ରାଜ୍ୟସଭାରେ ବିଦାୟ ସମ୍ବର୍ଦ୍ଧନା: କାନ୍ଦି ପକାଇଲେ ଭେଙ୍କୟା

ଆପଣଙ୍କ କାର୍ଯ୍ୟ ଦେଶକୁ ସବୁଦିନ ଦିଗ୍‌ଦର୍ଶନ ଦେବ: ମୋଦୀ

ନୂଆଦିଲ୍ଲୀ : ରାଜ୍ୟସଭା ଅଧ୍ୟକ୍ଷ ଭାବେ ଏମ୍‌ ଭେଙ୍କୟା ନାଇଡ଼ୁଙ୍କ କାର୍ଯ୍ୟକାଳ ସୋମବାର ଦିନ ଶେଷ ହୋଇଛି। ରାଜ୍ୟସଭାରେ ଆୟୋଜିତ କାର୍ଯ୍ୟକ୍ରମରେ ଯେତେବେଳେ ପ୍ରଧାନମନ୍ତ୍ରୀ ଓ ଅନ୍ୟ ସାଂସଦମାନେ ତାଙ୍କର ଉଚ୍ଛ୍ବସିତ ପ୍ରଶଂସା କରୁଥି‌େଲ, ଶ୍ରୀନାଇଡୁ ଏତେ ଭାବପ୍ରବଣ ହୋଇଉଠିଥିଲେ ଯେ କାନ୍ଦି ପକାଇଥିଲେ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ତାଙ୍କ ଭାଷଣରେ କହିଥିଲେ; ରାଜ୍ୟସଭାରେ ଆପଣଙ୍କ ସେବା ଶେଷ ହୋଇପାରେ, କିନ୍ତୁ ଆପଣଙ୍କର କାର୍ଯ୍ୟଧାରା ଦେଶକୁ ସବୁଦିନ ଦିଗ୍‌ଦର୍ଶନ ଦେ‌ବ। ବିଭିନ୍ନ ଭୂମିକାରେ ମୁଁ ଆପଣଙ୍କ ସହିତ ଅତି ନିକଟରୁ କାମ କରିଛି। ଆପଣଙ୍କ ସହିତ କାମ କରିବା ମୋର ସୌଭାଗ୍ୟ। ଦଳର କର୍ମୀଭାବେ ଆପଣଙ୍କ ଆଦର୍ଶଗତ ପ୍ରତିଶ୍ରୁତିବଦ୍ଧତା ହେଉ କିମ୍ବା ଗୃହରେ ସାଂସଦ ଭାବେ କିମ୍ବା ଦଳର ମୁଖ୍ୟ ଭାବେ କିମ୍ବା କ୍ୟାବିନେଟରେ ମନ୍ତ୍ରୀ ଭାବେ କିମ୍ବା ଉପରାଷ୍ଟ୍ରପତି ଏବଂ ରାଜ୍ୟସଭା ଅଧ୍ୟକ୍ଷ ଭାବେ ଆପଣ ସବୁ କାମକୁ ଅତି ନିଷ୍ଠାର ସହିତ ସମ୍ପାଦନ କରିଛନ୍ତି। ଆପଣ କୌଣସି କାମକୁ ବୋଝ ବୋଲି ଭାବିନାହାନ୍ତି ବୋଲି ମୋଦୀ କହିଥିଲେ ।

ବିରୋଧୀଦଳର ନେତା ମଲ୍ଲିକାର୍ଜୁନ ଖଡ଼ଗେ, ତୃଣମୂଳ କଂଗ୍ରେସର ଡେରେକ ଓ’ବ୍ରା‌ଏନ, ବିଜେଡି ସାଂସଦ ସସ୍ମିତ ପାତ୍ର ପ୍ରମୁଖ ତାଙ୍କର ଉପରାଷ୍ଟ୍ରପତି ଶ୍ରୀନାଇଡୁଙ୍କ ପ୍ରଶଂସା କରିଥିଲେ। ଡେରେକ ଓ’ବ୍ରା‌ଏନ ତାଙ୍କ ଭାଷଣରେ ଭେଙ୍କୟାଙ୍କ ପ୍ରଶଂସା କରିବା ସହିତ ସରକାରଙ୍କ କାର୍ଯ୍ୟକୁ ସମାଲୋଚନା କରିବାକୁ ପଛାଇ ନାହାନ୍ତି। ସେ କହିଛନ୍ତି, ଆପଣଙ୍କ ସମୟରେ ଗୃହର ଉତ୍ପାଦକତା ବଢ଼ିଛି ଓ ଅନେକ ବିଲ୍ ଗୃହୀତ ହୋଇଛି। ତେବେ, ଏହାର ଅନ୍ୟ ଏକ ଦିଗ ରହିଛି। ଆଜି ରାଜ୍ୟସଭା ପଦରୁ ଅବ୍ୟାହତି ନେଉଥିଲେ ମଧ୍ୟ ଆପଣ ସାଧାରଣ ଜୀବନରେ ଆହୁରି ୨୦ ବର୍ଷ ରହିବେ। ଅନେକ ବ୍ୟକ୍ତି ସଂସଦକୁ ଅନ୍ଧାର କକ୍ଷ ଭାବେ ବର୍ଣ୍ଣନା କରୁଛନ୍ତି। ଏଠାରେ ଗୃହୀତ ହୋଇଥିବା ବିଲ୍‌ଗୁଡ଼ିକର ଅଧିକ ତର୍ଜମା କରାଯିବାର ଆବଶ୍ୟକତା ରହିଛି। ଆପଣ ଆତ୍ମଜୀବନୀ ଲେଖନ୍ତୁ କିମ୍ବା ନଲେଖନ୍ତୁ , ଆପଣଙ୍କ ମନର କଥା ଆପଣ କହିବେ ବୋଲି ସେ କହିଛନ୍ତି।

