ଦିଲ୍ଲୀରେ ଏକଜୁଟ୍‌ ହେଉଛନ୍ତି ଚାଷୀ, ପଞ୍ଜାବ-ହରିୟାଣା ମୁଖ୍ୟମନ୍ତ୍ରୀ ମୁହାଁମୁହିଁ

ଚାଷୀ ଆନ୍ଦୋଳନସ୍ଥଳ ଛାଡ଼ିଲେ ଆଗୁଆ ଆଲୋଚନା ହେବ: ଶାହ

ନୂଆଦିଲ୍ଲୀ: ଦିଲ୍ଲୀରେ ଚାଷୀ ଆନ୍ଦୋଳନ ଆଜି ଅଧିକ ସୁଦୃଢ଼ ସ୍ଥିତିରେ ପହଞ୍ଚିଛି ଏବଂ ହଜାର ହଜାର ଚାଷୀ ନିରଙ୍କରି ପଡ଼ିଆରେ ଏକଜୁଟ୍‌ ହେଉଛନ୍ତି। କୃଷି ଆଇନ୍‌କୁ ବିରୋଧ କରି ଚାଷୀମାନେ ସ୍ଲୋଗାନ୍‌ ଦେଇ, ଗୀତ ବୋଲି, ପତାକା ପ୍ରଦର୍ଶନ କରି କେନ୍ଦ୍ର ସରକାରଙ୍କୁ ବିରୋଧ ଜାରି ରଖିଛନ୍ତି। କେନ୍ଦ୍ର ସରକାର ଚାଷୀମାନଙ୍କୁ ଆନ୍ଦୋଳନ ପାଇଁ ଅନୁମତି ଦେବା ପରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ସୁନିଶ୍ଚିତ କରିବାକୁ ଗୁରୁତ୍ବାରୋପ କରିଛନ୍ତି। ତେବେ ପ୍ରଥମ ଦିନ ହରିୟାଣା, ଉତ୍ତରପ୍ରଦେଶ ଓ ଦିଲ୍ଲୀ ସୀମାରେ ଚାଷୀମାନଙ୍କୁ ବିଭିନ୍ନ ସ୍ଥାନରେ ଅଟକ ରଖିବା ଯୋଗୁଁ ଚାଷୀ ଓ ପୁଲିସ ମଧ୍ୟରେ ସଂଘର୍ଷ ସୃଷ୍ଟି ହୋଇଥିଲା। ପଞ୍ଜାବ, ହରିୟାଣା, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ରାଜସ୍ଥାନରୁ ହଜାର ହଜାର ଚାଷୀ ଦିଲ୍ଲୀରେ ପହଞ୍ଚି ସାରିଲେଣି। ଆଜି ବୁରାଡ଼ିର ନିରଙ୍କରି ପଡ଼ିଆରେ ହଜାର ହଜାର ସଂଖ୍ୟାରେ ଚାଷୀମାନେ ‘ଧର୍‌ତୀ ମାତା କି ଜୟ’, ‘ଇନ୍‌କିଲାବ ଜିନ୍ଦାବାଦ’ ଆଦି ସ୍ଲୋଗାନ୍‌ ଦେଇ କେନ୍ଦ୍ର ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ଯଦି ଆନ୍ଦୋଳନସ୍ଥଳ ଛାଡ଼ି କୃଷକମାନେ ଆଲୋଚନା ପାଇଁ ଆସିବେ, ତାହେଲେ ଆମେ ଆଗୁଆ ଅଲୋଚନା ପାଇଁ ପ୍ରସ୍ତୁତ ଅଛୁ। ସୂଚନାଯୋଗ୍ୟ, ଆନ୍ଦୋଳନରତ କୃଷକଙ୍କ ସହ ଡିସେମ୍ବର ୩ରେ ସରକାର ଆଲୋଚନା କରିବେ ବୋଲି ପୂର୍ବରୁ ଘୋଷଣା ହୋଇଥିଲା। ଚାଷୀଙ୍କ ସ୍ବାର୍ଥ ରକ୍ଷା ପାଇଁ ସରକାର ସର୍ବଦା ଆଗଭର ଏବଂ ନୂଆ କୃଷି ଆଇନ କୃଷକଙ୍କ କଲ୍ୟାଣ ଉଦ୍ଦେଶ୍ୟରେ ସମର୍ପିତ ବୋଲି ଶାହ କହିଛନ୍ତି। ଆଜି ବିକ୍ଷୋଭରେ ବିଶିଷ୍ଟ ‌ସାମାଜିକ କର୍ମୀ ମେଧା ପାଟେକର ଯୋଗ ଦେଇ ଚାଷୀଙ୍କ ବିଶାଳ ସମାବେଶ ଚା‌ଷୀ ବିରୋଧୀ ଆଇନ ପ୍ରତ୍ୟାହାର କରିବାକୁ କେନ୍ଦ୍ର ସରକାରଙ୍କୁ ବାଧ୍ୟ କରିବ ବୋଲି କହିଛନ୍ତି। ୩ଟି କୃଷି ବିରୋଧୀ ଆଇନକୁ ବିରୋଧ କରି ସମଗ୍ର ଦେଶରେ ଦେଖାଦେଇଥିବା ଚାଷୀ ଅସନ୍ତୋଷ ଆଗାମୀ ଦିନରେ ଅତି ବିଶାଳ ରୂପ ନେବ ବୋଲି ପାଟେକର ସତର୍କ କରାଇ ଦେଇଛନ୍ତି।

