ମହାରାଷ୍ଟ୍ରରେ ହୃଦୟବିଦାରକ ଘଟଣା:ନିଜ ଜମିରେ ଚିତା ସଜାଡ଼ି ଆତ୍ମାହୁତି ଦେଲେ ଋଣଗ୍ରସ୍ତ ଚାଷୀ

ମୁମ୍ବାଇ : ମହାରାଷ୍ଟ୍ରରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଜଣେ ଋଣଗ୍ରସ୍ତ ଚାଷୀ ଋଣ ଶୁଝି ନପାରି ଶେଷରେ ନିଜ ଜୀବନ ହାରି ଦେଇଛନ୍ତି। ନିଜ ଜମିରେ ନିଜ ପାଇଁ ଚିତା ସଜାଡ଼ି ସେ ଆତ୍ମାହୁତି ଦେଇଛନ୍ତି। ତେବେ ଏଭଳି ଏକ ଘଟଣା ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି। ମହାରାଷ୍ଟ୍ରର ନାଣ୍ଡେଡ୍‌ ଜିଲ୍ଲାରେ ଏହି ଘଟଣା ଘଟିଛି। ପୁଲିସ ସୂତ୍ରରୁ ଜଣାଯାଇଛି ଯେ ୬୫ ବର୍ଷୀୟ ବୃଦ୍ଧ ପୋଟାନା ରାମାଲୁ ବୋଲ୍‌ପିଲୱାଡ୍‌ ଋଣ ଶୁଝି ନପାରି ଅବସାଦ ମଧ୍ୟରେ ବଞ୍ଚୁଥିଲେ। ଫସଲ ନଷ୍ଟ ହୋଇଯିବାରୁ ସେ ବ୍ୟାଙ୍କ୍‌ ଏବଂ ସମବାୟ ସମିତିରୁ ଋଣ ଆଣିଥିଲେ। କିନ୍ତୁ ଏହି ଋଣ ସେ ଶୁଝି ପାରିନଥିଲେ। ଏକ ସରକାରୀ ଯୋଜନା ଦ୍ବାରା ସେ ତାଙ୍କ ଋଣ ଛାଡ଼ କରିବାକୁ ଚେଷ୍ଟା କରିଥିଲେ। ଏଥିପାଇଁ ଅନଲାଇନ୍‌ରେ ଆବେଦନ ମଧ୍ୟ କରିଥିଲେ। କିନ୍ତୁ ହିତାଧିକାରୀଙ୍କ ତାଲିକାରେ ତାଙ୍କ ନାମ ନଉଠିବାରୁ ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ। ଚାରି ଆଡ଼ୁ ଆଶା ହରାଇବା ପରେ ଆଉ କୌଣସି ଉପା‌ୟ ନପାଇ ଶେଷରେ ଆତ୍ମହତ୍ୟାର ବାଟ ବାଛିନେଲେ। ଗତ ଶୁକ୍ରବାର ଉମ୍ରି ଅଞ୍ଚଳର ତୁରତି ଗ୍ରାମ ସ୍ଥିତ ନିଜ ଜମିକୁ ଯାଇ ଚିତା ପ୍ରସ୍ତୁତ କରିଥିଲେ ଏବଂ ସେହି ଚିତାରେ ନିଜକୁ ଆହୁତି ଦେଇଥିଲେ।

ସମ୍ବନ୍ଧିତ ଖବର