ନୂଆଦିଲ୍ଲୀ: ନୂଆ କୃଷି ଆଇନକୁ ନେଇ କେନ୍ଦ୍ର ସରକାର ଏବଂ ଚାଷୀ ସଂଗଠନଗୁଡ଼ିକ ମଧ୍ୟରେ ଜାନୁଆରି ୧୬ରେ ନବମ ପର୍ଯ୍ୟାୟ ବୈଠକ ହୋଇଥିଲା। ହେଲେ ନୂଆଦିଲ୍ଲୀ ବିଜ୍ଞାନ ଭବନରେ ଅନୁଷ୍ଠିତ ନବମ ପର୍ଯ୍ୟାୟ ଆଲୋଚନାରେ କୌଣସି ସହମତି ପ୍ରକାଶ ପାଇନଥିଲା। ସୁପ୍ରିମ୍ କୋର୍ଟ ଦ୍ବାରା ବିବାଦର ସମାଧାନ ପାଇଁ କମିଟି ଗଠନ ପରେ ଜାନୁଆରି ୧୬ରେ ପ୍ରଥମ ବୈଠକ ହୋଇଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରି ନଥିବାରୁ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ଆଜି ଅନୁଷ୍ଠିତ ହୋଇଛି। ଏ ନେଇ କୃଷକ ସଂଗଠନର ମୁଖ୍ୟମାନେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ପହଞ୍ଚି ସାରିଛନ୍ତି। ଆଜି ଦଶମ ପର୍ଯ୍ୟାୟରେ କୌଣସି ସମାଧାନର ବାଟ ବାହାରୁଛି କି ନାହିଁ, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।
ତେବେ ବୈଠକ ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହା କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ତୋମାର ଏବଂ ପୀୟୁଷ ଗୋୟଲଙ୍କ ସହ ବିଜ୍ଞାନ ଭବନରେ ଆଲୋଚନା କରିଥିଲେ ବୋଲି ଜଣାପଡ଼ିଛି।
/sambad/media/post_attachments/fc3bafb65447dcbc434308df28a8c4e669273c539d9d717b6a59e15c020d8862.jpg)
ଉଲ୍ଲେଖଯୋଗ୍ୟ, ଚାଷୀ ଆନ୍ଦୋଳନକୁ ନେଇ ଲାଗିରହିଥିବା ଅଚଳାବସ୍ଥାର ଅବସାନ ପାଇଁ ସୁପ୍ରିମ୍ କୋର୍ଟ ୪ ଜଣିଆ ସଦସ୍ୟ ବିଶିଷ୍ଟ କମିଟି ଗଠନ କରିଥିଲେ। ହେଲେ କମିଟି ଗଠନର ଗୋଟେ ଦିନ ପରେ ଭାରତୀୟ କିଶାନ ୟୁନିୟନ୍ର ଅଧ୍ୟକ୍ଷ ଭୂପିନ୍ଦର ସିଂହ ମାନ୍ କମିଟିରୁ ଓହରି ଯାଇଥିଲେ। ଜଣେ ଚାଷୀ ନେତା ଭାବେ ଚାଷୀଙ୍କର ପ୍ରତ୍ୟେକ ସମସ୍ୟାରେ ସେ ଦୃଢ଼ ଭାବେ ରହିଛନ୍ତି ଏବଂ ଏଥିପାଇଁ ସେ କୌଣସି ପଦ ଛାଡ଼ିବା ପାଇଁ ପ୍ରସ୍ତୁତ ଅଛନ୍ତି। ପଞ୍ଜାବର କୃଷକଙ୍କ ସ୍ବାର୍ଥ ପାଇଁ ମୁଁ କାମ କରୁଛି ଏବଂ ଏହା ଜାରି ରହିବ ବୋଲି କହି ସେ କମିଟିରୁ ଓହରି ଯାଇଥିଲେ।
କମିଟିରେ ଥିବା ସଦସ୍ୟ କୃଷି ଆଇନକୁ ସମର୍ଥନ କରୁଥିବା ବେଳେ ସେମାନେ କିଭଳି ଆମ ସମସ୍ୟାର ସମାଧାନ କରିବେ ବୋଲି ପ୍ରଶ୍ନ କରିଥିଲେ ଚାଷୀ। ଏହା ସହ ଆଉ ଥରେ ନୂଆ ସଦସ୍ୟଙ୍କ ସହ କମିଟି ଗଠନ କରିବାକୁ କହିଥିଲେ। ଆଜିର ବୈଠକ ପରେ ନୂଆ କମିଟି ଗଠନ ହେବ କି ବୈଠକରେ କୃଷକ ସଂଗଠନ ଓ ସରକାର ପରସ୍ପର ସହ ଏକମତ ହେବେ, ତାହା ଦେଖିବାକୁ ବାକି ରହିଲା।