ମୁମ୍ବାଇ: ମହାରାଷ୍ଟ୍ରରେ କୃଷକମାନଙ୍କ ଦାବି ପୂରଣ ଦିଗରେ ବିଜେପି ନେତୃତ୍ୱାଧୀନ ମେଣ୍ଟ ସରକାରଙ୍କ ବିଫଳତାରେ ଅତିଷ୍ଠ ହୋଇପଡ଼ିଥିବା ରାଜ୍ୟର ଚାଷୀମାନେ ଉଗ୍ରରୂପ ଦେଖାଇଛନ୍ତି। ସେମାନଙ୍କୁ ଅଣଦେଖା କରିଚାଲିଥିବା ସରକାରଙ୍କୁ ନିଜର ପ୍ରତିବାଦ ଜଣାଇବା ପାଇଁ ହଜାର ହଜାର ସଂଖ୍ୟାରେ ସମର୍ଥକ ଓ ଚାଷୀ ନାସିକରୁ ପଦଯାତ୍ରାରେ ବାହାରିଛନ୍ତି। ଗତ ମଙ୍ଗଳବାର ସେଠାରୁ ପଦଯାତ୍ରା ଆରମ୍ଭ କରିଥିବା ୧୨,୦୦୦ ଚାଷୀଙ୍କ ସଂଖ୍ୟା ଆଜି ଷଷ୍ଠ ଦିନରେ ୩୦,୦୦୦ ଟପିସାରିଛି। ବିଳମ୍ବିତ ସନ୍ଧ୍ୟାରେ ଆନ୍ଦୋଳନକାରୀମାନେ ମୁମ୍ବାଇ ଉପକଣ୍ଠରେ ପହଞ୍ଚିଥିବା ବେଳେ ଆସନ୍ତାକାଲି(ସୋମବାର) ସହରରେ ବିକ୍ଷୋଭ ଶୋଭାଯାତ୍ରା ସହ ବିଧାନସଭା ଘେରାଉ କରିବାର କାର୍ଯ୍ୟକ୍ରମ ରହିଛି। ଏପରିକି ଚାଷୀଙ୍କ ସଂଖ୍ୟା ଆସନ୍ତାକାଲି ୫୦ ହଜାର ଡେଇଁବା ଅନୁମାନ କରାଯାଉଥିବା ବେଳେ ଆନ୍ଦୋଳନକାରୀଙ୍କୁ ପୁଲିସ ଆଗକୁ ବଢ଼ିବାକୁ ନଦେଇ ଆଜାଦ ମୈଦାନ ଠାରେ ଅଟକାଇବାକୁ ଯୋଜନା କରିଛି। ମହାରାଷ୍ଟ୍ରରେ ବିଭିନ୍ନ କାରଣରୁ ଆର୍ଥିକ ସଂକଟରେ ଗତି କରୁଥିବା ଚାଷୀମାନେ ଋଣଭାରରେ ମ୍ରିୟମାଣ ହୋଇପଡ଼ିଛନ୍ତି। ସେମାନଙ୍କ ଉପରେ ବକେୟା ରହିଥିବା କୃଷିଋଣ ସମ୍ପୂର୍ଣ୍ଣ ଛାଡ଼ ପାଇଁ ଅତୀତରେ ସରକାର ପ୍ରତିଶ୍ରୁତି ଦେଇଥିଲେ ହେଁ ତାହା ଠିକ୍ରେ ପାଳନ କରିନଥିବାରୁ ଚାଷୀଙ୍କ ସମସ୍ୟା ଆହୁରି ବହୁଗୁଣିତ ହୋଇପଡ଼ିଛି। ଏଥିରେ ମାନସିକ ଭାରସାମ୍ୟ ହରାଇ ଗତ ଆର୍ଥିକ ବର୍ଷରେ ରାଜ୍ୟର ବିଭିନ୍ନ ସ୍ଥାନରେ ତିନି ହଜାରରୁ ଅଧିକ ଚାଷୀ ଆତ୍ମହତ୍ୟା କରିଥିବା ନଜିର ରହିଛି। ତେବେ କୃଷି ଋଣ ଛାଡ଼ ସମେତ ଫସଲ ହାନି କ୍ଷତିପୂରଣ ପ୍ରଦାନ ଏବଂ ଚାଷ ପାଇଁ ଜଙ୍ଗଲ ଜମିକୁ ଅନୁମତି ଆଦି ଅନ୍ୟାନ୍ୟ ସମସ୍ୟା ସମାଧାନ ଦାବିରେ ବାମପନ୍ଥୀ କୃଷକ ସଂଗଠନ ସର୍ବ ଭାରତୀୟ କିଶାନ ସଭା(ଏଆଇକେଏସ୍) ପକ୍ଷରୁ ଗତ ମଙ୍ଗଳବାର ଚାଷୀମାନେ ନାସିକଠାରୁ ପଦଯାତ୍ରାରେ ବାହାରିଛନ୍ତି। ଦୀର୍ଘ ୧୮୦ କିମି ବାଟ ପାଦରେ ଚାଲି ଚାଲି ସେମାନେ ରାଜଧାନୀ ମୁମ୍ବାଇରେ ପହଞ୍ଚି ସରକାରଙ୍କୁ ନିଜର ଦାବି ଜଣାଇବାକୁ ନିଷ୍ପତ୍ତି ନେଇଛନ୍ତି।
ମହାରାଷ୍ଟ୍ରରେ ତାତିଲେ ଚାଷୀ
ପଦଯାତ୍ରାରେ ସାମିଲ ୩୦ ହଜାର ଆନ୍ଦୋଳନକାରୀ, ଆଜି ମୁମ୍ବାଇରେ ବିକ୍ଷୋଭ, ବିଧାନସଭା ଘେରାଉ
/sambad/media/post_attachments/wp-content/uploads/2018/03/Farmer-protest.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)