ଅପରପକ୍ଷେ, ଚାଷୀ ଆନ୍ଦୋଳନକୁ ନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମିରନ୍ଦର ସିଂହ ଏବଂ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌ ଖଟ୍ଟର ମୁହାଁମୁହିଁ ହୋଇଛନ୍ତି। ଚାଷୀ ଆନ୍ଦୋଳନ ପାଇଁ ପଞ୍ଜାବ ସରକାର ଦାୟୀ ଏବଂ ସରକାର ହିଁ ଚାଷୀଙ୍କୁ ଆନ୍ଦୋଳନ ପାଇଁ ଉସୁକାଉଛନ୍ତି ବୋଲି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌ ଖଟ୍ଟର କହିଛନ୍ତି। ଏହି ଆନ୍ଦୋଳନରେ ହରିୟାଣାର ଚାଷୀମାନେ ସାମିଲ୍‌ ନାହାନ୍ତି ବୋଲି ଖଟ୍ଟର କହିବା ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଏହାର ତୀବ୍ର ବିରୋଧ କରିଛନ୍ତି। ହରିୟାଣା ସରକାର ଚାଷୀ ଆନ୍ଦୋଳନକୁ ଭଣ୍ଡୁର କରିବା ଉଦ୍ଦେଶ୍ୟରେ ଚାଷୀଙ୍କୁ ବିଭିନ୍ନ ସ୍ଥାନରେ ଅଟକ ରଖି ହଇରାଣ ହରକତ କରିବା ସହ ସେମାନଙ୍କ ଉପରେ ଦମନଲୀଳା ଚଳାଇଛି ବୋଲି ସେ କହିଛନ୍ତି। ହରିୟାଣା ମୁଖ୍ୟମନ୍ତ୍ରୀଙ୍କ ଟେଲିଫୋନ୍‌ କିମ୍ବା ଚିଠିର ସେ କୌଣସି ଉତ୍ତର ରଖିବେ ‌ନାହିଁ ବୋଲି ଅମରିନ୍ଦର କହିଛନ୍ତି। ସେ ଚାଷୀ ଆନ୍ଦୋଳନକୁ ପୂର୍ଣ୍ଣ ଭାବେ ସମର୍ଥନ କରନ୍ତି ବୋଲି ସେ କହିଛନ୍ତି। ଅପରପକ୍ଷେ, ହରିୟାଣା ମୁଖ୍ୟମନ୍ତ୍ରୀଙ୍କ ବୟାନକୁ ନେଇ ହରିୟାଣାର ଚାଷୀମାନେ ଜୋର୍‌ଦାର ପ୍ରତିବାଦ କରିଛନ୍ତି।

ଆଜି ବାମଦଳ, ଡିଏମ୍‌କେ ଏବଂ ଏନ୍‌ସିପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଚାଷୀମାନଙ୍କୁ ନୈତିକ ସମର୍ଥନ ଘୋଷଣା କରାଯାଇଛି। ସରକାରଙ୍କ ଦମନମୂଳକ ନୀତିରେ ଦବି ନ ଯାଇ ହଜାର ହଜାର ସଂଖ୍ୟାରେ ଚାଷୀ ଏକତ୍ରିତ ହୋଇ ସେମାନଙ୍କର ସାହସିକତାର ପରିଚୟ ଦେଇଛନ୍ତି ବୋଲି ସିପିଆଇଏମ୍‌ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ, ଡିଏମ୍‌କେ ନେତା ଟି.ଆର୍‌. ବାଲୁ ଏବଂ ଏନ୍‌ସିପି ସଭାପତି ଶରଦ ପାୱାର ଏକ ମିଳିତ ବିବୃତ୍ତିରେ କହିଛନ୍ତି।

ସମ୍ବନ୍ଧିତ ଖବର