର ଚାହିଦା ଗତ ୬ ବର୍ଷ ଧରି ବୃଦ୍ଧି ପାଉଥିବା ବେଳେ ଚଳିତ ବର୍ଷ ଦିଲ୍ଲୀବାସୀ ଓଡ଼ିଶା ଆମ୍ବର ମଜା ଉଠାଇ ପାରିବେ ନାହିଁ ବୋଲି ଜଣାପଡ଼ିଛି। ମଦରଡେରୀ ଫୁଡସ୍ ଆଣ୍ଡ ଭେଜିଟେବଲସ୍ ଦ୍ବାରା ପରିଚାଳିତ ସଫଲ୍ ଷ୍ଟୋରଗୁଡ଼ିକରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଉତ୍ପାଦିତ ହେଉଥିବା ଆମ୍ବ   ଦିଲ୍ଲୀ ବଜାରରେ ବିକ୍ରି କରାଯାଇଥାଏ। ଦିଲ୍ଲୀ ଓ ଏନସିଆର ଅଞ୍ଚଳରେ ଥିବା ସଫଲର ୫୦୦ ଷ୍ଟୋରରେ ଓଡ଼ିଶାର ଆମ୍ବ ବିକ୍ରି କରାଯାଇଥାଏ। ଦିଲ୍ଲୀକୁ ଆମ୍ବ ଅଣାଯିବା ପୂର୍ବରୁ ମଦରଡେରୀ ଫୁଡସ୍ ଆଣ୍ଡ ଭେଜିଟେବଲସ୍ କର୍ତ୍ତୃପକ୍ଷ ଓଡ଼ିଶାର ଓରମାସ ସଂସ୍ଥା ସହିତ ବୁଝାମଣା କରିଥାନ୍ତି। ତଦନୁଯାୟୀ ଦିଲ୍ଲୀକୁ  ଆମ୍ବ ପଠାଇବାର ବ୍ୟବସ୍ଥା କରାଯାଇଥାଏ। ଆମ୍ବ ଉତ୍ପାଦନକାରୀ ଜିଲ୍ଲାମାନଙ୍କରେ ମଦରଡେରୀ ଫୁଡସ୍ ଆଣ୍ଡ ଭେଜିଟେବଲସ୍ କର୍ମଚାରୀ ମାନେ ଗସ୍ତ କରି ଆମ୍ବକୁ କିଭଳି ସୁରକ୍ଷିତ ଭାବେ ପଠା ଯାଇପାରିବ ସେନେଇ ପ୍ରଶିକ୍ଷଣ ମଧ୍ୟ ଦେଇଥାନ୍ତି।

ଚଳିତ ମାସ ତୃତୀୟ ସପ୍ତାହରୁ ମଦରଡେରୀ ଦ୍ବାରା ଓଡ଼ିଶା ଆମ୍ବ  ଦିଲ୍ଲୀ ଅଣାଯିବାର ଯୋଜନା ଥିଲା। ଏନେଇ ମଦରଡେରୀ ଫୁଡସ୍ ଆଣ୍ଡ ଭେଜିଟେବଲସ୍ ପ୍ରତିନିଧି ମେ’ ପ୍ରଥମ ସପ୍ତାହରେ ଓଡ଼ିଶା ଗସ୍ତ କରିଥିଲେ। କିନ୍ତୁ ବାତ୍ୟା ଫନି ଯୋଗୁଁ କୌଣସି ଓରମାସ ସଂସ୍ଥା ଦ୍ବାରା ବଚାରବିମର୍ଷ ହୋଇପାରି ନଥିଲା। ପରବର୍ତ୍ତୀ ସମୟରେ ଜଣା ପଡ଼ିଲା ବାତ୍ୟା ଯୋଗୁଁ ଆମ୍ବ ଫସଲ ବ୍ୟାପକ ରୂପେ ନଷ୍ଟ ହୋଇଛି। ବର୍ତ୍ତମାନ ରାଜ୍ୟ ସରକାର ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟରେ ବ୍ୟସ୍ତଥିବା ଯୋଗୁ ମଦରଦେରୀ ପୁଣି ଥରେ ଏହି ମାସ ଶେଷ ତୃତୀୟ ସପ୍ତାହରେ ବିଚାରବିମର୍ଷ କରିବା ପରେ ସ୍ଥିତି ସ୍ପଷ୍ଟ ହେବ ବୋଲି କୁହାଯାଉଛି। ଫୋନି ବାତ୍ୟା ଯୋଗୁଁ ଉପକୂଳବର୍ତ୍ତୀ ଓଡ଼ିଶାରେ ଆମ୍ବ ଫସଲ ନଷ୍ଟ ହୋଇଥିବା ବେଳେ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାମାନଙ୍କର ଆମ୍ବ ଉତ୍ପାଦନ ଦିଲ୍ଲୀ ବଜାରରେ ଚାହିଦାକୁ ପୂରଣ କରିବାରେ ସମର୍ଥ ହୋଇ ପାରିବ କି ନାହିଁ ସେନେଇ ପ୍ରଶ୍ନ ଉଠୁଛି। ଗତବର୍ଷ ଦିଲ୍ଲୀ ବଜାରରେ ବିକ୍ରି ପାଇଁ ଓଡ଼ିଶାର ମୟୂରଭଞ୍ଜ, ଗଞ୍ଜାମ, ଗଜପତି, ଢେଙ୍କାନାଳ, ସମ୍ବଲପୁର ଆଦି ଜିଲ୍ଲାମାନଙ୍କରୁ ୪୦୦ ଟନ୍ ଆମ୍ବ ଟ୍ରେନ ଯୋଗେ ଆସିଥିଲା।

ସମ୍ବନ୍ଧିତ ଖବର