ତେଜିଲା କୃଷକ ଆନ୍ଦୋଳନ, ୨୪ରେ କଂଗ୍ରେସର ଆନ୍ଦୋଳନ ଡାକରା

ନୂଆଦିଲ୍ଲୀ: ସଂସଦରେ ଗୃହୀତ ହୋଇଥିବା କୃଷି ବିଲ୍‌କୁ ବିରୋଧ କରି ପଂଜାବ , ହରିୟାଣା ଏବଂ ରାଜସ୍ଥାନ ସମେତ ଅନ୍ୟ ରାଜ୍ୟମାନଙ୍କରେ ଗତକାଲି ଠାରୁ କୃଷକମାନେ ଆନ୍ଦୋଳନ ଜାରି ରଖିଛନ୍ତି। ଦେଶବ୍ୟାପୀ କୃଷକଙ୍କ ଆନ୍ଦୋଳନ ତେଜିଛି। କୃଷକମାନେ ରାଜରାସ୍ତାକୁ ଓହ୍ଲାଇ ସେମାନଙ୍କ ସ୍ବର ଉତ୍ତୋଳନ କରିଛନ୍ତି ଏବଂ ବିଭିନ୍ନ ସ୍ଥାନରେ ରାସ୍ତାରୋକ୍‌ କରିଛନ୍ତି। କଂଗ୍ରେସ, ସିପିଏମ୍‌ ଏବଂ ଅନ୍ୟ ଦଳ ପକ୍ଷରୁ ବିଭିନ୍ନ ସ୍ଥାନରେ ଆନ୍ଦୋଳନ ହୋଇଛି। ଆଜି ପଂଜାବ କଂ‌ଗ୍ରେସର ୪ ଜଣ ସାଂସଦ ପୁଣି ବିଲ୍‌କୁ ବିରୋଧ କରି ସଂସଦରେ ମହମବତି ଜାଳିଛନ୍ତି। ଅନ୍ୟପକ୍ଷେ କ‌ଂଗ୍ରେସ ଘୋଷଣା କରିଛି ଯେ, ଏହା ଅକ୍ଟୋବର ୨ ତାରିଖ (ଗାନ୍ଧୀ ଜୟନ୍ତୀ)କୁ ‘କିସାନ୍‌ ମଜଦୁର ବଚାଓ ଦିବସ’ ଭାବେ ପାଳନ କରିବ। ଦଳ ପକ୍ଷରୁ କୃଷି ବିଲ୍‌ ବିରୋଧରେ ୨ କୋଟିରୁ ଅଧିକ କୃଷକଙ୍କ ସ୍ବାକ୍ଷର ସଂଗ୍ରହ କରାଯାଇ ଏହାକୁ ନଭେମ୍ବର ୧୪ ସୁଦ୍ଧା ରାଷ୍ଟ୍ରପତିଙ୍କ ନିକଟରେ ଦାଖଲ କରାଯିବ ବୋଲି କୁହାଯାଇଛି। କଂଗ୍ରେସ ପକ୍ଷରୁ ମଧ୍ୟ ଏହି କୃଷି ବିଲ୍‌କୁ ବିରୋଧ କରି ଆସନ୍ତା ସେପ୍ଟେମ୍ବର ୨୪ ତାରିଖରେ ଦେଶବ୍ୟାପୀ ଆନ୍ଦୋଳନ ଡାକରା ଦିଆଯାଇଛି। ଆଜି ନୂଆଦିଲ୍ଲୀ ସ୍ଥିତ ଦଳର ମୁଖ୍ୟାଳୟରେ କଂଗ୍ରେସ ସାଧାରଣ ସମ୍ପାଦକ ଏବଂ ପ୍ରଭାରୀମାନଙ୍କର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ।

ପଂଜାବୀ ଗାୟକ ଦଲେର ମେହେନ୍ଦି ବିଲ୍‌କୁ ସମର୍ଥନ କରି ଭିଡିଓ ଜାରି କରିଥିବାରୁ ଆଜି ଫିରୋଜ୍‌ପୁରରେ କୃଷକମାନେ ତାଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି। ଜଣେ ଆନ୍ଦୋଳନକାରୀ କହିଛନ୍ତି, ସରକାର ଆମକୁ ବାରମ୍ବାର ଆଘାତ ଦେଇଛନ୍ତି । ଏବେ ପୁଣି ଦଲେର ମେହନ୍ଦୀ ଆମ କଟା ଘା’ରେ ଲୁଣ ଦେଉଛନ୍ତି। ଯଦି ସେ ଏଥିପାଇଁ କ୍ଷମା ନମାଗନ୍ତି ତେବେ ପଂଜାବରେ କୌଣସି ସ୍ଥାନରେ ବି ତାଙ୍କୁ କାମ କରାଇ ଦେବୁନି। ଆପ୍‌ ସାଂସଦ ସଂଜୟ ସିଂହଙ୍କ ନିଲମ୍ବନକୁ ବିରୋଧ କରି ଆପ୍‌ କର୍ମୀମାନେ ଦିଲ୍ଲୀରେ ଆନ୍ଦୋଳନ କରିଛନ୍ତି।

ସମ୍ବନ୍ଧିତ ଖବର