ନୂଆଦିଲ୍ଲୀ: ସୁପ୍ରିମ୍କୋର୍ଟର ପ୍ରଧାନ ବିଚାରପତି ଭାବେ ଡିୱାଇ ଚନ୍ଦ୍ରଚୂଡ଼ଙ୍କ କାର୍ଯ୍ୟକାଳର ଆଜି ଥିଲା ଶେଷ ଦିବସ। ନିଜର ଅନ୍ତିମ କାର୍ଯ୍ୟଦିବସରେ ସିଜେଆଇ ଚନ୍ଦ୍ରଚୂଡ଼ କୃତଜ୍ଞତା ଓ ନମ୍ରତାର ସହ ତାଙ୍କ ନ୍ୟାୟିକ ଯାତ୍ରାକୁ ପ୍ରତିଫଳିତ କରିଛନ୍ତି। ବ୍ୟକ୍ତିଗତ ଭାବନା ଓ ଅନୁଭବ ବାଣ୍ଟିବା ସହ ସହକର୍ମୀ ଓ ଆଇନଜୀବୀ ସଦସ୍ୟଙ୍କ ଦ୍ୱାରା ପରିପୂର୍ଣ୍ଣ ଏକ ଅଦାଲତକୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ସହଯୋଗୀମାନେ ଚନ୍ଦ୍ରଚୂଡ଼ଙ୍କ କାର୍ଯ୍ୟକାଳର ସ୍ମରଣୀୟ ଘଟଣା ସଂପର୍କରେ ଆଲୋକପାତ କରିଥିଲେ। ବିଦାୟୀ ପ୍ରଧାନ ବିଚାରପତି ମଧ୍ୟ ତାଙ୍କ ଦ୍ୱାରା ଅଜାଣତରେ ଆଘାତ ପାଇଥିବା ଲୋକଙ୍କଠାରୁ କ୍ଷମା ମାଗିଛନ୍ତି।
ଜଷ୍ଟିସ ଚନ୍ଦ୍ରଚୂଡ଼ ତାଙ୍କ ବିଦାୟୀ ଭାଷଣରେ ନ୍ୟାୟପାଳିକାର ପରମ୍ପରାକୁ ପ୍ରଶଂସା କରିବା ସହ ଜଣେ ଓକିଲ ଭାବେ ସେ କିଭଳି ଯୁକ୍ତିର କୌଶଳକୁ ଅନୁଧ୍ୟାନ କରିଥିଲେ ଏବଂ ମୂଲ୍ୟବାନ ଅଦାଲତ ପ୍ରକ୍ରିୟା ଶିଖିଥିଲେ ସେ ସଂପର୍କରେ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ଆମେ ଏଠାରେ କାମ କରିବା ପାଇଁ ତୀର୍ଥଯାତ୍ରୀଙ୍କ ଭଳି ଆସୁଛୁ ଏବଂ କାର୍ଯ୍ୟ ସଂପାଦନ କରି ଚାଲିଯାଉଛୁ। ଅନେକ ମହାନ ବିଚାରପତି ଅଛନ୍ତି ଯେଉଁମାନେ ଏହି ଅଦାଲତକୁ ସେମାନଙ୍କ ନିଷ୍ଠାପର କାର୍ଯ୍ୟରେ ସଜ୍ଜିତ କରି ଦାୟିତ୍ବ ସଂପାଦନ କରିଛନ୍ତି। ଉତ୍ତରାଧିକାରୀ ତଥା ପରବର୍ତ୍ତୀ ପ୍ରଧାନ ବିଚାରପତି ସଂଜୀବ ଖାନ୍ନାଙ୍କ ସଂପର୍କରେ ଉଲ୍ଲେଖ କରି ଚନ୍ଦ୍ରଚୂଡ଼ କହିଥିଲେ ‘ମୁଁ ଯେତେବେଳେ ଏହି ଅଦାଲତରୁ ବାହାରିଯିବି ସେତେବେଳେ କୌଣସି ଫରକ ପଡ଼ିବ ନାହିଁ କାରଣ ଜଷ୍ଟିସ୍ ଖାନ୍ନାଙ୍କ ଭଳି ସ୍ଥିର ଓ ଦୃଢ଼ମନା ବ୍ୟକ୍ତି ଦାୟିତ୍ୱ ଗ୍ରହଣ କରିବେ। ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି ଏବଂ ଆପଣମାନେ ସମସ୍ତେ ମୋତେ ଆଇନ ଏବଂ ଜୀବନ ବିଷୟରେ ବହୁତ କିଛି ଶିଖାଇଛନ୍ତି । ଆଜି ମଧ୍ୟ ମୋ ଦ୍ୱାରା ପରିଚାଳିତ ୪୫ଟି ମାମଲାରେ ମୁଁ ଜୀବନ ବିଷୟରେ ବହୁତ କିଛି ଶିଖିଛି।’ ବିଦାୟ ବେଳାରେ ଚନ୍ଦ୍ରଚୂଡ଼ କୌଣସି ଅନିଚ୍ଛାକୃତ ଆଘାତ ପାଇଁ କ୍ଷମା ମାଗିଥିଲେ। ସେ କହିଥିଲେ, ‘ଯଦି ମୁଁ ଆପଣଙ୍କ ମଧ୍ୟରୁ କାହାକୁ କେବେ ଆଘାତ ଦେଇଥିବି, ତେବେ ମୁଁ କହିବାକୁ ଚାହେଁ ଯେ ତାହା ସଂପୂର୍ଣ୍ଣ ଅନିଚ୍ଛାକୃତ ଥିଲା ଏବଂ ଆପଣମାନେ ମୋତେ ଏଥିପାଇଁ କ୍ଷମା କରିଦେବେ।’ ଚନ୍ଦ୍ରଚୂଡ଼ଙ୍କ ଶେଷ କାର୍ଯ୍ୟ ଦିବସରେ ବାର୍ ଏବଂ ବେଞ୍ଚର ବରିଷ୍ଠ ସଦସ୍ୟମାନେ ତାଙ୍କୁ କୃତଜ୍ଞତା ଜଣାଇଥିଲେ। ଜଷ୍ଟିସ ସଞ୍ଜୀବ ଖାନ୍ନା, ଜଷ୍ଟିସ ଜେବି ପାର୍ଦିୱାଲା ଓ ଜଷ୍ଟିସ ମନୋଜ ମିଶ୍ର ଆଜି ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ଶେଷ ଖଣ୍ଡପୀଠରେ ତାଙ୍କ ଆଇନଗତ ଦକ୍ଷତା ଓ ନ୍ୟାୟ ପ୍ରତି ତାଙ୍କର ମାନବିକ ଆଭିମୁଖ୍ୟ ପାଇଁ ଭୂୟସୀ ପ୍ରଶଂସା କରିଥିଲେ।
ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଚନ୍ଦ୍ରଚୂଡ଼ଙ୍କ ସନ୍ତୁଳିତ ଏବଂ ନିରପେକ୍ଷ ନେତୃତ୍ୱକୁ ବର୍ଣ୍ଣନା କରି କହିଥିଲେ ଯେ ସରକାରଙ୍କ ପାଇଁ ଆମେ କିଛି ମାମଲା ଜିତିଥିଲୁ ଏବଂ ଅନେକ ହରାଇଥିଲୁ, କିନ୍ତୁ ଆମେ ଜାଣିଥିଲୁ ଯେ ଆମକୁ ଅଦାଲତଙ୍କୁ ବୁଝାଇବା ଏବଂ ଆମର କଥା ରଖିବାର ସୁଯୋଗ ମିଳିଲା ନାହିଁ। ଚନ୍ଦ୍ରଚୂଡ଼ଙ୍କୁ ‘ପରିବାରର କର୍ତା’ ବୋଲି ଅଭିହିତ କରି ମେହେଟ୍ଟା ଚନ୍ଦ୍ରଚୂଡ଼ଙ୍କ କାର୍ଯ୍ୟକାଳର ସମର୍ପଣ ଏବଂ ନିରପେକ୍ଷତାକୁ ପ୍ରଶଂସା କରିଥିଲେ। ୨୦୨୨ ମସିହା ନଭେମ୍ବର ୮ ତାରିଖରୁ ଆରମ୍ଭ ହୋଇଥିବା ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ଙ୍କ କାର୍ଯ୍ୟକାଳର ଆଜି ଏକ ସୌହାର୍ଦ୍ୟପୂର୍ଣ୍ଣ ଓ ଆବେଗଭରା କାର୍ଯ୍ୟକ୍ରମ ସହ ପରିସମାପ୍ତି ଘଟିଛି।