ଋଣ ଶୁଝିବା ପାଇଁ ଏଟିଏମ୍‌ ଭାଙ୍ଗିବାକୁ ଚାଷୀଙ୍କ ଉଦ୍ୟମ

ସୁରଟ: ଗୁଜରାଟର ସୁରଟରେ ବ୍ୟାଙ୍କ ଋଣ ପରିଶୋଧ କରିପାରୁନଥିବା ଜଣେ ଚାଷୀ ଏଟିଏମ୍‌ ଭାଙ୍ଗିବାକୁ ପ୍ରୟାସ କରି ଗିରଫ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏହି ମାମଲାରେ ପୁଲିସ ଉକ୍ତ ଚାଷୀଙ୍କ ସମେତ ଜଣେ ନାବାଳକଙ୍କୁ ମଧ୍ୟ ଅଟକ ରଖିଛି । ଚାଷୀ ଜଣକ ଜଣେ ନାବାଳକ ସହିତ ମିଶି ସାଇନଗର ଅଂଚଳର ଏକ ‌ଷ୍ଟେଟ୍‌ବ୍ୟାଙ୍କ୍‌ ଏଟିଏମ୍‌କୁ ଭାଙ୍ଗିବାକୁ ପହଞ୍ଚିଥିଲେ। ସେଠାରେ କୌଣସି ସୁରକ୍ଷା କର୍ମୀ ନଥିବାରୁ ସେମାନେ ସଟର୍‌ ବନ୍ଦ କରି ସିସିଟିଭି କ୍ୟାମେରା ନଷ୍ଟ କରିଦେଇଥିଲେ ଏବଂ ପରେ ଏଟିଏମ୍‌କୁ ଭାଙ୍ଗିବାରେ ଲାଗିଥିଲେ। ସେତିକିବେଳେ ସେହି ରାସ୍ତାରେ ପାଟ୍ରୋଲିଂ କରୁଥିବା ପୁଲିସ ଏଟିଏମ୍‌ ସଟ୍‌ର ପଡ଼ିଥିବା ଦେଖି ସେଠାକୁ ଯାଞ୍ଚ ପାଇଁ ଯାଇଥିଲେ ଏବଂ ଉଭୟଙ୍କୁ ଏଟିଏମ୍‌ ଭାଙ୍ଗୁଥିବା ଅବସ୍ଥାରେ ଧରିଥିଲେ। ଗିରଫ ହୋଇଥିବା ଚାଷୀଙ୍କ ନାମ ପ୍ରକାଶ ଧମେୟା ଏବଂ ତାଙ୍କ ନାମରେ କୌଣସି ଅପରାଧ ରେକର୍ଡ ନାହିଁ। ସେ ୧୦ ଲକ୍ଷ ଟଙ୍କା ଋଣ ପରି‌ଶୋଧ କରିବାରେ ଅସମର୍ଥ ହେବାରୁ ଏଭଳି ପଦକ୍ଷେପ ନେଇଥିଲେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର