ନୂଆଦିଲ୍ଲୀ: ଦିଲ୍ଲୀରେ କୃଷକ ଆନ୍ଦୋଳନ ଆଜି ୨୪ ଦିନରେ ପହଞ୍ଚିଥିବା ବେଳେ ରବିବାର ଏହା ୨୫ ଦିନରେ ପହଞ୍ଚିବ। କୃଷି ଆଇନକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବାକୁ କୃଷକ ସଂଗଠନ ଦାବି କରୁଥିବାବେଳେ ସରକାର ଏଥିରେ ରାଜି ହେଉ ନାହାନ୍ତି। ଫଳରେ ସମାଧାନର ପନ୍ଥା ବାହାରିପାରୁନି। ଅପରପକ୍ଷେ, କୃଷି ଆଇନକୁ ବିରୋଧ କରି ଆର୍ଏଲ୍ପି ମୁଖ୍ୟ ତଥା ସାଂସଦ ହନୁମାନ ବେନିୱାଲ ଆଜି ୩ଟି ଲୋକସଭା କମିଟିରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବା ପରେ ବେନିୱାଲ କହିଛନ୍ତି, ସେ କୃଷକ ଆନ୍ଦୋଳନରେ ସାମିଲ ହେବେ। ସେହିଭଳି କୃଷକ ଆନ୍ଦୋଳନକୁ ସମର୍ଥନ କରି ଆଜି ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜ ପାର୍ଟି ବିଜେପି ଉପରେ ଆକ୍ରମଣ କରିଛନ୍ତି। କୃଷି ଆଇନ କୃଷକ ବିରୋଧୀ ଏବଂ ବିଜେପି ଚାଷୀଙ୍କୁ କୃଷି ଆଇନ ବିଷୟରେ ଅନ୍ଧାରରେ ରଖିଛି ବୋଲି ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ କହିଛନ୍ତି।
ଆଜି ‘ଆସୋଚାମ ଫାଉଣ୍ଡେସନ ସପ୍ତାହ-୨୦୨୦’ ପାଳନ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷି ଆଇନ କୃଷକଙ୍କ ହିତ ସାଧନ କରିବ ବୋଲି ଦୋହରାଇଛନ୍ତି। ତାଙ୍କ ସରକାର କୃଷି କ୍ଷେତ୍ରରେ ଯେଉଁ ସଂସ୍କାର ଆଣିଛନ୍ତି, ଛଅ ମାସ ତଳୁ ଚାଷୀ ତା’ର ସୁଫଳ ପାଇଲେଣି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। କୃଷି ସଂସ୍କାର କିଭଳି ଚାଷୀଙ୍କର ହିତ ସାଧନ କରିଛି, ସେ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ଇ-ପୁସ୍ତିକାକୁ ପାଠ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ ଜଣାଇଛନ୍ତି। ଏହା ‘ନମୋ ଆପ୍’ ଜରିଆରେ ଉପଲବ୍ଧ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ୧୦୬ ପୃଷ୍ଠା ସମ୍ବଳିତ ଇ-ପୁସ୍ତିକାରେ ଏମ୍ଏସ୍ପି ମିଳିବ ଏବଂ ମଣ୍ଡି ଉଚ୍ଛେଦ ହେବ ନାହିଁ ବୋଲି ଉଲ୍ଲେଖ ରହିଛି। ପ୍ରଧାନମନ୍ତ୍ରୀଙ୍କ ଏଭଳି ଆଶ୍ବାସନାକୁ କୃଷକ ସଂଗଠନ ଗ୍ରହଣ କରିନାହାନ୍ତି। ଦେଶରେ ସବୁଠି ଚାଷୀ ଏମ୍ଏସ୍ପି ପାଉ ନାହାନ୍ତି ଏବଂ ଚାଷୀ ଆତ୍ମହତ୍ୟା ବୃଦ୍ଧି ପାଉଛି ବୋଲି ଭାରତୀୟ କିଷାନ୍ ସଂଘ ନେତା ରାକେଶ ଟିକାଏତ କହିଛନ୍ତି। ଅପରପକ୍ଷେ, ଆନ୍ଦୋଳନରତ ଚାଷୀଙ୍କୁ ଦେଶଦ୍ରୋହୀ ଚିତ୍ରଣ କରିବା ଏବଂ ସେମାନଙ୍କୁ ଅପମାନିତ କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚାଷୀଙ୍କୁ କ୍ଷମା ମାଗନ୍ତୁ ବୋଲି କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲା ଦାବି କରିଛନ୍ତି। ଭିଡିଓ କନ୍ଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶର ଚାଷୀଙ୍କୁ ପ୍ରତାରଣା କରିଛନ୍ତି ବୋଲି ସୂର୍ଯ୍ୟେୱାଲା କହିଛନ୍ତି। ତେବେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ଆଜି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଭେଟିଛନ୍ତି। ଏଥିସହିତ କୃଷକଙ୍କ ସହିତ ଆଉ ଏକ ପର୍ଯ୍ୟାୟ ଆଲୋଚନା ହେବ ବୋଲି ସେ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/farmers-7.jpg)