ଜିଓର ଉଦାହରଣ ଦେଉଛନ୍ତି କୃଷକ: ହର୍‌ସିମରତ

ନୂଆଦିଲ୍ଲୀ : ମୋଦୀ ସରକାରରୁ ଇସ୍ତଫା ଦେବାର ଦିନକ ପରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ହର୍‌ସିମରତ କୌର ବାଦଲ ଆଜି ୟୁଟର୍ନ ନେଇଛନ୍ତି। ହର୍‌ସିମରତ କହିଛନ୍ତି, ସେ କେବେ ବି କହିନାହାନ୍ତି କୃଷି ବିଲ୍‌ କୃଷକ ବିରୋଧୀ। ଏହା କୃଷକମାନଙ୍କ ଅଭିଯୋଗ। ଏକ ସାକ୍ଷାତକାର ଦେଇ ହର୍‌ସିମରତ କହିଛନ୍ତି, ସେ ସ୍ପଷ୍ଟ ଭାବେ ଏହା ଜଣାଇବାକୁ ଚାହୁଛନ୍ତି ଯେ, ସେ କେବେହେଲେ ସରକାରଙ୍କ ଦ୍ବାରା ଅଣାଯାଇଥିବା ୩ଟିି କୃଷି ବିଲ୍‌କୁ କୃଷକ ବିରୋଧୀ କହିନାହାନ୍ତି। ତେବେ ଏହି ବିଲ୍‌ କୃଷକ ବିରୋଧୀ କି ବୋଲି ଏକ ପ୍ରଶ୍ନର ଉତ୍ତର ଦେଇ ହର୍‌ସିମରତ କହିଛନ୍ତି, ସେ କ’ଣ ଭାବୁଛନ୍ତି ତାହା କିଛି ମାନେ ରଖେନା। କିନ୍ତୁ ବିଲ୍‌ କୃଷକମାନଙ୍କ କଲ୍ୟାଣ ପାଇଁ ସଂସଦରେ ଅଣାଯାଇଥିଲା। ଏହି ବିଲ୍‌ ସେମାନଙ୍କର ଉପକାର କରିବ ବୋଲି ସେମାନେ ବିଶ୍ବାସ କରିବା ଉଚିତ୍‌ ଥିଲା। ତେବେ ଏହି ବିଲ୍‌ ସଂସଦରେ ଆଗତ କରିବା ପୂର୍ବରୁ ପ୍ରଥମେ କୃଷକମାନଙ୍କ ସହ ଏନେଇ ଖୋଲା ଆଲୋଚନା କରିବାକୁ ହର୍‌ସିମରତ ମୋଦୀ ସରକାରଙ୍କୁ ବାରମ୍ବାର କହିଥିଲେ। କିନ୍ତୁ ସେ ଏଥିରେ ବିଫଳ ହୋଇଥିବା କହିଛନ୍ତି।

ଅନ୍ୟ ଏକ ସାକ୍ଷାତକାରରେ ହର୍‌ସିମରତ କହିଛନ୍ତି , ଜଣେ କୃଷକ ତାଙ୍କ ମତ ରଖି ରିଲାଏନ୍ସ ଜିଓର ମାର୍କେଟ୍‌ ରଣନୀତିର ଉଦାହରଣ ଦେଇଥିଲେ। କୃଷକ ଜଣକ କହିଥିଲେ, ଯେତେବେଳେ ଜିଓ ଆସିଲା ସେତେବେଳେ ଏହା ମାଗଣା ଫୋନ୍‌ ଦେଲା। ଯେତେବେଳେ ସମସ୍ତେ ଏହାକୁ କିଣିଲେ ଏବଂ ଏହି ଫୋନ୍‌ ଉପରେ ନିର୍ଭରଶୀଳ ହେଲେ ଜିଓ ଏହାର ରେଟ୍‌ ବଢ଼ାଇଦେଲା। ଠିକ୍‌ ଏହି କାମ ହିଁ କର୍ପୋରେଟ୍‌ମାନେ କରୁଛନ୍ତି ବୋଲି ସମ୍ପୃକ୍ତ କୃଷକ ଜଣଙ୍କ କହିଥିଲେ ବୋଲି ହର୍‌ସିମରତ କହିଛନ୍ତି। କିନ୍ତୁ ଗତ ଗୁରୁବାର ଦିନ ହର୍‌ସିମରତ ଇସ୍ତଫା ଦେବାପରେ କହିଥିଲେ ଯେ, କୃଷକ ବିରୋଧୀ ବିଲ୍‌କୁ ବିରୋଧ କରି ସେ କେନ୍ଦ୍ର କ୍ୟାବିନେଟ୍‌ରୁ ଇସ୍ତଫା ଦେଉଛନ୍ତି।

ସମ୍ବନ୍ଧିତ ଖବର