satlokexpress.com

ଡେରେକ ଓ’ବ୍ରାଏନ୍ ଭେଙ୍କୟାଙ୍କ ପିଲାଦିନର ବାସ୍ତବ ଘଟଣା ବର୍ଣ୍ଣନା କରିଥିଲେ ଯାହା ‌ତାଙ୍କ ସ୍ମୃତିକୁ ତାଜା କରିଥିଲା। ଡେରେକ କହିଥିଲେ, ଅବିଭକ୍ତ ଆନ୍ଧ୍ର ପ୍ରଦେଶର ଏକ ଗାଁରେ ଗୋଟିଏ ପରିବାର ଥିଲେ, ଯାହାଙ୍କର ୮ ହଳ ବଳଦ ଥିଲା। ଦିନେ ଏକ ବଳଦ ରାଗିଯାଇ ପରିବାରର ଜଣେ ମହିଳାଙ୍କ ପେଟରେ ଶିଙ୍ଗ ଭୁସି ଆକ୍ରମଣ କରିଥିଲା। ମହିଳାଙ୍କ କୋଳରେ ବର୍ଷକର ଶିଶୁ ଥିଲା। ଶିଶୁକୁ ସେଠାରେ ଛାଡ଼ି ମହିଳାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ଡାକ୍ତରଖାନାରେ ମହିଳାଙ୍କର ମୃତ୍ୟୁ ହୋଇଥିଲା। ‌ତେବେ ସେହି ମହିଳାଙ୍କ କୋଳରେ ଥିବା ପିଲାଟି ଥିଲେ ଭେଙ୍କୟା ନାଇଡୁ। ଭେଙ୍କୟା ନାଇଡୁଙ୍କ ଜୀବନର ଏହି କାହାଣୀ ସେ ତାଙ୍କ ଜୀବନରେ କେତେ ଦୁଃଖ ଦେଖିଥିବାର କହିଥାଏ। ମାଆ ବିନା ଶିଶୁର ଜୀବନ କେତେ କଷ୍ଟସାଧ୍ୟ ତାହା ସମସ୍ତେ ଜାଣନ୍ତି। ଏହି କଥା ଶୁଣିବା ପରେ ଭେଙ୍କୟା କାନ୍ଦି ପକାଇଥିଲେ। କୃଷକ ପରିବାରରୁ ଆସିଥିଲେ ମଧ୍ୟ କୃଷି ବିଲ୍‌ ୨୦୨୦ ଗୃହୀତ ‌ହେବାସମୟରେ ସେ ଅଧ୍ୟକ୍ଷ ଚେୟାରରେ କାହିଁକି ନଥିଲେ ବୋଲି ସେ ତାଙ୍କ ଆତ୍ମଜୀବନୀରେ ପ୍ରକାଶ କରିବେ ବୋଲି ଡେରେକ ଆଶାବ୍ୟକ୍ତ କରିଥିଲେ।
ସମ୍ବର୍ଦ୍ଧନା ଉତ୍ସବରେ ଭାଗ ନେଇ ରାଜ୍ୟସଭା ବିଜେଡି ନେତା ସସ୍ମିତ ପାତ୍ର କହିଲେ, ଆଜି‌ ଏକ ମାର୍ମିକ ଓ କଷ୍ଟସାଧ୍ୟ ଦିନ। ଦେଶ ସେବା ଓ ସଦନର ସେବା ପାଇଁ ତାଙ୍କୁ ବିଜେଡି ଧନ୍ୟବାଦ ଜଣାଉଛି। ତାଙ୍କ ସରଳତା, ପ୍ରତିବଦ୍ଧତା, ସମର୍ପିତ ଭାବ ଓ ଆକର୍ଷଣ ସମସ୍ତଙ୍କୁ ପ୍ରଭାବିତ କରିଛି। ଏହି ଅବସରରେ ଡ. ପାତ୍ର ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟାଙ୍କ ସହିତ ତାଙ୍କ ବ୍ୟକ୍ତିଗତ ଅନୁଭୂତି ବର୍ଣ୍ଣନା କରିଥିଲେ। ଅଧ୍ୟକ୍ଷ ତାଙ୍କୁ ମାତୃଭାଷା ଓଡ଼ିଆରେ ସଦନରେ କହିବା ପାଇଁ ପ୍ରେରିତ କରିଥିଲେ। ସେ ଓଡ଼ିଆରେ କହିବା ପରେ ଭେଙ୍କୟା ତାଙ୍କୁ ପ୍ରଶଂସା କରିଥିଲେ। ଏ ନେଇ ଭେଙ୍କୟା ତାଙ୍କ ହସ୍ତାକ୍ଷର ସହିତ ଯେଉଁ ସ୍ଲିପ୍ ପଠାଇଥିଲେ ତାକୁ ସସ୍ମିତ ସଦନରେ ଉପସ୍ଥାପନ କରିଥିଲେ। ରାଜ୍ୟସଭା ଅଧ୍ୟକ୍ଷଙ୍କ ଏହି ସ୍ଲିପ୍ ‌ମୋ ପାଇଁ ଜୀବନର ସ୍ମୃତି ହୋଇ ସବୁଦିନ ପାଇଁ ରହିବ ବୋଲି ଏହି ଅବସରରେ ସସ୍ମିତ କହିଥିଲେ।

