ବ୍ୟାପକ ହେଉଛି କୃଷକ ଆନ୍ଦୋଳନ: ମହାରାଷ୍ଟ୍ରରୁ ଦିଲ୍ଲୀ ଅଭିମୁଖେ ଯିବ କୃଷକଙ୍କ ପଦଯାତ୍ରା

ନାଗପୁର: କେନ୍ଦ୍ରର ନୂତନ କୃଷି ଆଇନ ବିରୁଦ୍ଧରେ ଦିଲ୍ଲୀ ସୀମାରେ କୃଷକଙ୍କ ପ୍ରଦର୍ଶନ ଜାରି ରହିଛି। ଗଣତନ୍ତ୍ର ଦିବସରେ କୃଷକମାନେ ଏକ ଟ୍ରାକ୍ଟର ପରେଡ୍‌ କରିବାକୁ ଯାଉଛନ୍ତି। ତେବେ ଆଜିଠାରୁ ମହାରାଷ୍ଟ୍ରର ନାସିକରୁ ମୁମ୍ବାଇ ଅଭିମୁଖେ କୃଷକମାନେ ପଦଯାତ୍ରା ଆରମ୍ଭ କରିଛନ୍ତି। ଅଖିଳ ଭାରତୀୟ କିଷାନ ସଭା ପକ୍ଷରୁ ଏହି ପଦଯାତ୍ରା କରାଯାଉଥିବାବେଳେ କୃଷକମାନେ ମୁମ୍ବାଇରେ ଏକାଠି ହୋଇ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବାକୁ ଯୋଜନା କରିଛନ୍ତି। ପ୍ରାୟ ୧୫,୦୦୦ କୃଷକ ଶନିବାର ଦିନ ନାସିକରୁ ମୁମ୍ବାଇ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ଜଣେ ବିରୋଧକାରୀ କହିଛନ୍ତି ଯେ ବିଜେପି ସରକାର ଆଣିଥିବା ତିନିଟି ଆଇନ କୃଷକ ବିରୋଧୀ। ଆମେ ମୁମ୍ବାଇ ପର୍ଯ୍ୟନ୍ତ ପଦଯାତ୍ରା କରିବୁ ଏବଂ ତା’ପରେ ୨୬ ଜାନୁଆରିରେ ଦିଲ୍ଲୀରେ ପହଞ୍ଚିବୁ |


ସୂଚନା ଥାଉ କି ଗଣତନ୍ତ୍ର ଦିବସ ଅବସରରେ ‘କିଷାନ୍ ଗଣତନ୍ତ୍ର ପରେଡ୍‌’ରେ ଭାଗ ନେବାକୁ ଦେଶର ବିଭିନ୍ନ ସ୍ଥାନରୁ କୃଷକମାନେ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଛନ୍ତି। ପଞ୍ଜାବ, ହରିୟାଣା ଏବଂ ରାଜସ୍ଥାନର ଟ୍ରାକ୍ଟରଗୁଡିକ ଟିକରୀ ସୀମାରେ ପହଞ୍ଚିଛନ୍ତି। ସଂଯୁକ୍ତ କିଷାନ୍ ମୋର୍ଚା କୃଷକମାନଙ୍କୁ ୨୩ ରୁ ୨୬ ଜାନୁଆରି ପର୍ଯ୍ୟନ୍ତ ଏହି ଆନ୍ଦୋଳନରେ ଭାଗ ନେବାକୁ କହିଛି। ସୂଚନା ଥାଉ କି ନଭେମ୍ବର ୨୬ ତାରିଖରୁ କୃଷକମାନେ ଦିଲ୍ଲୀ ସୀମାରେ ବିରୋଧ ପ୍ରଦର୍ଶନ କରୁଛନ୍ତି। କୃଷି ଆଇନକୁ ବି‌ରୋଧ କରି ଆନ୍ଦୋଳନ କରୁଥିବା କୃଷକମାନଙ୍କୁ ଆସନ୍ତା ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଟ୍ରାକ୍ଟର୍‌ ପରେଡ୍‌ କରିବାକୁ ଅନୁମତି ମିଳିଛି।

ଦିଲ୍ଲୀ ପୁଲିସ ୧୦୦ କିମି ଟ୍ରାକ୍ଟର୍‌ ପରେଡ୍‌ ପାଇଁ ଅନୁମତି ଦେଇଛି ବୋଲି ଚାଷୀ ନେତାମାନେ କହିଛନ୍ତି। ଅନ୍ୟପକ୍ଷରେ ନୂଆ କୃଷି ଆଇନ ନେଇ ଚାଷୀ ନେତାମାନେ ସରକାରଙ୍କ ପ୍ରସ୍ତାବରେ ରାଜି ନାହାନ୍ତି। ସରକାର ୧୮ ମାସ ପାଇଁ କୃଷି ଆଇନର କାର୍ଯ୍ୟକାରିତା ଉପରେ ରୋକ୍‌ ଲଗାଇବାକୁ କହିଥିଲେ ସୁଦ୍ଧା ଚାଷୀ ନେତାମାନେ ଏହାକୁ ଗ୍ରହଣ କରିନାହାନ୍ତି। ଚାଷୀମାନେ ଆଇନକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବାକୁ ଜିଦ୍‌ରେ ଅଟଳ ରହିଛନ୍ତି।

ସମ୍ବନ୍ଧିତ ଖବର