ଦାଆରେ କାଟି କଲାରାପତ୍ରିଆକୁ ମାରି ପକାଇଲେ କୃଷକ
ତିରୁପତି: ନିଜକୁ ଏବଂ ଗୋରୁମାନଙ୍କୁ ବଞ୍ଚାଇବାକୁ ଯାଇ କେ. ରାମମୂର୍ତ୍ତି ନାମକ ଜଣେ ୬୨ ବର୍ଷିୟ କୃଷକ ଗୋଟାଏ କଲରାପତ୍ରିଆ ବାଘକୁ ମାରି ପକାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଘଟଣାଟି ରବିବାର ଦିନ ଆନ୍ଧ୍ରପ୍ରଦେଶ ସୀମାନ୍ତରେ ଅବସ୍ଥିତ ତାମିଲନାଡୁର କୃଷ୍ଣଗିରି ଜିଲ୍ଲା ଅନ୍ତର୍ଗତ ମହାରାଜାକାଡ଼ାଇ ଗ୍ରାମରେ ଘଟିଛି।
କୃଷକ କେ. ରାମମୂର୍ତ୍ତିଙ୍କର ବଣ କତିରେ ଖଣ୍ଡେ ଚାଷ ଜମି ଅଛି। ରବିବାର ସକାଳେ ସେ ଗୋରୁମାନଙ୍କୁ ଚରାଇବାକୁ ବଣକୁ ଛାଡ଼ିଥିଲେ।
ସେତେବେଳେ ଗୋଟାଏ କଲରାପତ୍ରିଆ ବାଘ ଆସି ଗୋଟାଏ ଗାଈକୁ ଆକ୍ରମଣ କଲା। ଗାଈର ହମ୍ବା ରଡ଼ି ଶୁଣି ରାମମୂର୍ତ୍ତି ଘଟଣାସ୍ଥଳକୁ ଧାଇଁ ଯାଇଥିଲେ। ସେ ଦେଖିଲେ ବାଘ ଗାଈଟିକୁ ଘୋଷାରି ଘୋଷାରି ବଣ ଗହନକୁ ନେଇ ଯାଉଛି। ବାଘକୁ ଘଉଡ଼ାଇ ଦେବାକୁ ସେ ଚେଷ୍ଟାକଲେ, କିନ୍ତୁ ବାଘ ହୁଙ୍କିଲା ନାହିଁ।
ବରଂ ଓଲଟି ତାଙ୍କୁ ଆକ୍ରମଣ କରିବାକୁ କୁଦା ମାରିଲା। କାଳେ ବାଘ ତାଙ୍କୁ ମାରିପକାଇବ, ଏଇ ଡରରେ ସେ ତାକୁ ଦାଆରେ ଆକ୍ରମଣ କଲେ। କଲରାପତ୍ରିଆ ଦାଆ ଚୋଟରେ କ୍ଷତବିକ୍ଷତ ହୋଇଗଲା। ପ୍ରବଳ ରକ୍ତସ୍ରାବ ଘଟିବାରୁ କଲରାପତ୍ରିଆଟି ଘଟଣାସ୍ଥଳରେ ହିଁ ମରିଗଲା।
ପରେ ଖବର ପାଇ ବନ ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ମୃତ କଲରାପତ୍ରିଆର ମଢ଼ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।
ଆତ୍ମରକ୍ଷା ପାଇଁ କଲରାପତ୍ରିଆକୁ ହତ୍ୟା କରିଛନ୍ତି ବୋଲି ରାମମୂର୍ତ୍ତି କହିଲେ ମଧ୍ୟ ବନ ବିଭାଗ ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।