ତାଙ୍କୁ ରାଜ୍ୟସଭା ପ୍ୟାନେଲ୍‌ ଉପାଧ୍ୟକ୍ଷ ରୂପେ ମନୋନୀତ କରଯାଇଥିବା ବେଳର ଘଟଣାକୁ ସେ ବର୍ଣ୍ଣନା କରିଥିଲେ। ଏଭଳି ଏକ ଗୁରୁ ଦାୟିତ୍ବ ତୁଲାଇପାରିବି କି ବୋଲି ସେତେବେଳେ ଫୋନରେ ପଚାରିଥିଲି। ସେ କହିଲେ ତୁମ ଉପରେ ମୋର ବିଶ୍ବାସ ଅଛି। ସେ ଓଡ଼ିଶାର ବନ୍ଧୁ ଭଳି ଥିଲେ ବୋଲି ସସ୍ମିତ କହିଥିଲେ।

ପ୍ରତ୍ୟୁତ୍ତରରେ ଶ୍ରୀନାଇଡ଼ୁ କହିଥିଲେ, ଗୃହକୁ ସୁରୁଖୁରରେ ଚଳାଇବା ପାଇଁ ମୁଁ ଯଥାସମ୍ଭବ ଉଦ୍ୟମ କରିଛି। ସବୁପକ୍ଷ ଯଥା ଦକ୍ଷିଣ, ଉତ୍ତର, ପୂର୍ବ, ପଶ୍ଚିମ ଏବଂ ଉତ୍ତର-ପୂର୍ବ ଅଞ୍ଚଳର ସାଂସଦମାନଙ୍କୁ କହିବା ପାଇଁ ସୁଯୋଗ ଦେଇଛି। ଆପଣମାନଙ୍କୁ ସମସ୍ତଙ୍କୁ ସମୟ ଦିଆଯାଇଛି। ଆମେମାନେ କେହି କାହାରି ଶତ୍ରୁ ନୁହେଁ, ଆମେ ସମସ୍ତେ ପ୍ରତିଦ୍ବନ୍ଦ୍ବୀ। ଅନ୍ୟମାନଙ୍କ ତୁଳନାରେ ଭଲ କରିବା ପାଇଁ ସମସ୍ତେ କଠିନ ପରିଶ୍ରମ କରିବା ଆବଶ୍ୟକ। ସଂସଦ ଠିକ୍‌ରେ ଚାଲୁ ତାହା ମୋର ଅଭିଳାଷ। ଆପଣମାନଙ୍କର ସ୍ନେହ, ଶ୍ରଦ୍ଧା ପାଇଁ ମୁଁ ଆପଣମାନଙ୍କୁ ଧନ୍ୟବାଦ ଜଣାଉଛି ବୋଲି ରାଜ୍ୟସଭା ଅଧ୍ୟକ୍ଷ ଏମ୍‌ ଭେଙ୍କୟା ନାଇଡ଼ୁ ତାଙ୍କ ଶେଷ ମନ୍ତବ୍ୟରେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଉପରାଷ୍ଟ୍ରପତି ଭାବେ ‌ଭେଙ୍କୟାଙ୍କ କାର୍ଯ୍ୟକାଳ ଆସନ୍ତା ବୁଧବାର ଶେଷ ହେଉଛି। ଗୁରୁବାର ନୂଆ ଉପରାଷ୍ଟ୍ରପତି ଭାବେ ଜଗଦୀପ ଧନଖଡ଼ ଦାୟିତ୍ବ ନେବେ।

ସମ୍ବନ୍ଧିତ ଖବର