ରାଷ୍ଟ୍ରପତି କୋବିନ୍ଦଙ୍କ ସମ୍ମାନରେ ମୋଦୀଙ୍କ ରାତ୍ରଭୋଜନ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀର ଅଶୋକା ହୋଟେଲରେ ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମ୍ମାନରେ ରାତ୍ରଭୋଜନ ପ୍ରଦାନ କରିଛନ୍ତି । ସଂଧ୍ୟା ସାଢେ ୮ ଟା ବେଳେ ଏହି ରାତ୍ର ଭୋଜନ ଆରମ୍ଭ ହୋଇଥିବା ସୂଚନା ମିଳିଛି । ମୋଦୀ ଗତ ୧୩ ତାରିଖରେ ରାଷ୍ଟ୍ରପତି କୋବିନ୍ଦଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ ।

ଆସନ୍ତା ୨୪ ତାରିଖ ଅର୍ଥାତ ରବିବାର ଦିନ ହେବ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଶେଷ କାର୍ୟ୍ୟ ଦିବସ । ୨୫ ତାରିଖରେ ନୂଆ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ଶପଥ ଗ୍ରହଣ କରିବେ ।

୨୦୧୭, ଜୁଲାଇ ୨୫ରେ ରାମନାଥ କୋବିନ୍ଦ ଭାରତୀୟ ଗଣତନ୍ତ୍ରର ୧୪ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିଲେ । ତାପୂର୍ବରୁ ୨୦୧୫ରୁ ୨୦୧୭ ପର୍ୟ୍ୟନ୍ତ ସେ ବିହାରର ରାଜ୍ୟପାଳ ଥିଲେ । ୧୯୯୪ରେ ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ସୁପ୍ରିମକୋର୍ଟରେ ସେ ପ୍ରାୟ ୧୬ ବର୍ଷ ଧରି ଓକିଲାତି କରିଥିଲେ । ରାଜନୀତିରେ ପ୍ରବେଶ ପରେ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ।
ସୂଚନାଯୋଗ୍ୟ ଯେ, ଗୁରବାରଦିନ ୟୁପିଏ ପ୍ରାର୍ଥୀ ଯଶୋବନ୍ତ ସିହ୍ନାଙ୍କୁ ପରାସ୍ତ କରି ଦ୍ରୌପଦୀ ମୁର୍ମୁ ଦେଶର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ । ପ୍ରଥମ ଆଦିବାସୀ ଭାବେ ସେ ଦେଶର ସର୍ବୋଚ୍ଚ ପଦବୀରେ ଆସୀନ ହେବେ । ଏହା ପୂର୍ବରୁ ସେ ଝାଡ଼ଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ ଥିଲେ ।

ସମ୍ବନ୍ଧିତ ଖବର